ଦୀପାବଳି ପରେ ବଢିଲା ପ୍ରଦୂଷଣ: ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ବାୟୁ ଗୁଣବତ୍ତା ‘ଅତି ଖରାପ’

ଭୁବନେଶ୍ୱର: ଦୀପାବଳି ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତରରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି। ସୋମବାର ଦିନ ଅନେକ ମନିଟରିଂ ଷ୍ଟେସନରେ ‘ଗୁରୁତର’ (Severe) ଏବଂ ‘ଅସ୍ୱାସ୍ଥ୍ୟକର’ (Unhealthy) ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ରେକର୍ଡ କରାଯାଇଛି। ବ୍ୟାପକ ବାଣ ଫୁଟାଇବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ରିଅଲ-ଟାଇମ୍ ଡାଟା ଅନୁଯାୟୀ, କେନ୍ଦୁଝରର ବିଲେଇପଦାଠାରେ ସର୍ବାଧିକ ୨୮୮ AQI ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୨୬୬ ଏବଂ ଭୁବନେଶ୍ୱରରେ ୨୦୭ ରହିଛି। ଏହି ତିନୋଟି ସ୍ଥାନ ‘ଖରାପ’ରୁ ‘ଗୁରୁତର’ ବର୍ଗରେ ରହିଥିଲା।

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ମନିଟରିଂ ଷ୍ଟେସନରେ AQI ୨୪୨ ରେକର୍ଡ କରାଯାଇଛି। ସେହିପରି ପଟିଆ ଅଞ୍ଚଳରେ PM2.5 ସ୍ତର ଯଥେଷ୍ଟ ଅଧିକ ରହିଛି। ଗତ ରାତିରେ ଲିଙ୍ଗରାଜ ଅଞ୍ଚଳରେ PM10 ଏକାଗ୍ରତା ୫୦୦ ଛୁଇଁଥିଲା। ଅନ୍ୟପଟେ କଟକ, ବାରିପଦା, ବାଲେଶ୍ୱର ଏବଂ ବଡ଼ବିଲ ଭଳି ସହରଗୁଡ଼ିକ ‘ମଧ୍ୟମ’ ବର୍ଗରେ ରହିଛି। ଭୁବନେଶ୍ୱରର ଅନ୍ୟ ଅଞ୍ଚଳ ମଧ୍ୟରେ ଏଜେ କଲୋନୀ (୨୧୪), ଜଗମରା (୨୦୫), ହଂସପାଳ (୨୧୦), ବାପୁଜୀ ନଗର (୨୦୮) ଏବଂ ବିଜେବି ନଗର (୨୦୯) ରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ତର ଅଧିକ ରହିଛି।

ରାତିସାରା ବାଣ ଫୁଟିବା କାରଣରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘନ ଧୂଆଁ ଓ କୁହୁଡ଼ି ଘେରି ରହିଥିଲା। ଦୃଶ୍ୟମାନତା (Visibility) ହ୍ରାସ ପାଇବା ସହ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। ଘରର କବାଟ ଝରକା ବନ୍ଦ ଥିବା ସତ୍ତ୍ୱେ ଧୂଆଁ ଭିତରକୁ ପଶୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ୫୦ ରୁ କମ୍ AQI କୁ ‘ଭଲ’ କୁହାଯାଉଥିବା ବେଳେ ୨୦୦ ରୁ ଅଧିକ ସ୍ତର ‘ଖରାପ’ ବୋଲି ବିବେଚନା କରାଯାଏ। ଏହା ଶିଶୁ, ବୃଦ୍ଧ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚେତନତା ସତ୍ତ୍ୱେ ପ୍ରଦୂଷଣ ସ୍ତରରେ ଏଭଳି ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି।