ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ବେଆଇନ କାରବାର ଦିନକୁ ଦିନ ଚିନ୍ତାଜନକ ହେବାରେ ଲାଗିଛି। ରବିବାର ସନ୍ଧ୍ୟାରେ ପୋଲିସ ଏକ ନକଲି ମସଲା କାରଖାନା ଉପରେ ଚଢ଼ାଉ କରି ୩୦ ଟନ୍ରୁ ଅଧିକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଏସଡିପିଓ ପ୍ରିୟୁଷ ରଞ୍ଜନ ଛୋଟରାୟ ଏବଂ ବଡ଼ବଜାର ଥାନା ଅଧିକାରୀ ଆଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଅପରେସନ୍ କରିଥିଲା। ବଡ଼ବଜାର ଥାନା ଅଧୀନସ୍ଥ ଲକ୍ଷ୍ମୀ ନୃସିଂହ ସାହିର ସପ୍ତମ ଲେନ୍ରେ ଥିବା ଏକ କୋଠାରେ ଏହି ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୪ଟି ମିଲିଂ ମେସିନ୍ ଏବଂ ପ୍ରାୟ ୫ଟି ପ୍ୟାକିଂ ମେସିନ୍ ଜବତ କରାଯାଇଛି। ପୋଲିସ କାରଖାନା ପରିସରରୁ ୩୦ ଟନ୍ରୁ ଅଧିକ ପ୍ୟାକେଟ୍ ଏବଂ ଖୋଲା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଅନ୍ୟାନ୍ୟ ଖାଦ୍ୟ ମସଲା ଜବତ କରିଛି। ଏହା ସହିତ ମସଲା ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ମଧ୍ୟ ଜବତ ହୋଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ବାହାରୁ କଞ୍ଚାମାଲ ଆଣି କୋଠା ଭିତରେ ଥିବା ମିଲିଂ ମେସିନ୍ ସାହାଯ୍ୟରେ ପେଷୁଥିଲେ। ଏହାପରେ ପ୍ରସ୍ତୁତ ସାମଗ୍ରୀକୁ ବଜାରରେ ଉପଲବ୍ଧ ଥିବା ନାମୀଦାମୀ ବ୍ରାଣ୍ଡର ନକଲି ରାପରରେ ପ୍ୟାକ୍ କରୁଥିଲେ। ଏହି ନକଲି ସାମଗ୍ରୀ ସ୍ଥାନୀୟ ବଜାରରେ ବିକ୍ରି ହେବା ସହ ଗଞ୍ଜାମ ଜିଲ୍ଲା, ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଏବଂ ରାଜ୍ୟ ବାହାରକୁ ମଧ୍ୟ ଚୋରାରେ ଚାଲାଣ କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଲୋକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି।
ସାମ୍ପ୍ରତିକ ଚଢ଼ାଉ ବ୍ରହ୍ମପୁରରେ ନକଲି ତଥା ଅପମିଶ୍ରିତ ସାମଗ୍ରୀର ନିରନ୍ତର ପ୍ରସ୍ତୁତି ଓ ବିକ୍ରିକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ସହରର ବିଶେଷକରି ବଡ଼ବଜାର ଅଞ୍ଚଳରେ ଏଭଳି ଅନେକ ବେଆଇନ ୟୁନିଟ୍ ଚାଲିଥିବା ଖବର ମିଳୁଛି। ପୂର୍ବରୁ ଏଠାରେ ନକଲି ଟମାଟୋ, ଚିଲି ଏବଂ ସୋୟା ସସ୍, ଅପମିଶ୍ରିତ ଖାଇବା ତେଲ, ଡିଟରଜେଣ୍ଟ ପାଉଡର ଏବଂ ଆଚାର ପ୍ରସ୍ତୁତ ହେଉଥିବା କାରଖାନା ମଧ୍ୟ ଠାବ କରାଯାଇଥିଲା। କିଛି ଦିନ ପୂର୍ବେ ବ୍ରହ୍ମପୁରରେ ଅନୁରୂପ ଏକ ୟୁନିଟ୍ ଠାବ ହୋଇଥିଲା। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ଖାଉଟିମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।