ପ୍ରବଳ ବର୍ଷାରେ ଉବୁଟୁବୁ ବ୍ରାଜିଲ; ଭୂସ୍ଖଳନ ଓ ପ୍ରଳୟଙ୍କାରୀ ବନ୍ୟାରେ ୫୬ ମୃତ, ୬୭ ନିଖୋଜ

ବ୍ରାସିଲିଆ: ପ୍ରବଳ ବର୍ଷାରେ ଉବୁଟୁବୁ ବ୍ରାଜିଲ। ଚାରିଆଡେ ଜଳମୟ । ପ୍ରବଳ ବର୍ଷା ଯୋଗୁ ଏଠାରେ ପ୍ରଳୟଙ୍କାରୀ ବନ୍ୟା ଆସିଛି। ଏଥିଯୋଗୁ ପ୍ରାୟ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୬୭ ଜଣ ନିଖୋଜ ଅଛନ୍ତି।

ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା ଓ ଭୁସ୍ଫଳନ ଯୋଗୁ ଭୟଙ୍କର ବନ୍ୟା ସଷ୍ଟି ହୋଇଛି। ଫଳରେ ୭୦ ହଜାରରୁ ଅଧିକ ଲୋକେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ବନ୍ୟା ଯୋଗୁ ବ୍ରାଜିଲର ପୋର୍ଟ ଏଲେଗ୍ରେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି। ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

ସ୍ଥିତିକୁ ଦେଖି ରାଜ୍ୟ ସରକାର ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ସାରା ରାଜ୍ୟରେ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଲୋକଙ୍କୁ ସତର୍କ ହୋଇ ରହିବାକୁ କୁହାଯାଇଛି। ପୋର୍ଟ ଆଲଜ୍ରି ଦେଇ ପ୍ରବାହିତ ଗୁଆଇବା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ବଡ଼ ଚେତାବନୀ ଜାରି କରାଯାଇଛି। ଇତିହାସର ସବୁଠାରୁ ବଡ଼ ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇବା ପାଇଁ ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ର ଗଭର୍ଣ୍ଣର ଏଡୁଆରଡୋ ଲେଇଟି କହିଛନ୍ତି।