ଆରମ୍ଭ ହୋଇଛି ପିତୃପକ୍ଷ। ପ୍ରତିବର୍ଷ ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ବିନ କୃଷ୍ଣ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅବଧିକୁ ‘ପିତୃପକ୍ଷ’ ବା ଅପରପକ୍ଷ କୁହାଯାଏ। ଏହି ୧୫ ଦିନ ସମ୍ପୂର୍ଣ୍ଣ ପିତୃପୁରୁଷଙ୍କୁ ସମର୍ପିତ। ଲୋକ ବିଶ୍ବାସ ଅନୁଯାୟୀ, ଏହି ସମୟରେ ପୂର୍ବପୁରୁଷଗଣ ପିତୃଲୋକ ତ୍ୟାଗ କରି ନିଜ ନିଜର ଉତ୍ତର ପୁରୁଷଙ୍କ ଘରେ ଅବସ୍ଥାନ କରିଥାନ୍ତି। ଏହିପକ୍ଷରେ ପିତୃପୁରୁଷଙ୍କୁ ତର୍ପଣ ଓ ପିଣ୍ଡଦାନ କରାଯାଏ। ତେବେ ପିତୃପକ୍ଷରେ ଦାନ-ପୁଣ୍ୟର ବିଶେଷ ମହତ୍ତ୍ବ ଅଛି।
ଶାସ୍ତ୍ର କଣ କହେ
ଶାସ୍ତ୍ର ମତେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା। କାରଣ, ଜୀବଦଶାରେ ସେ କେବେ ଅନ୍ନଦାନ କରି ନ ଥିଲେ । ସେଥିପାଇଁ ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ଲାଗି ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା ।
ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃପକ୍ଷ । ପିତୃପକ୍ଷ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ ଯଥା ବାହା, ବ୍ରତ ଆଦି କରିବାକୁ ବାରଣ ରହିଛି। ଶାସ୍ତ୍ର ମତରେ ଏହି ଦିନରେ ଦିବଂଗତ ପୂର୍ବଜମାନେ ସୂକ୍ଷ୍ମ ଶରୀରରେ ପୃଥିବୀକୁ ଆସିଥାନ୍ତି। ସେମାନଙ୍କ ସନ୍ତୁଷ୍ଟି ପାଇଁ ଲୋକମାନେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରିଥାନ୍ତି। ଏହି ପକ୍ଷରେ ପୂର୍ବଜଙ୍କ ଆଶୀର୍ବାଦ ଭିକ୍ଷା କରାଯିବା ସହିତ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରାଯାଇଥାଏ। ସେମାନଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ କରାଯାଏ ଓ ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ। ଏହି ସମୟରେ କୌଣସି ଉତ୍ସବ ପାଳନ କରା ଯାଇ ନ ଥାଏ। ଏହି ସମୟକୁ ଅଶୁଭ ମନେ କରାଯାଇ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଏନି। ପିତୃପକ୍ଷ ସମୟରେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି କ୍ଷୌର ହୁଅନ୍ତି ନାହିଁ। ଅନେକ ସେମାନଙ୍କ ପିତରଙ୍କୁ ଗୟାରେ ପିଣ୍ଡ ଦାନ କରିଥାନ୍ତି।
ବିଶ୍ୱାସ ରହିଛି, ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ସେମାନଙ୍କ ଦାୟାଦଙ୍କ ପାଖକୁ ଆସନ୍ତି ଓ ଆଶୀର୍ବାଦ କରିଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ, ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନ ଆଦି କରନ୍ତି, ସେମାନେ ଅଖଣ୍ଡ ଶାନ୍ତିରେ ଜୀବନ ନିର୍ବାହ କରନ୍ତି। ପିତୃପକ୍ଷ ଅବସରରେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରିକୁ ଲାଗି ଭକ୍ତମାନେ ପିଣ୍ଡଦାନ କରିଥାନ୍ତି। ଶ୍ରୀକ୍ଷେତ୍ରର ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁ ତିଳତର୍ପଣ କରିଥାନ୍ତି। ଭୁବନେଶ୍ବର ବିନ୍ଦୁସାଗର ନିକଟରେ ମଧ୍ୟ ପିତୃପକ୍ଷରେ ଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ପଞ୍ଚତତ୍ତ୍ବର କ’ଣ ରହିଛି ମହତ୍ତ୍ବ
ପିତୃପକ୍ଷରେ ପ୍ରତିଦିନ ତର୍ପଣ ଆଦି କରି ରନ୍ଧାଖାଦ୍ୟକୁ ପ୍ରଥମେ ୪ଜଣ ପ୍ରାଣୀ ଓ ଦେବତାଙ୍କୁ ଅର୍ପଣ କରାଯାଏ। ପିତୃପକ୍ଷରେ ଏହି ଅନ୍ନଦାନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ସହିତ ପଞ୍ଚତତ୍ତ୍ବର ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ। ପିତୃପକ୍ଷରେ ରନ୍ଧା ଯାଇଥିବା ଅନ୍ନରୁ ଅଳ୍ପ ବାହାର କରି ୫ଟି ଭାଗରେ ବିଭକ୍ତ କରାଯାଏ, ଯାହାକୁ ପଞ୍ଚବଳି ମଧ୍ୟ କୁହାଯାଏ। ପଞ୍ଚବଳିକୁ ଗ୍ରହଣ କରୁଥିବା ପଞ୍ଚତତ୍ତ୍ବର ମହତ୍ତ୍ବ ସମ୍ପର୍କରେ ଆସନ୍ତୁ ଜାଣିବା।
ଗାଈ
ପଞ୍ଚତତ୍ତ୍ବ ମଧ୍ୟରୁ ଗୋମାତା ହେଉଛନ୍ତି ପୃଥିବୀ ବା ଭୂମି ତତ୍ତ୍ବର ପ୍ରତୀକ। ସନାତନ ଧର୍ମରେ ମଧ୍ୟ ଗୋମାତା ପୂଜନୀୟା ଓ ପବିତ୍ର। ତେଣୁ ପିତୃପକ୍ଷରେ ରନ୍ଧାଖାଦ୍ୟର ଗୋଟିଏ ଅଂଶ ଗୋମାତାଙ୍କୁ ଦିଆଯାଏ। ଗାଈକୁ ଖାଦ୍ୟ ଦେବା ଦ୍ବାରା ପିତୃପୁରୁଷ ପ୍ରସନ୍ନ ହେବା ସହିତ ଘରର ସୁଖ ସମୃଦ୍ଧି, ଧନ ସମ୍ପତ୍ତି ଆଦି ବୃଦ୍ଧି ହୋଇଥାଏ।
ପିମ୍ପୁଡ଼ି
ପିମ୍ପୁଡ଼ି ହେଉଛନ୍ତି ଅଗ୍ନି ତତ୍ତ୍ବର ପ୍ରତୀକ। ତେଣୁ ପିତୃପକ୍ଷରେ ଅନ୍ନର ଏକ ଛୋଟ ଅଂଶ ପିମ୍ପୁଡ଼ିକୁ ମଧ୍ୟ ଦିଆଯାଏ। କେବଳ ଏହି ପକ୍ଷରେ ନୁହେଁ, ବରଂ ପ୍ରତିଦିନ ପିମ୍ପୁଡ଼ିକୁ ଖାଦ୍ୟ ଦେଲେ ଅନେକ ସମସ୍ୟା ଦୂର ହେବା ସହିତ ସଫଳତା ମିଳିଥାଏ ବୋଲି ମାନ୍ୟତା ରହିଛି।
ଦେବତା
ଉପରୋକ୍ତ ୪ଟି ପ୍ରାଣୀଙ୍କ ସହିତ ରନ୍ଧାଖାଦ୍ୟର ଏକ ଅଂଶ ଦେବତାଙ୍କୁ ଅର୍ପଣ କରାଯାଏ। ଦେବତାଙ୍କୁ ଆକାଶ ତତ୍ତ୍ବର ପ୍ରତୀକ ଭାବେ ବିବେଚନା କରି ଖାଦ୍ୟ ଅର୍ପଣ କରାଯାଏ। ଦେବତାଙ୍କୁ ଅନ୍ନ ଭୋଗ କଲେ ଦେବଦେବୀଙ୍କ ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ସନ୍ତାନମାନେ ସଫଳ ଜୀବନ ସହିତ ଦୀର୍ଘାୟୁ ହୋଇଥାନ୍ତି।
କାଉ
କାଉ ହେଉଛି ବାୟୁ ତତ୍ତ୍ବର ପ୍ରତୀକ। ପିତୃପକ୍ଷରେ କାଉକୁ ଖାଦ୍ୟ ଦିଆଯାଏ। ଏହାକୁ କାକବଳି କୁହାଯାଏ। ଏହାର ଅନେକ ମହତ୍ତ୍ବ ରହିଛି। ଯଦି କାଉ ଅନ୍ନ ଖାଉଛନ୍ତି, ତାହେଲେ ପିତୃପୁରୁଷ ଆମ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ। କାଉ ଖାଦ୍ୟ ଖାଇବାର ଅର୍ଥ ହେଉଛି, ପିତୃପୁରୁଷ ମଧ୍ୟ ଅନ୍ନକୁ ଗ୍ରହଣ କରିଛନ୍ତି।
କୁକୁର
କୁକୁରକୁ ଜଳ ତତ୍ତ୍ବର ପ୍ରତୀକ ବୋଲି କୁହାଯାଏ। ତେଣୁ ପଞ୍ଚତତ୍ତ୍ବ ଭିତରୁ ଜଳ ତତ୍ତ୍ବକୁ ପୂଜାର୍ଚ୍ଚନା କରିବା ସହିତ ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଶ୍ରାଦ୍ଧ ପକ୍ଷରେ କୁକୁରଙ୍କୁ ଖାଦ୍ୟ ଦିଆଯାଏ, ଯାହାକୁ ଶ୍ବାନବଳି କୁହାଯାଏ। ତେଣୁ ପିତୃପକ୍ଷରେ କୁକୁରଙ୍କୁ ଖାଇବାକୁ ଦେବାର ଅନେକ ମହତ୍ତ୍ବ ରହିଛି।
ପିତୃପକ୍ଷରେ ଦାନର ମହତ୍ତ୍ବ
- ପିତୃପକ୍ଷରେ ରୁପା ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ। କୁହାଯାଏ, ରୁପା ଦାନ କରିବା ଦ୍ବାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ ଏବଂ ସେମାନଙ୍କ ଆଶୀର୍ବାଦ ମିଳିଥାଏ।
- ଚାଉଳ, ରାଶି ଦାନ କରିବା ଦ୍ବାରା ଜୀବନର ସମସ୍ୟା ଦୂର ହୋଇଥାଏ।
- ପିତୃପକ୍ଷରେ ଭୂମି ଦାନକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହା ଦ୍ବାରା ପାପ ଓ ପିତୃଦୋଷରୁ ମୁକ୍ତି ମିଳେ।
- ପିତୃପକ୍ଷରେ ଗୁଡ଼ ଦାନ ମଧ୍ୟ ଲାଭକାରୀ। ଗୁଡ଼ ଦାନ ଦ୍ବାରା ପରିବାରରେ ସୁଖ, ସମୃଦ୍ଧି ବୃଦ୍ଧି ପାଏ।
- ପିତୃପକ୍ଷରେ ଗୋ ଦାନ ଦ୍ବାରା କାର୍ଯ୍ୟରେ ବିଘ୍ନ ଦୂର ହୁଏ।