ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବ୍ରଜ ମୋହନ ରାମଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ବିକାଶ ତଥା ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ନୂଆ ରାଜ୍ୟପାଳଙ୍କ ମାର୍ଗଦର୍ଶନ ଏବଂ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ନିଜର ଏକ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମାଝୀ ଉଲ୍ଲେଖ କରିଛନ୍ତି ଯେ, ଏକ ସମୃଦ୍ଧ, ଅନ୍ତର୍ଭୁକ୍ତ ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ସାମୂହିକ ପ୍ରୟାସରେ ନୂତନ ରାଜ୍ୟପାଳଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜଭବନରେ ଶ୍ରୀ ରାମଙ୍କ କାର୍ଯ୍ୟକାଳ ଓଡ଼ିଶାବାସୀଙ୍କ ଆକାଂକ୍ଷା ଏବଂ ସେବା ମନୋଭାବକୁ ଅଧିକ ସୁଦୃଢ଼ କରିବ। ତାଙ୍କର ସଫଳ ଏବଂ ଉଲ୍ଲେଖନୀୟ କାର୍ଯ୍ୟକାଳ ପାଇଁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଛଅଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପତିଙ୍କ ସ୍ଥାନ ନେବେ, ଯିଏକି ଜାନୁଆରୀ ୨୦୨୫ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା ଏବଂ ପାଲାମୁ ଲୋକସଭା ଆସନରୁ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ୬୮ ବର୍ଷୀୟ ଶ୍ରୀ ରାମଙ୍କ ଅଭିଜ୍ଞତା ରାଜ୍ୟ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।