ପରିବର୍ତ୍ତନଶୀଳ ଆଧୁନିକ ସମାଜରେ ମଣିଷ ସଦାବେଳେ ଅନ୍ୟମାନଙ୍କ ଠାରୁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାଏ। ସେଥିପାଇଁ ସେ ସଦାସର୍ବଦା ଗବେଷଣାରତ ଥାଏ। ମଣିଷର ଖାଦ୍ୟ ପେୟରେ ପରିବର୍ତ୍ତନ ସହ ରୁଚିରେ ପରିବର୍ତ୍ତନ ହେଲାଣି। ସେହିପରି ଦେଖିବାକୁ ଗଲେ ବେଶପୋଷାକରେ ବି ଅନେକ ପରିବର୍ତ୍ତନ ହେଲାଣି। ପ୍ରତ୍ୟେକ ଦିନ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଫେସନରେ ଅନୁରୂପକ ପରିବର୍ତ୍ତନ ଦେଖିବାକୁ ମିଳିଲାଣି। ଏହାକୁ ତାଳଦେଇ ଆଧୁନିକ ସମାଜ ସଦାବେଳେ ତତ୍ପର। ତେଣୁ ଅନେକ ସ୍ଥାନରେ ଏହାର ଚାହିଦା ପୁରଣ ପାଇଁ ଆଞ୍ଚଳିକ ସ୍ତରରେ ନିଜ ଫେସନ ମୁତାବକ ବସ୍ତ୍ର ଯୋଗାଇ ଦେବାପାଇଁ ନିଜସ୍ବ ଆଧୁନିକ ଜ୍ଞାନ କୈଶଳ ଭିତ୍ତିକ ସିଲାଇ ସଂସ୍ଥା ମାନ ଗଢିଉଠିଲାଣି। ଯାହାକୁ ଆଧୁନିକ ଭାଷାରେ ବୁଟିକ୍ କୁହାଯାଏ। ଏହା କ୍ଷୁଦ୍ର ଶୀଳ୍ପ ଉଦ୍ୟୋଗ ଭାବରେ ମାନ୍ୟତା ପ୍ରାପ୍ତ କରିଛି।
ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥା ବିଭିନ୍ନ ପ୍ରକାରର ପୋଷାକ ସବୁ ତିଆରି କରୁଛନ୍ତି। ସେଥିପାଇଁ ସହରରେ ଅନେକ ଗୁଡ଼ିଏ ବୁଟିକ୍ ଖୋଲିଲାଣି। ଲୋକ ମାନଙ୍କର ଚାହିଦା ମୁତାବକ ପୋଷାକ ତିଆରି କରି ତାଙ୍କୁ ସୁଲଭ ମୂଲ୍ୟରେ ଦେଉଛନ୍ତି। ବୁଟିକ୍ ମାନଙ୍କରେ ଖାଲି ଅର୍ଡର୍ ନେଇ ପୋଷାକ ତିଆରି କରୁନାହାନ୍ତି ବରଂ ତାଙ୍କ ତିଆରି ଡ୍ରେସ୍ ର ଚାହିଦା କିପରି ଦେଶ ବିଦେଶରେ ପହଞ୍ଚି ପାରିବ ସେଥିପ୍ରତି ସେମାନେ ଯତ୍ନବାନ ହେଉଛନ୍ତି। ଏହାର ପ୍ରଚାର ଏବଂ ପ୍ରସାର ଲାଭ ପାଇଁ ମଝିରେ ମଝିରେ ଫାସନ ସୋର ଆୟୋଜନ କରୁଛନ୍ତି।
ଦୀର୍ଘ ୨୦ ବର୍ଷ ହେବ ଭୁବନେଶ୍ୱରର ନୁଆପଲ୍ଲୀ ଅଞ୍ଚଳରେ ଚୈ।ଧୁରୀ ଜ୍ୟୋସ୍ନା ଦାସ ଏକ ବୁଟିକ୍ ଖୋଲି ତାଙ୍କର ବ୍ୟବସାୟ ଚଳାଇଛନ୍ତି। ଯାହା ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଅଟେ। ସେ ଏକ ନୂତନ ଶୈଳୀରେ ତାଙ୍କ ପୋଷାକ ପ୍ରସ୍ତୁତ କରନ୍ତି। ସେହି ଭିନ୍ନତା ପାଇଁ ସେ ଆଜି ବେଶ୍ ପରିଚିତ ହୋଇପାରିଛନ୍ତି। ତାଙ୍କ ପୋଷାକରେ ଖଦି,ସମ୍ବଲପୁରୀ ହସ୍ତତନ୍ତ୍ରର କପଡା ସହିତ ବାନ୍ଧକାମ ଏବଂ ଟସରକୁ ମିଶ୍ରଣ କରି ଏକ ନୂତନ ପ୍ରଣାଳୀରେ ସୈ।ଖୀନ୍ ବସ୍ତ୍ର ପ୍ରସ୍ତୁତ କରନ୍ତି। ଏବଂ ତତ୍ ସହିତ ସେହି କପଡା ଉପରେ ପଟ୍ଟ ଚିତ୍ରକୁ ସ୍ଥାପିତ କରି ଆହୁରି ଆକର୍ଷଣୀୟ ରୂପ ପ୍ରଦାନ କରିଛନ୍ତି। ଯାହା ଆଜି ସ୍ବତନ୍ତ୍ର ମାନ୍ୟତା ହାସଲ କରିବାରେ ସଫଳ ହୋଇପାରିଛି।ବଜାରରେ ତାର ଚାହିଦା ବେଶୀ। ବାହାଘର କିମ୍ବା କୌଣସି ଉତ୍ସବ କି ପର୍ବ ପର୍ବାଣୀରେ ସେହି ଉପଯୋଗି ସ୍ବତନ୍ତ୍ର ଧରଣର ପୋଷାକ ତିଆରି କରନ୍ତି। ଯାହାକି ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଧରଣର। ଧିରେଧିରେ ଲୋକମାନଙ୍କ ମଧ୍ୟରେ ତାହା ଲୁପ୍ତ ହେବାକୁ ଯାଉଥିବା ବେଳେ ସେ ସୁତା ଏବଂ ଟସର କପଡାକୁ ମିଶ୍ରଣ କରି ଏକ ସ୍ବତନ୍ତ୍ର ଧରଣର ପୋଷାକ ପ୍ରସ୍ତୁତ କରନ୍ତି ଯାହା ବର୍ତ୍ତମାନର ଯୁବପିଢୀ ଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିପାରିଛି। ମୁଖ୍ୟ କଥା ହେଲା ଓଡ଼ିଶାର ଖଦୀ ହସ୍ତବୁଣା କପଡା ଏବଂ ଟସର କପଡାକୁ ଲୋକମାନଙ୍କ ପାଖରେ ପରିଚିତ କରିବା ପାଇଁ ତାଙ୍କର ଏହା ଏକ ଛୋଟ ପ୍ରୟାସ। ରାଜ୍ୟରେ ହସ୍ତତନ୍ତ ସୁତା ବସ୍ତ୍ରର ଚାହିଦା ଅଧିକ ଥିବାବେଳେ ବିଦେଶରେ ଟସର ବସ୍ତ୍ରର ଚାହିଦା ଅନେକ ବେଶୀ। ଦେଶ ବିଦେଶରେ ହସ୍ତତନ୍ତ୍ରର କିଭଳି ପ୍ରଚାର ଏବଂ ପ୍ରସାର ଘଟିବ ସେଥିପାଇଁ ସେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କପଡା ଆଣିଥାନ୍ତି। ବରଗଡ଼, ବରପାଲି, ସୋନପୁର ଏବଂ ସମ୍ବଲପୁର ଅଞ୍ଚଳରୁ ସୁତାର କପଡା ଏବଂ ଟସର ପାଇଁ ଯାଜପୁରର ଗୋପାଳପୁର ଏବଂ ନୁଆପାଟଣା ଉପରେ ନିର୍ଭର କରିଥାନ୍ତି। ବିଦେଶରେ ଲୋକମାନଙ୍କର ଚାହିଦା ପୁରଣ ପାଇଁ କୋରିଅରକୁ ମାଧ୍ୟମ କରି ଡ୍ରେସ୍ ପଠାନ୍ତି। ସମୟ ସମୟରେ ସେ ସ୍ଥାନରୁ ଲୋକମାନେ ଓଡ଼ିଶା ଆସୁଥିବା ବେଳେ ସାଙ୍ଗରେ ପୋଷାକ ନେଇକରି ଯାଆନ୍ତି।

ଏଭଳି ଏକ ନିଆରା କାର୍ଯ୍ୟ କରିବା ଦ୍ବାରା ବୁଣାକାର ମାନଙ୍କର ଚାହିଦା ବୃଦ୍ଧି ପାଇଛି। ବର୍ତ୍ତମାନ ପରିସ୍ଥିତିରେ କରୋନାର ଭୟାବହତା ଦୃଷ୍ଟିରୁ ବୁଣାକାର ମାନଙ୍କର ଚାହିଦା ମୁତାବକ ବିକ୍ରିବଟା ହୋଇପାରୁ ନାହିଁ। ସେଥିପାଇଁ ସେମାନେ ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏ ଦୁର୍ଦ୍ଦିନରେ ସେମାନଙ୍କୁ କିଛିଟା ସାହାଯ୍ୟର ହାତ ବଢ଼ାଇଛନ୍ତି ଜ୍ୟୋସ୍ନା ଦାସ। ଏକ ନିଆରା ପଦକ୍ଷପ ନେଇ ବୁଣାକାର ମାନଙ୍କ ପାଖରୁ ଜିନିଷ ଆଣି ଲୋକଙ୍କୁ ଦେଇ ସେଇ ଅର୍ଥକୁ ସିଧାସଳଖ ବୁଣାକାରମାନଙ୍କ ପାଖକୁ ପଠେଇ ଦେଉଛନ୍ତି। ବର୍ତ୍ତମାନର ଆର୍ଥିକ ସଙ୍କଟରେ ସୁତାର ରେଟ୍ ଅଧିକ ରହୁଥିବାରୁ ବୁଣାକାର ମାନେ ଅର୍ଥବ୍ୟୟ କରିବାକୁ ସମର୍ଥ ହେଉନାହାନ୍ତି। ତାଙ୍କର ଯାହା ଷ୍ଟକ୍ ଥିଲା ସେଇ ଜିନିଷର ବିକ୍ରିବଟା କରୁଛନ୍ତି। ଜ୍ୟୋସ୍ନା ଦାସଙ୍କ ମତରେ ଯଦି ସେଇ ଅଞ୍ଚଳରେ ବୁଣାକାରମାନଙ୍କର ବସ୍ତ୍ରର ବିକ୍ରିବଟା ହୁଅନ୍ତା ଯେପରିକି ଲୁଙ୍ଗି ଗାମୁଛା ଇତ୍ୟାଦି ତା’ହେଲେ ସେମାନେ ଉପକୃତ ହୁଅନ୍ତେ।
ସେହିପରି ଅନ୍ୟଜଣେ ବୁଟିକ୍ ଡିଜାଇନର ହେଲେ ଦୀପାଲି ସାମନ୍ତରାୟ। ସନ୍ତୋଷି ବିହାର କେନାଲ ରୋଡ଼ରେ କ୍ଲିମାଟିକ୍ ଫାସନ୍ ବୁଟିକ୍ ଖୋଲି ତାଙ୍କର ସୃଜନଶୀଳ କଳ୍ପନା ମାଧ୍ୟମରେ ସେ ସୁନ୍ଦର ସୁନ୍ଦର ଡିଜାଇନ୍ ର ପୋଷାକ ତିଆରି କରନ୍ତି। ଓଡ଼ିଶା ବାହାରୁ ସେ ଫେସନ ଡିଜାଇନ୍ ରେ ଶିକ୍ଷା ଲାଭ କରି କିଛିଦିନ ପିଲାଙ୍କୁ ଏହି ବିଷୟରେ କଲେଜରେ ଶିକ୍ଷାଦାନ କରୁଥିଲେ। ସେତିକିରେ ସେ ସନ୍ତୁଷ୍ଟ ନ ହୋଇ ତାଙ୍କ ସୃଜନଶୀଳ ତାର ପରିଚୟ ବୁଟିକ୍ ଖୋଲି ତାରି ମାଧ୍ୟମରେ ପରିପ୍ରକାଶ କଲେ।

ଜଣେ ବୁଟିକ୍ ଖୋଲିବା ପାଇଁ ତା’ର କ’ଣ ଶିକ୍ଷାର ଆବଶ୍ୟକତା ନିହାତି ଆବଶ୍ୟକ। ତାଙ୍କର ମତରେ ଏହା ସମ୍ପୂର୍ଣ୍ଣ ଭାବରେ ନହେଲେ ବି ଆଂଶିକ ଭାବରେ ଠିକ୍। ସେ କୁହନ୍ତି ଯେ ଏହା ସୃଜନଶୀଳ ପ୍ରତିଭା କାହାର କେତେ ଆଇଡ଼ିଆ ଅଛି ପୋଷାକ ତିଆରି କରି ସେଥିରେ କାରୁକାର୍ଯ୍ୟ କରିବା । ଜଣଙ୍କର ଚିନ୍ତାଧାରା ଯେତେ ଗଭୀର ସେ ସେଥିରେ ସେତେ ସୁନ୍ଦର କାରୁକାର୍ଯ୍ୟ ଫୁଟେଇ ପାରିବ। ବିବାହ ଋତୁରେ କେଉଁ ଭଳି ପୋଷାକ ହେବା ଆବଶ୍ୟକ ବର ଏବଂ କନ୍ୟା ପାଇଁ। ପାର୍ଟି ଫଙ୍କସନରେ କିଭଳି ହେବା ଆବଶ୍ୟକ ଏବଂ ପାର୍ବଣ ଋତୁରେ କେଉଁ ଭଳି ହେଲେ ଭଲ ମାନିବ ସେହି ଅନୁସାରେ ସେ ପୋଷାକ ବନାନ୍ତି। ବର୍ଷା ଦିନରେ ସେଲ୍ ଲାଗିଥିବା ଯୋଗୁଁ ବେପାର ଟିକିଏ କମ୍ ହୁଏ ନହେଲେ ଅନ୍ୟ ସବୁ ଋତୁରେ ତାଙ୍କର ଭଲ ବ୍ୟବସାୟ ହୁଏ ।
ହେଲେ ବର୍ତ୍ତମାନ କରୋନା ମହାମାରୀ ରେ ଯେଉଁ ପରିସ୍ଥିତି ଉପୁଜିଛି ବ୍ୟବସାୟ ପୁରାପୁରି ଠପ୍ ହୋଇଯାଇଛି। ବ୍ୟବସାୟକୁ ଚାଲୁ ରଖିବାକୁ ହେଲେ ଗୋଟିଏ ମାଧ୍ୟମ ହେଉଛି ଅନ୍ୟ ଲାଇନ୍ ବିକ୍ରିବଟା କରିବା ଏହାରି ମାଧ୍ୟମରେ ଲୋକମାନଙ୍କ ଠାରୁ ଅଡର୍ ଆଣି ତାଙ୍କ ପସନ୍ଦର ଡିଜାଇନ୍ କରି ତାଙ୍କୁ କୋରିଅର୍ ମାଧ୍ୟମରେ ପଠାଇବା ।
-ବନ୍ଦନା ମିଶ୍ର