ଚଳନ୍ତା ବସରେ ନିଆଁ ଲାଗି ୯ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ, ୧୫ ଜଣ ଗୁରୁତର

ହରିୟାଣା: ଚଳନ୍ତା ବସରେ ନିଆଁ ଲାଗି ୯ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ । ହରିୟାଣା ନୁହର କୁଣ୍ଡଲି-ମାନେସର-ପଲପଲ ଏକ୍ସପ୍ରେସ ୱେରେଠାରେ ଘଟିଛି ଏପରି ଏକ ବଡ଼ ଦୁର୍ଘଟଣା । ୧୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବୃନ୍ଦାବନରୁ ଫେରୁଥିବା ଚଳନ୍ତା ବସରେ ନିଆଁ ଲାଗିଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ବସ୍‌ ଚାଳକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିବା ବେଳେ ବସ୍‌ଟି ଦ୍ରୁତ ଗତିରେ ଚାଲି ଯାଇଥିଲା। ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ଜାଣିବା ପରେ ଅନେକ ଯାତ୍ରୀ ଝରକା ବାଟ ଦେଇ ତଳକୁ ଡେଇଁ ଜୀବନ ବଞ୍ଚାଇଥିଲେ । ଏହି ଅଗ୍ନିକାଣ୍ଡରେ ୯ଜଣ ଯାତ୍ରୀଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।