ଭୁବନେଶ୍ୱର: ନିୟମିତ ହେଲେ କନିଷ୍ଠ ଶିକ୍ଷକ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତି ପାଇଥିବା ଜୁନିଅର ଶିକ୍ଷକ (ସ୍କିମେଟିକ୍) ମାନଙ୍କୁ ନିୟମିତ କରାଯାଇଛି। ଏବେ ସେମାନେ ସହକାରୀ ଶିକ୍ଷକ (ଆସିଷ୍ଟାଣ୍ଟ ଟିଚର) ଭାବେ କାର୍ଯ୍ୟ କରିବେ।
ବିଜ୍ଞପ୍ତି ଅନୁଯାୟୀ, ଉପଯୁକ୍ତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇ ସେବା ପ୍ରଦାନ କରୁଥିବା ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ-ଭି(ଏ) (Level-V(A)) ରେ ନିୟମିତ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ହଜାର ହଜାର ଶିକ୍ଷକ ଉପକୃତ ହେବେ। ନିୟମିତ ହେବା ପରେ ଏହି ଶିକ୍ଷକମାନେ ୧ ଜାନୁଆରୀ ୨୦୨୬ ଠାରୁ ନିୟମିତ ଦରମା ଏବଂ ଅନ୍ୟାନ୍ୟ ସେବା ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ତେବେ ଏହି ନିୟମିତକରଣରେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଶିକ୍ଷକମାନଙ୍କର ପ୍ରାରମ୍ଭିକ ଯୋଗଦାନ ତାରିଖରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାଳକୁ ଚୁକ୍ତିଭିତ୍ତିକ ବା ସ୍କିମେଟିକ୍ ସେବା ଭାବରେ ଗ୍ରହଣ କରାଯିବ। ଏହି ପୂର୍ବ ସମୟସୀମା ପାଇଁ ଶିକ୍ଷକମାନେ କୌଣସି ନିୟମିତ କ୍ୟାଡର ସିନିୟରିଟି କିମ୍ବା ଆନୁଷଙ୍ଗିକ ସେବା ସୁବିଧା ଦାବି କରିପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।