ପିଲାଟି ଦିନରୁ ସିଲଭର ସ୍କ୍ରିନ୍ ପ୍ରତି ଥିଲା ତାଙ୍କର ଗୋଟେ ଅଲଗା ମୋହ । ମନରେ ଅଭିନୟ ପ୍ରତି ଦୁର୍ବଳତା । ଆଖିରେ ଅସୁମାରୀ ସ୍ୱପ୍ନ । ଆଉ ସେହି ସ୍ୱପ୍ନକୁ ସତ କରିବା ପାଇଁ ଦନିରାତି ଏକ୍ କରି ଦେଇଥିଲେ ସେ । ଶେଷରେ ବଲିଉଡ୍ ର ବିଶାଳ ଚଉହଦିରେ ଜମି ଯାଇଥିଲା ତାଙ୍କ ପାଦ । ଏମିତି ଜଣେ ଯୁବ ପ୍ରତିଭା ହେଉଛନ୍ତି ଓଡିଆ ଝିଅ ସୋନାଲି ମହାନ୍ତି । ୨୦୧୬ ମସିହାରେ ମାୟାନଗରୀ ମୁମ୍ବାଇରେ ପାଦ ଥାପିଥିବା ସୋନାଲି ଆଜି ଅନେକ ଆଡ ଫିଲ୍ମ, ଡିଜିଟାଲ ଆଡ, ସର୍ଟ ଫିଲ୍ମ ପ୍ରଭୃତିରେ ଅଭିନୟ କରି ନିଜ ଭିତରେ ଥିବା ଅଭିନୟ ପାରଦର୍ଶିତା ପ୍ରତିପାଦନ କରି ପାରିଛନ୍ତି । ଯାଜପୁର ଜିଲ୍ଲାର ଗୋଟେ ଛୋଟିଆ ଗାଁ ନାନପୁର ରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଯେତିକି ସଂଘର୍ଷମୟ ସେତିକି ରୋମାଚଂପୂର୍ଣ୍ଣ । ବାପା ନନ୍ଦ କିଶୋର ଓ ମା ସଲିଳା ମହାନ୍ତିଙ୍କ ଅଲିଅଳି ଝିଅ ସୋନାଲି ପାଇଁ କେବେ ଅପହଁଚ ଥିବା ସ୍ୱପ୍ନର ବଲିଉଡ ଆଜି ନିହାତି ପରିଚିତ ଓ ଆପଣାର । ମାତ୍ର ୨୨ ବର୍ଷ ବୟସରେ ଆରମ୍ଭ ହୋଇଥିଲା ତାଙ୍କର ବଲିଉଡ ଯାତ୍ରା ।

ଏକ ଅପରିତ ସହରରେ ନିଜ ଠିକଣା ଖୋଜିଲା ବେଳେ ନିଜ ସ୍ୱପ୍ନ ପୂରଣ କରିବାର ଝୁଙ୍କ୍ ତାଙ୍କୁ ଅନେକ କିଛି ସିଖାଇ ଦେଇଥିଲା । ଧିରେ ଧିରେ ସେ ନିଜ ଲକ୍ଷ ପଥରେ ଅଗ୍ରସର ହେବାରେ ଲାଗିଥିଲେ । ବିଭିନ୍ନ ଡ୍ର୍ରାମା କମ୍ପାନୀ ଏବଂ ଥିଏଟର ଗ୍ରୁପ ସହ ଯୋଗାଯୋଗ ବଢିଲା । ୟା ଭିତରେ ଅନେକ ନାଟକରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଲେ ସେ । ନିଖୁଣ ଅଭିନୟ, କର୍ମନିଷ୍ଠା, ସମୟାନୁବର୍ତିତା ଏବଂ ସରଳ ସ୍ୱଭାବ ପାଇଁ ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢି ଚାଲିଲେ ସେ । ଆଜି ମାୟାନଗରୀ ମୁମ୍ବାଇର ଥିଏଟର ୱାର୍ଲ୍ଡରେ ସୋନାଲି ଏକ ପରିଚିତ ନାମ । ବିଗତ ୪ ବର୍ଷ ଭିତରେ ସୋନାଲି ଆନେକ ଟିଭି ବିଜ୍ଞାପନ, ସମ୍ବାଦପତ୍ର ବିଜ୍ଞାପନ, ଆୱାର୍ଡ ୱିନିଙ୍ଗ୍ ସର୍ଟ ଫିଲ୍ମ, ସରିଏଲ୍, ଆର୍ଟ ଏକ୍ସପେରିମେଟାଂଲ ଫିଲ୍ମ, ଆର୍ଟ ଫିଚର ଫିଲ୍ମ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର ବିଜ୍ଞାପନ ରେ କାର୍ଯ୍ୟ କରି ସାରିଛନ୍ତି । ୟା ଭିତରେ ଅନେକ ଆର୍ନ୍ତଜାତୀୟ ବ୍ରାଣ୍ଡ ପାଇଁ ସେ ବିଜ୍ଞାପନ ମଧ୍ୟ କରିଛନ୍ତି ।

ବଲିଉଡ୍ ଅଭିନ୍ରେତୀ କରିନା କପୁରଙ୍କ ସହ ତାଙ୍କର ବିଜ୍ଞାପନ ତାଙ୍କ ଅଭିନୟ ଜୀବନର ଅନ୍ୟତମ ଶ୍ରେଷ୍ଠ ଅନୁଭବ । ମଂଚ ନାଟକ ‘ପ୍ୟାର କା ପାମ୍ପଡ’ରେ ସୋନାଲିଙ୍କ କ୍ୟାମିଓ କମେଡି ତାଙ୍କ ନିଖୁଣ ଅଭିନୟର ପରିଚୟ ଦିଏ । ଏହା ବ୍ୟତୀତ ଅନେକ ସର୍ଟ ଫିଲ୍ମ ଏବଂ ଥିଏଟର ନାଟକରେ କ୍ୟାମିଓ କମେଡିଆନ୍ ଭାବେ ତାଙ୍କ ଜୀବନ୍ତ ଅଭିନୟ ସୋନାଲିଙ୍କୁ ଭିଡ ଭିତରୁ ଅଲଗା କରି ଛିଡା କରିଦେଇଛି । ଜୀବନରେ ଯେତେ ବାଧା ଆସୁ ପଛେ, ପରିବେଶ ପରିସ୍ଥିତି ପ୍ରତିକୂଳ ହେଉ ପଛେ ଦୃଢ ଇଛାଶକ୍ତି ଆଗରେ ସବୁ ଫିକା ପଡିଯାଏ ତାହା ପ୍ରମାଣ କରି ଦେଖାଇଛନ୍ତି ସେ । ମୁହଁରେ ରଙ୍ଗ ଲାଗିଯିବା ପରେ କେମିତି ଚରିତ୍ର ଭିତରକୁ ଓହ୍ଲାଇ ପଡେ କଳାକାର ତାହା ସୋନାଲିଙ୍କ ଅଭିନୟ ପ୍ରମାଣିତ କରି ପାରିଛି । ପ୍ରତିଷ୍ଠା ଅଥବା ପରିଚୟ ପାଇବା ପାଇଁ ନୁହେଁ ବରଂ ଅଭିନୟରେ କିଛି ନୂଆ କରି ଦେଖାଇବା ହିଁ ତାଙ୍କ ଲକ୍ଷ୍ୟ । ଚିରାଚରିତ ଶଗଡ ଗୁଳାରୁ ବାହାରି ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ରାସ୍ତା ତିଆରି କରିବାରେ ସେ ବିଶ୍ୱାସ କରନ୍ତି । ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରିଲେ ସୋନାଲି କହନ୍ତି, “ଦର୍ଶକ କେବଳ ପ୍ରେମ ରୋମାନ୍ସ ଓ ଆକ୍ସନ୍ ମୁଭିର ପସନ୍ଦ କରନ୍ତି ତାହା ନୁହେଁ ବରଂ ଆର୍ଟ ଫିଲ୍ମର ବି ସ୍ୱତନ୍ତ୍ର ଦର୍ଶକ ରହିଛନ୍ତି । ସେମାନଙ୍କ ପାଇଁ ସ୍ୱଳ୍ପ ସାଧାନରେ ଏବଂ କମ୍ ଖର୍ଚରେ ଉନ୍ନତମାନର ଫିଲ୍ମ କରିବା ମୋର ଲକ୍ଷ୍ୟ । ସେହି ସବୁ ଫିଲ୍ମ କୁ ଆନ୍ତାର୍ଜତୀୟ ସ୍ତରରେ ଛିଡା କରିବା ମୋ ଜୀବନର ସ୍ୱପ୍ନ” ।
ମାତୃଦତ ମହାନ୍ତି