କୁହାଯାଏ, ଇତିହାସର ପୁନରାବୃତ୍ତି ଘଟେ । ଉନବିଂଶ ଶତାବ୍ଦୀର ଏକ ଲଜ୍ଜାଜନକ ନିୟମ ପୁଣି ଦୋହରାଇଛି। ପୁଣି ବିବାଦରେ ମହିଳାଙ୍କ ଛାତି ମାପିବା ନିୟମ। ଯଦିଓ ଏହି ନୂଆ ନିୟମ ହରିୟାଣା ସରକାର ଲାଗୁ କରିବାକୁ ଏବେ ନିର୍ଦେଶ ଦେଇଛନ୍ତି କିନ୍ତୁ ଏହା ନୂଆ ନୁହେଁ। ଅନେକ ବର୍ଷ ପୂର୍ବରୁ ଏହି ନିୟମ ପ୍ରଚଳିତ ଥିଲା। ତାହା ପୁଣି କୌଣସି ନିଯୁକ୍ତି ପାଇଁ ନୁହେଁ, ବରଂ ସମାଜରେ ଚଳିବା ପାଇଁ ମହିଳାଙ୍କ ଛାତି ମାପ ନିଆଯାଉଥିଲା। ଏହି ଲଜ୍ଜାଜନକ ନିୟମର କଳା ଇତିହାସ ରହିଛି। ଯାହା ମହିଳାଙ୍କ ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ବିବେଚନା କରାଯାଏ।
ଉନବିଂଶ ଶତାବ୍ଦୀରେ ଦଳିତ ମହିଳାମାନଙ୍କ ଛାତି ମାପ ନିଆଯାଉଥିଲା ଏବଂ ଆକାର ଅନୁଯାୟୀ ସେମାନଙ୍କ ଠାରୁ ସ୍ତନ୍ୟ କର ମଧ୍ୟ ନିଆଯାଉଥିଲା। ସେମାନଙ୍କୁ ଛାତିରେ କପଡା ପିନ୍ଧିବାର ଅନୁମତି ଦିଆଯାଉନଥିଲା। ଏହାକୁ ଅମାନ୍ୟ କରି ଯିଏ କପଡା ପିନ୍ଧୁଥିଲା, ତାହାକୁ ଛୁରୀ ବା ଖଣ୍ଡାରେ ଚିରି ଦିଆଯାଉଥିଲା ଏବଂ କଠୋର ଦଣ୍ଡ ମଧ୍ୟ ଦିଆଯାଉଥିଲା। ତେବେ ଏହି କୁତ୍ସିତ ପରମ୍ପରାକୁ ଦମନ କରିବା ପାଇଁ ଜଣେ ସ୍ବାଭିମାନୀ ଓ କ୍ରାନ୍ତିକାରୀ ମହିଳାଙ୍କୁ ଜୀବନ ଦେବାକୁ ପଡିଥିଲା। ନାଙ୍ଗେଲି ନାମକ ଜଣେ ମହିଳା ନିଜ ସ୍ତନ କାଟି ନିଜ ଜୀବନ ଦେଇ ଏହି କୁତ୍ସିତ ଓ ଳଜ୍ଜାଜନକ ପ୍ରଥାର ଅନ୍ତ ଘଟାଇଥିଲେ।
ଯଦି ଆମେ ସାମ୍ପ୍ରତିକ ଖବର ଉପରେ ନଜର ପକାଇବା ତେବେ ହରିୟାଣାର ବନ ବିଭାଗ ପକ୍ଷରୁ ରେଞ୍ଜର, ଡେପୁଟି ରେଞ୍ଜର ଏବଂ ଅନ୍ୟାନ୍ୟ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ଏଥିରେ ମହିଳାଙ୍କ ଶାରୀରିକ ପରୀକ୍ଷାରେ ଛାତି ମାପିବା ପାଇଁ ସରକାର ପକ୍ଷରୁ ସର୍ତ୍ତ ରଖାଯାଇଛି।
ଏହି ସର୍ତ୍ତ ଅନୁଯାୟୀ ଆବେଦନକାରୀ ଯୁବତୀ/ ମହିଳାମାନଙ୍କର ଅନଏକ୍ସପେଣ୍ଡେଡ୍ ଚେଷ୍ଟ ୭୪ ସେମି ଏବଂ ଏକ୍ସପେଣ୍ଡେଡ୍ ଚେଷ୍ଟ ୭୯ ସେମି ହେବା ଉଚିତ୍। ସେହିପରି ପୁରୁଷମାନଙ୍କ ପାଇଁ ଅନଏକ୍ସପେଣ୍ଡେଡ୍ ଚେଷ୍ଟ ୭୯ ସେମି ଏବଂ ଏକ୍ସପେଣ୍ଡେଡ୍ ଚେଷ୍ଟ ୮୪ ସେମି ରହିଛି। ତେବେ ଏଠାରେ ବିବାହ ପୁରୁଷ ମାନଙ୍କ ପାଇଁ ନୁହେଁ, ମହିଳାମାନଙ୍କ ପାଇଁ ଦେଖାଯାଇଛି।
ଆବେଦନକାରୀ ପ୍ରାର୍ଥୀ ଏବଂ ଅନେକ ମହିଳା ଅଧିକାରୀ ଏହାକୁ ବିରୋଧ କରି ଅବୈଧ ବୋଲି କହିଛନ୍ତି। ଏଭଳି କୁତ୍ସିତ ନିୟମ ଦ୍ବାରା ମହିଳାମାନେ ଅସହଜ ବା ଅସଞ୍ଜମ ମନେ କରିବେ। କେତେକ ଆବେଦନକାରୀ ପ୍ରାର୍ଥୀମାନେ ମଧ୍ୟ ଏହି ପରୀକ୍ଷାରୁ ଓହରି ଯିବାର ସମ୍ଭାବନା ରହିଛି। ଜଣେ ମହିଳା ଅଧିକାରୀ ଏହି ନିୟମକୁ ବିରୋଧ କରି କହିଛନ୍ତି ଯେ, NDA ଏବଂ CRPF ଭଳି କେନ୍ଦ୍ରସ୍ତରୀୟ ନିଯୁକ୍ତି ପରୀକ୍ଷା ପାଇଁ ଏଭଳି ନିମୟ ଲାଗୁ କରାଯାଉନାହିଁ। ତେବେ ବନବିଭାଗ ପରୀକ୍ଷା ପାଇଁ ଏଭଳି ନିୟମ କାହିଁକି ଲାଗୁ କରାଯାଇଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି। ଏହାକୁ ଯୌନ ଉତ୍ପୀଡନର ଆଖ୍ୟା ଦେଇଛନ୍ତି ଏବଂ ଏହି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ସେହିପରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ “ତୁଗଲାକି ଆଦେଶ” ବୋଲି କହିଛି।
କିନ୍ତୁ ସରକାର ସଫେଇ ଦେଇ କହିଛନ୍ତି ଯେ, ଏହି ନିଯୁକ୍ତି ବ୍ୟବସ୍ଥା ବନସେବା ଗ୍ରୁପ୍ ସି ନିୟମ ୧୯୯୮ ଅନୁଯାୟୀ ଲାଗୁ କରାଯାଉଛି। ମହିଳା ପ୍ରାର୍ଥୀଙ୍କ ଶାରୀରିକ ମାପ ନେବାକୁ କେବଳ ମହିଳା ଡାକ୍ତର ଏବଂ ମହିଳା କର୍ମଚାରୀ ନିୟୋଜିତ ହେବେ।
ମୁଦ୍ଦା ଏହା ନୁହେଁ ଯେ, ମହିଳା କର୍ମଚାରୀ ମାପ ନେବେ ବା ପୁରୁଷ କର୍ମଚାରୀ। ମୁଦ୍ଦା ହେଉଛି ଏହା ଏକ କୁତ୍ସିତ ପରମ୍ପରା ବା ନିୟମ। ଯଦି ଏହାକୁ ଏବେ ଠାରୁ ରୋକା ନ ଯାଏ ତେବେ ତାହା ଭୟଙ୍କର ରୂପ ନେବ। ଏହା ଏକ ଭାଇରସ୍ ଭଳି ସମଗ୍ର ମହିଳା ନିଯୁକ୍ତି କ୍ଷେତ୍ରକୁ ଗ୍ରାସ କରିବ। ଧୀରେ ଧୀରେ ସମସ୍ତ ମହିଳା ନିଯୁକ୍ତି କ୍ଷେତ୍ରରେ ଏହି ନିୟମ କାୟା ବିସ୍ତାର କରିବ। ସରକାରୀ ହେଉ ଅବା ବେସରକାରୀ ସଂସ୍ଥାରେ ଏହି ନିୟମ ଆଳରେ ମହିଳାମାନଙ୍କ ସମ୍ମାନ ହାନି ହେବ ଏବଂ ମହିଳାଙ୍କ ଶରୀରକୁ ଛୁଇଁବାକୁ କେତେକ ଅସାମାଜିକ ବ୍ୟକ୍ତିଙ୍କୁ ସୁଯୋଗ ମିଳବ। ଯଦି ବନ ରକ୍ଷାକରୀ ଅଧିକାରୀ ନିଯୁକ୍ତିରେ ଏଭଳି କୁତ୍ସିତ ନିୟମ ଲାଗୁ ହେବ, ତେବେ ଶହଶହ ବେସରକାରୀ ସଂସ୍ଥାରେ ନିୟୋଜିତ ହେଉଥିବା ମହିଳା ସିକ୍ୟୁରିଟି ଗାର୍ଡଙ୍କ କ୍ଷେତ୍ରରେ କ‘ଣ ଘଟିବ ତାହା ନିଶ୍ଚିତ ଭାବରେ ଅନୁମାନ କରାଯାଉଛି। ଉନବିଂଶ ଶତାବ୍ଦୀ ଭଳି ଏହି ନିୟମ ରୋକିବାକୁ ଯେକିତି କେଉଁ ନାରୀର ଜୀବନ ନ ଯିବ ତାହା କହିବା ଅସମ୍ଭବ।