ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ସଚିବ ଓ ଘରୋଇ ସହାୟକଙ୍କୁ ବାନ୍ଧିଲା ଇଡି, ଘରୁ ବାହାରିଥିଲା ପୁଳା ପୁଳା ନୋଟ୍

ରାଞ୍ଚି: ଚଢ଼ାଉରେ ବିପୁଳ ଟଙ୍କା ଜବତ ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରିଛି ଇଡି । ଗତକାଲି ଚଢ଼ାଉ ବେଳେ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କ ଘରେ ଟଙ୍କାର ପାହାଡ଼ ଦେଖି ଇଡି‌ ଅଧିକାରୀଙ୍କ ଆଖି ଟେରା ହୋଇଯାଇଥିଲା। ଜାହାଙ୍ଗୀରଙ୍କ ଘରୁ ମୋଟ ୩୨ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ଇଡି।

ସୂତ୍ରରୁ ପ୍ରକାଶ, ରାତି ସାରା ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ନିୟମ ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇଛି।

ରାଜ୍ୟ ଗ୍ରାମୀଣ ବିକାଶ ବିଭାଗରେ ହୋଇଥିବା ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ ସମ୍ପର୍କରେ ଇଡି ସୋମବାର ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କ ଏକ ଫ୍ଲାଟ ଉପରେ ଚଢ଼ାଉ କରିଥିଲା ।

କେନ୍ଦ୍ରୀୟ ଏଜେନ୍ସି ଜାହାଙ୍ଗୀରଙ୍କ ଫ୍ଲାଟରୁ ୩୨ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ଅନ୍ୟ କେତେକ ରୁମରେ ଖୋଜାଖୋଜି ବେଳେ ୩ କୋଟି ଟଙ୍କା ନଗଦ ଜବତ କରିଥିଲା। ସର୍ବ ମୋଟ ୩୫.୨୩ କୋଟି ଟଙ୍କା ନଗଦ ଜବତ କରାଯାଇଛି।

ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।