ଉତ୍ତମ ଅଭିନେତା-ଉତ୍ତମ ମଣିଷ:ଝୁରୁଛି ଜନ୍ମମାଟି ଝୁରୁଛନ୍ତି ପ୍ରିୟଜନ

 ଲିଭର୍‌ ସିରୋସିସ୍‌ ସହ ଲଢ଼ି ଶେଷରେ ନିରବି ଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ଭଞ୍ଜମାଟିର କୁନିଆ ଦାଦା (ଉତ୍ତମ ମହାନ୍ତି)। ବାରିପଦା ସହରରୁ ଅଭିନୟର ଖଡ଼ିଛୁଆଁ ହୋଇଥିଲା ତାଙ୍କର। ବାରିପଦାରେ କଟିଥିଲା ପିଲାଦିନ ଓ ଆଦ୍ୟ ଯୁବାବସ୍ଥା। ହେଲେ ଆଜି ସେ ନାହାନ୍ତି ବୋଲି ଗୁମୁରି କାନ୍ଦୁଛି ବାରିପଦା ମାଟି। ସହରର ଯେଉଁ ଗଳିରେ ଘର, ଯେଉଁଠି କଟିଥିଲା ପିଲାଦିନ; ସେଠି ଆଜି ଛାଇଯାଇଛି ନିରବତା। ପିଲାବେଳର ସାଙ୍ଗସାଥୀ, ପରିବାର, ସମ୍ପର୍କୀୟ ସମସ୍ତ ଆଖିରେ କୁନିଆଙ୍କ ପାଇଁ ଲୁହ। କାରଣ ଉତ୍ତମ ଆଉ ଫେରିବେନି…ସେ କେବଳ ସିନେମାରେ ନୁହେଁ ବରଂ ଫ୍ୟାନ୍ସମାନଙ୍କ ମନରେ ମଧ୍ୟ ରାଜ୍ କରୁଥିଲେ । ଲୋକମାନେ ମଧ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଫିଲ୍ମକୁ ଦେଖିବାକୁ ବହୁତ୍ ଭଲ ପାଉଥିଲେ । ହେଲେ ଦୁଖଃର ବିଷୟ ଯେ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି ।

ସେ ଥିଲେ ଓଲିଉଡ଼ର ‘ଦଣ୍ଡାବାଳୁଙ୍ଗା’, ‘ସରପଞ୍ଚ ବାବୁ ’। ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା । ୭୦ ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ ।୨୩ ଡିସେମ୍ୱର ୧୯୫୮ ରେ ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି । ଅଭିନେତା ଉତ୍ତମ ମହାନ୍ତିଙ୍କର ଫିଲ୍ମ ପାଇଁ ଆଗ୍ରହ ନଥିଲା । ଅଭିମାନରେ ଅଭିନୟ କରିବା ପରେ କିଛିଦିନ ଅଭିନୟରୁ ଦୂରେଇଯାଇଥିଲେ । କିନ୍ତୁ ପରେ ଜିଦରେ ଫେରିଆସିଥିଲେ । ପ୍ରଥମ ଫିଲ୍ମର ସୁଟିଂ ପରେ ସେ ପଢିବା ପାଇଁ କୋଲକାତା ଯାଇଥିଲେ । ସେଠାରେ ଥିବାବେଳେ ଫିଲ୍ମ ନିର୍ଦ୍ଦେଶକ ଧୀର ବିଶ୍ବାଳଙ୍କଠାରୁ ଫିଲ୍ମ ’ଗୌରୀ’ ପାଇଁ ଅଫର ମିଳିଥିଲା । ହେଲେ କ୍ରମେ ଏହି ଫିଲ୍ମ ପାଇଁ ତାଙ୍କ ବଦଳରେ ପ୍ରଶାନ୍ତ ନନ୍ଦଙ୍କୁ ନିଆଯାଇଥିଲା । ଯାହା ଉତ୍ତମଙ୍କୁ ଭାରି ଖରାପ ଲାଗିଥିଲା । ତେଣୁ ସେ ଫିଲ୍ମରେ ନିଜର ସ୍ଥାନ ଜମାଇବାକୁ ଜିଦରେ ନିଷ୍ପତ୍ତି ନେଇଥିଲେ। ଏହାପରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଆରମ୍ଭ ହୁଏ ତାଙ୍କ ଫିଲ୍ମ କ୍ୟାରିୟର । ଦୀର୍ଘ ୪୮ ବର୍ଷ ଧରି ସେ ସିନେ ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ ।

ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକମାନଙ୍କଠାରୁ ଶୁଣିବାକୁ ମିଳିଯେ ସାଧାରଣତଃ ଶୁଟିଂ ବେଳେ ଉପସ୍ଥିତ ଟେକ୍ନିସିଆନମାନଙ୍କୁ କୌଣସି ଅଭିନେତା ଭଲମନ୍ଦ ପଚାରନ୍ତି ନାହିଁ ଅବା ସେମାନଙ୍କ ଖିଆପିଆ କଥା ବୁଝନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ ଉତ୍ତମ ମହାନ୍ତି ଥିଲେ ଭିନ୍ନ। ସେ ଶୁଟିଂ ସେଟ୍‌ରେ କଳାକାରଙ୍କ ସହିତ ଉପସ୍ଥିତ ଟେକ୍ନିସିଆନମାନଙ୍କ ସୁବିଧାଅସୁବିଧା କଥା ପଚାରନ୍ତି ଓ ସେମାନେ ଖାଇଲେଣି ନା ନାହିଁ ସେ କଥା ପଚାରନ୍ତି। ସାଧାରଣତଃ ସେ କେବେ ରାଗନ୍ତି ନାହିଁ। ଯଦି କେବେ ଶୁଟିଂ ସେଟ୍‌ରେ କାହା ଉପରେ ବିରକ୍ତ ହୁଅନ୍ତି, ତା’ହେଲେ ପଛରେ ଆସି ତାଙ୍କୁ ପଚାରନ୍ତି, ରାଗିଗଲ କି। ସେହିପରି ବଡ଼ ଷ୍ଟାର ହୋଇଗଲା ପରେ ମଧ୍ୟ ସେ ଉଭୟ ସିନିୟର ଓ ଜୁନିୟର କଳାକାରଙ୍କୁ ସମ୍ମାନ ଦେଉଥିଲେ।