ଭୁବନେଶ୍ୱର: ବଙ୍ଗୋପ ସାଗରରେ ଚଳିତ ମାସ ୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମେ’୨୩ରୁ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଏ ନେଇ ଏସଆରସି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଏବଂ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମେ ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ମେ ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର କରିବ । ମେ ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ।
ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ।