ଇସ୍ରୋ ଜାରି କଲା ମହାକୁମ୍ଭର ଫଟୋ

ମହାକୁମ୍ଭକୁ ନେଇ ପ୍ରୟାଗରାଜ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ବିଶ୍ବର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ବୁଡ଼ରେ ମୁଖରିତ ହେଉଛି ପବିତ୍ର ଧାମ । ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ ହୋଇଛି ମେଳ । ସାଧନାକୁ ଜୀବନର ଶୃଙ୍ଗାର କରିଥିବା ଅନେକ ବିଚିତ୍ର ବାବାଙ୍କୁ ଏହି ମେଳାରେ ଦେଖିବାକୁ ମିଳୁଛି ।ଏମିତିକି ମହାକୁମ୍ଭରେ ମାଳା ବିକ୍ରି କରୁଥିବା ଯୁବତୀଙ୍କୁ ବି ନେଇ ସାରା ଦେଶ ଚର୍ଚ୍ଚା କରୁଛି । ଆସ୍ଥାର ଏ ସଙ୍ଗମସ୍ଥଳକୁ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଯାଇ ବୁଡ଼ ପକାଇ ଆସୁଛନ୍ତି । ଏହାରି ଭିତରେ ବୁଧବାର ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଛି । ପ୍ରୟାଗରାଜର ସଙ୍ଗମ ତଟ ପୂର୍ବରୁ ଅର୍ଥାତ୍ ମହାକୁମ୍ଭ ନହେବା ପୂର୍ବରୁ କେମିତି ଦେଖାଯାଉଥିଲା ଏବଂ ମହାକୁମ୍ଭ ପରେ କେମିତି ଦେଖାଯାଉଛି ଏହାର ୨ ଟି ଫଟୋ ଜାରି କରିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ।

ସାଟେଲାଇଟ୍ ଦ୍ବାରା ନିଆଯାଇଥିବା ଏହି ଫଟୋରେ ପ୍ରୟାଗରାଜର ଶିବାଳୟ ପାର୍କ ମଧ୍ୟ ସାମିଲ୍ ରହିଛି । ଯାହା ୧୨ ଏକର ଜମିରେ ଭାରତର ନକ୍ସା ଭଳି ଦୂରରୁ ଦେଖାଯାଉଛି । ଏହି ପାର୍କ ଏବେ ମହାକୁମ୍ଭର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ଦୁନିଆର ସବୁଠୁ ବଡ଼ ଧାର୍ମିକ ମହୋତ୍ସବ କୁହାଯାଉଥିବା ମହାକୁମ୍ଭମେଳା ପ୍ରତି ୧୨ ବର୍ଷର ଅନ୍ତରାଳରେ ପ୍ରୟାଗରାଜରେ ଆୟୋଜିତ ହୋଇଛି । ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୪୫ ଦିନ ଧରି ଏହି ମେଳା ଆୟୋଜିତ କରାଯାଇଛି । ମହାକୁମ୍ଭ ପାଇଁ ନିର୍ମାଣ ହୋଇଥିବା ଟେଣ୍ଟ ସିଟି ଓ ନଦୀ ଉପରେ ନିର୍ମାଣ ହୋଇଥିବା ଏକାଧିକ ଅସ୍ଥାୟୀ ବ୍ରିଜ୍ ଏହି ଫଟୋରେ ସ୍ପଷ୍ଟ ଦେଖାଯାଉଛି । ଏଥିରେ ଶେଷ ଫଟୋ ୧୦ ଜାନୁଆରୀ ୨୦୨୫ରେ ଉଠାଯାଇଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ମହାକୁମ୍ଭ । ବର୍ତ୍ତମାନ ସୁଦ୍ଧା ୯ କୋଟି ୨୪ ହଜାରରୁ ଅଧିକ ଭକ୍ତ ସଂଗମରେ ବୁଡ଼ ପକାଇସାରିଥିବା ବେଳେ ଆଜି ୩୦ ଲକ୍ଷ ୪୭ ହଜାର ଭକ୍ତ ବୁଡ଼ ପକାଇଛନ୍ତି । ପ୍ରୟାଗରାଜ ମେଳା କ୍ଷେତ୍ରରେ ଭକ୍ତଙ୍କ ପାଇଁ ଦେଢ ଲକ୍ଷ ଟେଣ୍ଟ ନିର୍ମାଣ ହୋଇଛି । ଏହାସହ ୩ ହଜାର ରୋଷେଇ ଘର, ଏକ ଲକ୍ଷ ୪୫ ହଜାର ଶୌଚାଳୟ ଓ ୯୯ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ମହାକୁମ୍ଭ ୪୫ ଦିନ ଧରି ଅର୍ଥାତ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ।