ଚାହୁଁ ଚାହୁଁ ୭ ଦିନ ବିତି ଗଲାଣି। ଆଉ ମାତ୍ର ଗୋଟିଏ ଦିନ ବା ଏମିତି ମଧ୍ୟ କହି ହେବ ଗୋଟିଏ ସଂନ୍ଧ୍ୟା। ଆଜି ବାଲିଯାତ୍ରର ଶେଷ ସଂନ୍ଧ୍ୟା ହୋଇଥିବାରୁ ଖଚାଖଚା ଭିଡ ହେବ ବୋଲି ଅନୁମାନ କରାଯାଉଛି। ତେବେ ବାକି ଆଠ ଦିନରେ ଭିଡ ମଧ୍ୟ କମ୍ ନଥିଲା। ସଂନ୍ଧ୍ୟା ଯେତେ ବଢୁଥିଲା, ଭିଡ ମଧ୍ୟ ସେତେ ଅଧିକ ବଢୁଥିଲା। ରାତି କଥା ଛାଡ ଦିନରେ ମଧ୍ୟ ଭିଡ କିଛି କମ୍ ନଥିଲା। କେବଳ ବାଲିଯାତ୍ରା ପଡିଆରେ କାହିଁକି ଯାତରା ପାଇଁ ପୁରା କଟକ ସହରରେ ଭିଡ ହିଁ ଭିଡ। କିନ୍ତୁ ଆଜି ଶେଷ ଦିନ ଓ ରାତିର କଥା ନିଆରା…।
ଲୋକ ଉତ୍ସାହ ଓ ଉତ୍କଣ୍ଠାକୁ ନଜରରେ ରଖାଯାଇ ଆଉ ଗୋଟିଏ ଦିନକୁ ବୃଦ୍ଧି କରାଯାଇଛି। ନହେଲେ ଗତକାଲି ଠାରୁ ଯାତ୍ରା ଶେଷ ହୋଇଥାନ୍ତା। କିଏ ଜାଣିଲା କାଳେ ଆଜି ବି ଲୋକଙ୍କ ଯୋଶକୁ ନଜରରେ ରଖି ପୁଣି ଦିନେ ବଢାଇ ଦିଆଗଲା ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିବେ। ତେବେ ଯାତ୍ରା ଯେଉଁ ଦିନ ସରୁଛି ସରୁ… କିନ୍ତୁ ଆମ କଟକିଆଙ୍କ କ’ଣ ଯାଉଛି। ଆହୁରି ଦୁଇ ଦିନ ଯାତରା ଲାଗି ରହିବ। ବାଲିଯାତ୍ରାର ୮ ଦିନ ଅପେକ୍ଷା ଶେଷ ଦିନ ପରେ ଯେଉଁ ଭିଡ ଲାଗେ ତାହା ଆଖିରେ ନ ଦେଖିଲେ ବିଶ୍ବାସ ହେବନି। ଅସମ୍ଭାଳ ଭିଡ। ଯେମିତି କଟକିଆମାନେ ପୁରା ବର୍ଷଟିଏ ପାଇଁ ଜିନିଷ ପତ୍ର କିଣି ପକାଇବେ। ଦରଦାମରେ ଏଭଳି ବାରଙ୍ଗି ଚାଲିଥିବ ଯେ ଆଖିରେ ନ ଦେଖିଲେ ବିଶ୍ବାସ ହେବନି। ସବୁ ଦିନ ଅପେକ୍ଷା ଏହି ଦିନରେ କମ୍ ଦାମରେ ଜିନିଷ ମିଳିବା ସହିତ ବ୍ୟବସାୟୀମାନଙ୍କର ଭଲ ବେପାର ମଧ୍ୟ ଜମିଥାଏ। ନାଁ କୁ କେବଳ ବଛାବଛି ମାଲ୍, ନହେଲେ କାର୍ଟୁନ୍ ପେଟିରୁ ବାହାରୁ ଥିବ ନୂଆ ନୂଆ ଜିନିଷ। ସେସବୁ କୁ କଟକିଆମାନେ ବୋହିବାରେ ଲାଗିଥିବେ। ତେବେ ଏସବୁ ଥିଲା ଆସନ୍ତା କାଲି ଅନୁଭୂତି ବା ଯାତ୍ରା ଶେଷ ହେବା ପରର ଅନୁଭୂତି। ଚାଲନ୍ତୁ କଥା ହେବା ପୂର୍ବ ୮ ଦିନର ଏବଂ ଆଜିର ଅନୁଭୂତି ବିଷୟରେ….।
ପ୍ରଥମ ଦୁଇ ଭିଡ ଟିକେ କମ୍ ଥିଲା। ସେଥିପାଇଁ ବୁଲିବାର ମଜା ଆସିନଥିଲା। ତା ପର ଦିନ ଥିଲା ବୁଧବାର… ସେ ଦିନର କଥା ଅଲଗା ପ୍ରକାର। ଯଦିଓ ମଙ୍ଗଳବାର ଛାଡଖାଇ ଥିଲା କିନ୍ତୁ କଟକିଆ ବୁଧବାର ଛାଡଖାଇ କରିଥିଲେ। ଘରେ ଘରେ ମଟନ୍, ଚିକେନ୍ ଓ ମାଛ। ଯେଉଁମାନେ ଭଲ ଖାସି ପାଇ ନଥିଲେ, ସେମାନେ ମାଛରେ କାମ ଚଳାଇଥିଲେ। ନିରାମିଷମାନଙ୍କ କଥା ଛାଡ। କିଛି ଲୋକ ଛାଡଖାଇ କରିବାକୁ ସିଧା ବାଲିଯାତ୍ରାରେ ପହଞ୍ଚିଯାଇଥିଲେ। ପୋଡା ମଟନ୍, ପୋଡା ମାଛ, ପୋଡା ଚିକେନ୍, ଚିକେନ୍ ବିରିୟାନି, ଚକୁଳି ଚିକେନ୍, ଚକୁଳି ମଟନ୍, ଚିକେନ୍ ଷ୍ଟିକ୍ ଆଦି ବିଭିନ୍ନ ପ୍ରକାରର ଖାଦ୍ୟରେ କାର୍ତ୍ତିକ ବ୍ରତ ଭାଙ୍ଗିଥିଲେ। ରୋଲ, ଚାଉମିନ୍ ଫାଷ୍ଟଫୁଡ୍ ଅତି ସାଧାରଣ ହୋଇଗଲାଣି। ଝାଲ ମଟର, ଗୁପଚୁପ୍ , ଦହିବରା ଓ ପ୍ରସିଦ୍ଧ ଠୁଙ୍କାପୁରି ଖାଇ ନିରାମିଷ ଲୋକେ ବାଲିଯାତ୍ରାର ମଜା ନେଇଥିଲେ।
ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଫିସ୍ ଆକ୍ବାରିୟମ୍ ଟନେଲ୍ । ଯାହାକୁ ଦେଖିବା ପାଇଁ ଲୋକ ବିକଳ ହୋଇ ଖୋଜୁଥିଲେ। ସମସ୍ତଙ୍କ ପାଟିରେ ଗୋଟିଏ ପ୍ରଶ୍ନ – ଭାଇ ଆକ୍ବାରିୟମ୍ ଟା କେଉଁଠି କି ? ଏ ସବୁ ଶୁଣି ଶୁଣି ମୋତେ ମଧ୍ୟ ଲାଗିଲା ଯେ, ସତରେ କ’ଣ ଏତେ ବଢିଆ ଆକ୍ବାରିୟମ୍ ପଡିଛି ଏଥର ବାଲିଯାତ୍ରା ପଡିଆରେ। ସେଥିରେ ବୋଧେ ବଡ଼ ବଡ଼ ସାର୍କ ଓ ତିମି ଥିବ। ଯେମିତି ବିଦେଶରେ ଫିସ୍ ଟନେଲ ଭିତରେ ଲୋକେ ବୁଲି ମାଛ ଦେଖନ୍ତି, ଯାହାକୁ ଆମେ ଭିଡିଓରେ ଦେଖିଛେ। ଲୋକେ ମାଛ ଦେଖନ୍ତିନି ତ ମାଛ ଲୋକମାନଙ୍କୁ ଦେଖୁଥାଏ। ମାଛ ପୁରା ମୁଣ୍ଡ ଉପରେ, ବାମ ଓ ଡାହଣ କଡ଼ରେ ଲାଞ୍ଜ ପିଟି ଚାଲି ଯାଉଥିବେ। ସତେ ଯେମିତି ସେମାନଙ୍କ ଲାଞ୍ଜ ଆସି ସିଧା ଲୋକମାନଙ୍କ ଦେହରେ ମାଡ ହେବ। କିନ୍ତୁ ସେମିତି କିଛି ହୁଏନି, କାରଣ ସେମାନେ ଟନେଲ ଭିତରେ ଥାଆନ୍ତି। ସେଭଳି କିଛି ଭାବନାକୁ ନେଇ ଆମେ ଚାଲିଲୁ ଫିସ୍ ଆକ୍ବାରିୟମ୍ ଟନେଲ୍ ଦେଖିବା ପାଇଁ.. ହେଲେ ସବୁ ଭାବନା ବୃଥା ହେଲା। ଟନେଟ୍ ଭିତରକୁ ଯିବା ପାଇଁ ଟିକେଟ୍ ଦାମ୍ ଥିଲା ୧୫୦ ଟଙ୍କା ଏବଂ ଲମ୍ବା ଧାଡି ଲାଗିଥିଲା। ଏଣ୍ଟ୍ରି ରେଟ୍ ଏବଂ ଲମ୍ବା ଧାଡି ଦେଖି ଆମେ ଟିକେ ଡରିଗଲୁ ଏବଂ ଅଟକିଗଲୁ। ସେତିକି ବେଳେ ଆମେ ଜାଣିବାକୁ ପାଇଲୁ ଯେ, କୁଆଡେ ମେୟର ଓ ଜିଲ୍ଲାପାଳ ଆସିବେ ଫିତା କାଟିବାକୁ..। ଜିଲା ଓ ପ୍ରଶାସନର ମହିମାମାନଙ୍କ ହାତରେ ଫିତା କଟା ହେଲା ପରେ ଧାଡି ଗଡିବ ବୋଲି ଆୟୋଜକ ଭାଇମାନେ କହିଲେ। ଆମ ପାଖରେ ଏତେ ସମୟ ନଥଲା, ତେଣୁ ସବୁ ଭାବନାକୁ ମନରେ ଚାପି ଆମେ ଆଗକୁ ଚାଲିଲୁ । କିନ୍ତୁ ୪ରୁ ୫ ଦିନ ପରେ ଆମେ ଜାଣିବାକୁ ପାଇଲୁ ଯେ, ସେଥିରେ କୁଆଡେ ତିମି , ସାର୍କ ଓ ଅକ୍ଟୋଫସ୍ ନୁହେଁ ବରଂ କେରାଣ୍ଡି ଗୁଡାକ ପହଁରୁଛନ୍ତି। ଯାହାକୁ ଦେଖିବା ପାଇଁ ଲୋକେ ଦେଢ ଶହ ଟଙ୍କା ଲେଖାଏଁ ଦେଇ ଲାଇନ୍ ରେ ଛିଡା ହେଉଛନ୍ତି। ଯାହା ହେଉ ଭାଗ୍ୟ ଭଲ ଥିଲା ଆମ ଟଙ୍କା ବଞ୍ଚିଗଲା, ଏମିତି କିଛି କଥା ମନକୁ ଆସିଲା।
କିନ୍ତୁ ବାଲିଯାତ୍ରା ଶେଷ ଦିନ ଆଡକୁ ଲୋକଙ୍କ ଠାରେ ସେ ଉତ୍କଣ୍ଠା ନଥିଲା। ନା ସେ ଲାଇନ୍ ଅଛି ନା ଟିକେଟ୍ କାଉଣ୍ଟରରେ ସେଭଳି ଭିଡ ଅଛି ? ସେଠାରେ କାଉ ଚିଲ ମଧ୍ୟ ଉଡୁ ନଥିଲେ। ଉଡିବେ ବା କେମିତି, ଟନେଲ ଭିତରେ ମାଛ ଅଛି, ଗୋଟିଏ ମାଛ ବି ପାଟିରେ ବାଜିବନି ଏକଥା ସେମାନଙ୍କୁ ମଧ୍ୟ ଜଣା। ହଉ ଛାଡନ୍ତୁ ଫିସ୍ ଟନେଲ କଥା ଏବେ ଆମେ ଆଗକୁ ବଢିବା..
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବ୍ୟତୀତ କଟକ ଇନ୍ କଟକ ଗତବର୍ଷରୁ ମୁଖ୍ୟ ଆକର୍ଷଣ ରହିଛି। ତେବେ ପୂର୍ବ ବର୍ଷ ଭଳି ଏଥର ମନ୍ଦିର ଓ ମସଜିତ୍ ଦେଖିବାକୁ ମିଳିଲାନି କିନ୍ତୁ ସଂସ୍କୃତି ଓ ପରମ୍ପରା ଦୃଷ୍ଟିରୁ ସେହି ସ୍ଥାନଟି ଅତି ସୁନ୍ଦର ଓ ଗର୍ବିତ ମନେ ହେଉଥିଲା। ଜଗନ୍ନାଥଙ୍କ ବଡ ପ୍ରତିମୂର୍ତ୍ତି ସହିତ ଅନ୍ୟାନ ଐତିହ୍ୟ ନିକଟରେ ଲୋକମାନେ ସେଲଫି ନେଉଥିଲେ। ପାଲା ଓ ସାତକାଠିଆଙ୍କ ସ୍ବରରେ ପ୍ରକମ୍ପିତ ହୋଇ ଉଠୁଥିଲା ସ୍ଥାନଟି। ମନ ଭିତରୁ ଭାରି ଆଧ୍ୟାତ୍ମିକ ଅନୁଭବ ମଧ୍ୟ ହେଉଥିଲା। ଏସବୁ ଦେଖିଲା ପରେ ମନେ ହେଲା, ଯାହା ହେଉ ଆଜି ବି ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚିଛି, ଲୋକେ ପ୍ରଶଂସା କରୁଛନ୍ତି ଏବଂ ସରକାର ପ୍ରୋତ୍ସାହିତ କରୁଛନ୍ତି।
ଏହା ସହିତ ଗୋପାଳନ, ମତ୍ସ୍ୟଚାଷ, ଛେଳି ଚାଷ ଓ ବିଭିନ୍ନ ପ୍ରଜାତିର କୁକୁଡା ଚାଷ ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଉଥିଲା। ପରିବା ଚାଷ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଥିଲା। ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ବିଷୟରେ ମଧ୍ୟ ପ୍ରଚାରପ୍ରସାର ମଧ୍ୟ କିଛି କମ୍ ନଥିଲା। ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଚେଷ୍ଟା ମୋଟାମୋଟି ଭାବେ ଭଲ ଥିଲା। ତେବେ କଟକ ବାଲିଯାତ୍ରାକୁ ନେଇ ଅନୁଭୂତି ଆହୁରି ଅନେକ ରହିଛି… ସେସବୁ ଶବ୍ଦର ରୂପ ଦେବା ସମ୍ଭବ ନୁହେଁ।