ସେବା ପାଇଁ ଦ୍ୱିଧା କାହିଁକି????

ମହାତ୍ମାଗାନ୍ଧୀ, ବାପୁ ଏହି ନାମଟି ସାରା ଜଗତରେ ଵିଦିତ।ନିଜ ଜୀବନ କାଳ ମଧ୍ୟରେ ସେ ସମଗ୍ର ବିଶ୍ୱ କୁ ନିଜର କର୍ମ ତଥା ବାଣୀରେ ଉତ୍ସାହିତ କରି ପାରିଛନ୍ତି।ମହାତ୍ମା ଙ୍କ ମୃତ୍ୟୁ ର ୭୨ବର୍ଷ ପରେ ମଧ୍ୟ ତାଙ୍କର ବିଚାର ,ଦୃଷ୍ଟିଭଙ୍ଗୀ,ଶିକ୍ଷାଓ ପୁସ୍ତକ ସମଗ୍ର ବିଶ୍ବକୁ ପ୍ରେରଣା ଯୋଗାଇ ଆସୁଛି।
ଆଜିର ଏକବିଂଶ ଶତାବ୍ଦୀରେ ମଧ୍ୟ ଗାନ୍ଧୀଙ୍କ ଶିକ୍ଷା, ନୀତି, ଆଦର୍ଶର ର ଅନେକ ପ୍ରାସଙ୍ଗିକ ତା ଅଛି।ମହାତ୍ମା ଙ୍କ ଵ୍ୟକ୍ତିତ୍ଵ ର ଅନେକ ଦିଗ ଅଛି। ସେ ଏକାଧାରରେ ସମଗ୍ର ବିଶ୍ୱ ର ଏକ ଅଗ୍ରଗଣ୍ୟ ନେତା,ଵିନା ଅସ୍ତ୍ର ଧାରୀ ସୈନିକ, ଭୟଶୂନ୍ୟ ଯୋଦ୍ଧା, ଦାର୍ଶନିକ, ନିଜ ଜୀବନର ସମସ୍ତ ସୁଖକୁ ଜଳାଞ୍ଜଳି ଦେଇ ଜଣେ ସନ୍ୟାସୀ ଓ ସତ୍ୟ ର ପୂଜାରୀ ହୋଇ କଣ୍ଟକ ମୟ ପଥରେ ପଥଚାରୀ ହୋଇଥିଲେ।।


ମହାତ୍ମା ଙ୍କ ପ୍ରତ୍ୟେକ ବାକ୍ଯ ରେ ଦେଶ ତଥା ଜାତି ପାଇଁ ପ୍ରେରଣା ଭରି ରହିଥାଏ।ଏକଦା ସନ୍ୟାସୀ ସତ୍ୟଦେବ ସାଵରମତୀ ଆଶ୍ରମ ବୁଲିବାକୁ ଆସିଥିଲେ।ଆଶ୍ରମ ର ଶାନ୍ତ ପରିବେଶ ସେ ଵିଶେଷ ପ୍ରଭାବିତ ହୋଇ ନିଜର ଅଵଶିଷ୍ଟ ଜୀବନ ସେଠାରେ ଵିତାଇବାକୁ ମହାତ୍ମା କୁ କହିଲେ।ମହାତ୍ମା ହସି ହସି ଧୀର ଭାବରେ କହିଲେ”ସ୍ବାମୀଜୀ ଆପଣ ମାନଙ୍କ ପରି ଲୋକମାନଙ୍କ ପାଇଁ ତ ଏ ଆଶ୍ରମ, କିନ୍ତୁ ଆପଣଙ୍କୁ ଏକ ସର୍ତ ମାନିବାକୁ ପଡିବ”।ସ୍ଵାମୀଜୀ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ।ଗାନ୍ଧିଜୀ ତାଙ୍କୁ କହିଲେ”ଆପଣ ଏଠି ରହିଲେ।ଆପଣଙ୍କୁ ଏ ଗୈରିକ ଵସ୍ତ୍ର ପରିତ୍ୟାଗ କରି ଅନ୍ତେବାସୀ ମାନେ ଯେଉଁ ଵସ୍ତ୍ର ପରିଧାନ କରୁଛନ୍ତି, ସେହି ଵସ୍ତ୍ର ପରିଧାନ କରିବେ। ସ୍ଵାମୀଜୀ ଙ୍କ ମନରେ ଦ୍ଵିଧା।ସେ କଣ କରିବେ ।ଗାନ୍ଧିଜୀ ସଙ୍ଗେ ସଙ୍ଗେ କହିଲେ”ଦ୍ବିଧା କାହିଁକି?ମୁଁ ଆପଣଙ୍କୁ ସନ୍ୟାସୀ ହେବାରୁ ନିବୃତ୍ତ କରୁନାହିଁ।ସନ୍ୟାସୀ ହେବା ଏକ ପ୍ରକାର ମାନସିକ ସ୍ଥିତି।ତାହା ସହିତ ଏ ବସ୍ତ୍ର ର କୌଣସି ସମ୍ପର୍କ ନାହିଁ।ଆପଣ ଯଦି ଏ ଵସ୍ତ୍ର ପରିଧାନ କରିବେ,ଏଠାକାର ଅନ୍ତେବାସୀ ଆପଣଙ୍କୁ ସମ୍ମାନ ଦେଇ ଆଶ୍ରମ ର କୌଣସି କାର୍ଯ୍ୟ କରିବାକୁ ଦେବେନାହିଁ।ଯାହାକି ଆଶ୍ରମ ର ନିୟମ ବିରୁଦ୍ଧ। ଆମେ ଏଠାରେ ସେବା ଦେଵା ପାଇଁ ଅଛୁ, ସେବା ନେଵା ପାଇଁ ନୁହେଁ।”ଏତିକି କଥାରେ ସ୍ବାମୀଜୀଙ୍କ ମନରୁ ଦ୍ବିଧା ଅପସରି ଗଲା ।ନିଜର ଗୈରିକ ଵସ୍ତ୍ର ପରିତ୍ୟାଗ କରି ଆଶ୍ରମରେ ଜଣେ ସାଧାରଣ ଅନ୍ତେବାସୀ ହୋଇଯାଇଥିଲେ।

ଏହି କଥାଟିରୁ ଆଜିର ଯୁବପିଢି ଙ୍କୁ ଅନେକ ପ୍ରେରଣା ମିଳିବ ।ବିଳାସର ଚାକଚକ୍ୟ ମଧ୍ୟରେ ଯୁବପିଢି ଆଜି ଅନ୍ଧ ଗଳୀ ର ଯାତ୍ରୀ ହୋଇ ଅବସାଦ ଗ୍ରସ୍ତ ହେଉଛନ୍ତି।ସେମାନେ ନିଜକୁ ଏହି ସ୍ୱାର୍ଥପର ଦୁନିଆରେ ହଯାଇଦେଇ ନିଜ ଜୀବନ ର ମୂଲ୍ୟ ବୁଝିପାରୁ ନାହାଁନ୍ତି। ନିଜ ମନର ଚଞ୍ଚଳତା ତାଙ୍କୁ ଦ୍ୱିଧା ଗ୍ରସ୍ତ କରିଛି। ଯଦି ସେମାନେ ଦେଶର ଅବହେଳିତ ,ନିଷ୍ପେସିତ ଲୋକମାନଙ୍କ ସେବା କରନ୍ତି ତେବେ ସେମାନଙ୍କ ଜୀବନ ଚରିତାର୍ଥ ହୋଇପାରନ୍ତା।

“ଅନ୍ୟମାନଙ୍କ ସେବାର ନିଜକୁ ଖୋଜି ପାଇବା ଓ ହଜାଇ ଦେବା ହିଁ ପ୍ରକୃତ ସେବା”….. ମହାତ୍ମାଗାନ୍ଧୀ

ସୁଚିତ୍ରା ମିଶ୍ର