ଲିଭ୍-ଇନ୍ ରିଲେସନ୍‌ଶିପ୍ ର ନିୟମ ଓ ଏହାର ପ୍ରଭାବ

ଆଧୁନିକ ଯୁଗରେ, ସମ୍ପର୍କରେ ରହିବାର ଧାରା ବଦଳିଯାଇଛି। କାର୍ଯ୍ୟରତ ଯୁବକ ଓ ଯୁବତୀମାନେ ବିବାହ କରିବା ପରିବର୍ତ୍ତେ ଲିଭ୍ ଇନ୍ ରିଲେସନ୍‌ଶିପ୍ ରେ ରହିବାକୁ ପସନ୍ଦ କରୁଛନ୍ତି। ବିନା ବିବାହ ଏକାଠି ରହୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କକୁ ଲିଭ-ଇନ୍ ରିଲେସନ୍‌ଶିପ୍ କୁହାଯାଏ। ଏହା ଯଦିଓ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁନାହିଁ, କିନ୍ତୁ ବଡ ସହରରେ ଏହାର ପ୍ରସାର ଦୃତ ଗତିରେ ଚାଲିଛି। ଏହା ପାଶ୍ଚାତ୍ୟ ଦେଶର ଜୀବନାଶୈଳୀ ହୋଇଥିଲେ ମଧ୍ୟ ଭାରତୀୟମାନେ ଏହାକୁ ଖୁବ୍ ଶୀଘ୍ର ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଜାତି, ଧର୍ମ ଏବଂ ବିବାହରେ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁଁ ଯୁବକ ଓ ଯୁବତୀମାନେ ଲିଭ୍ ଇନ୍ ରିଲେସନ୍‌ଶିପ୍ ରେ ଏକାଠି ରହିବାକୁ ପ୍ରାଥମିକତା ଦେଉଛନ୍ତି।

ଯେତେବେଳେ ସମାଜରେ ଲୋକମାନଙ୍କ ମଧ୍ୟରେ ଏହି ପ୍ରକାରର ଜୀବନଶୈଳୀ ଆରମ୍ଭ ହେଲା, ସେତେବେଳେ ଏହା ଉପରେ ଲଗମ୍ ଦେବା ପାଇଁ ଏକ ବ୍ୟବସ୍ଥିତ ନିୟମ ର ମଧ୍ୟ ଆବଶ୍ୟକ ହେଲା। ତେବେ ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଲାଇଭ୍-ଇନ୍ ରିଲେସନ୍‌ଶିପ୍ , ଏହାର ପ୍ରଭାବ ଏବଂ ଏପର୍ଯ୍ୟନ୍ତ ଭାରତୀୟ ଆଇନ ବିଷୟରେ ବିସ୍ତୃତ ଆଲୋଚନା କରିବା।

ଲିଭ୍ ଇନ୍ ରିଲେସନ୍‌ଶିପ୍ ବସବାସ କରିବା ଯଦିଓ ଅପରାଧ ନୁହେଁ, ତଥାପି ସାମାଜିକ ସ୍ତରରେ ଏହା ସ୍ୱୀକୃତିପ୍ରାପ୍ତ ନୁହେଁ। ଏହା ବିଭିନ୍ନ ଧର୍ମରେ ମଧ୍ୟ ସ୍ୱୀକୃତିପ୍ରାପ୍ତ ନୁହେଁ କିନ୍ତୁ ଭାରତୀୟ ନିୟମ ଏହାକୁ ଅପରାଧ ବୋଲି ବିବେଚନା କରେ ନାହିଁ। ଭାରତୀୟ ଆଇନରେ ଏହା ସମ୍ପୂର୍ଣ୍ଣ ଆଇନଗତ ।

ଲିଭ୍-ଇନ୍ ଉପରେ ଭାରତୀୟ ଆଇନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମ୍ବିଧାନିକ ଆଇନ ପ୍ରଣୟନ ହୋଇନାହିଁ। କିନ୍ତୁ ଘରୋଇ ହିଂସା ଅଧିନିୟମ ୨୦୦୫ର ଧାରା  ୨ (ଏଫ୍) ଅନୁଯାୟୀ ଲିଭ୍ ଇନ୍ ରିଲେସନ୍‌ଶିପ୍ ସମ୍ପୂର୍ଣ୍ଣ ବୈଧ।

ସୁପ୍ରିମକୋର୍ଟ ରାୟ

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଯଦି ଜଣେ ପୁରୁଷ ଏବଂ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଏହାକୁ ବିବାହର ଧାରଣା ଭାବରେ ବିବେଚନା କରାଯିବ। ଯଦି ଏହି ଦମ୍ପତି ବର୍ଷ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ଜୀବନ ବିତାଉଛନ୍ତି, ତେବେ ଏହାକୁ ବିବାହିତ ବୋଲି ଗ୍ରହଣ କରାଯିବ। ଏପରି ପରିସ୍ଥିତିରେ ବିବାହ ହୋଇ ନାହିଁ ବୋଲି ଯଦି ଉଭୟଙ୍କ ମଧ୍ୟରୁ ଜଣେ କେହି ଦାବି କରନ୍ତି ତେବେ ତାଙ୍କୁ ପ୍ରମାଣ କରିବାକୁ ପଡିବ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ଯଦି ଏହି ଦମ୍ପତି ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ସେମାନଙ୍କର ଅବୈଧ ସନ୍ତାନ ମଧ୍ୟ ସେମାନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଏବଂ ପୈତୃକ ସମ୍ପତ୍ତିରେ ମଧ୍ୟ ଅଧିକାର ହେବ।

ଦିଲ୍ଲୀ ହାଇକୋର୍ଟ ରାୟ

୨୦୧୯ ଜୁନ ୧୫ରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହା କହିଥିଲେ ଯେ, ଯଦି ବର୍ଷ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହୁଛନ୍ତି, ତେବେ ଉଭୟ ବିବାହିତ ଏବଂ ମହିଳା ଜଣକ ପତ୍ନୀ ଭାବରେ ରକ୍ଷଣାବେକ୍ଷଣ ଦାବି କରିପାରିବେ।

ବିବାହିତ ବ୍ୟକ୍ତି ଲିଭ୍ ଇନ୍ ରେ ରହିବା ଠିକ୍ ନା ଭୁଲ ? କ’ଣ ରହିଛି ଆଇନଗତ ପ୍ରକ୍ରିୟା

ବିବାହ ଏକ ସାମାଜିକ ଚୁକ୍ତି। ଦୁଇ ପ୍ରାପ୍ତ ବୟସ୍କ ବ୍ୟକ୍ତି ପାରସ୍ପରିକ ସମ୍ମତିରେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଦାମ୍ପତ୍ୟ ଜୀବନରେ ଝଡ ଆସେ। ପରସ୍ପର ମଧ୍ୟରେ ଫାଟ ସୃଷ୍ଟି ହୁଏ ଏବଂ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ଚାହାନ୍ତି। ଭାରତର ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା ଯୋଗୁଁ ଶୀଘ୍ର ନ୍ୟାୟ ମିଳେ ନାହିଁ। କୋର୍ଟରେ ମକଦ୍ଦମା ଚାଲେ ଏବଂ ବିବାହବିଚ୍ଛେଦ ପାଇଁ ଅନେକ ସମୟ ଲାଗେ। ଏହି ସମୟ ମଧ୍ୟରେ ଯଦି କେହି ବିଚାର କରେ ଦ୍ବିତୀୟ ବିବାହ ପାଇଁ ତେବେ ତାହା ଦଣ୍ଡନୀୟ ଅପରାଧ। ପ୍ରଥମପତ୍ନୀ ବଞ୍ଚିଥିଲେ ବା ବିବାହ ବିଚ୍ଛେଦ ହୋଇନଥିଲେ ଦ୍ୱିତୀୟ ବିବାହ ସ୍ୱୀକୃତିପ୍ରାପ୍ତ ନୁହେଁ। ସେହିପରି ଦ୍ବିତୀୟ ବିହାରୁ ଜନ୍ମିତ ଶିଶୁ ମଧ୍ୟ ବୈଧ ନୁହେଁ।

ଏହି ପରିସ୍ଥିତିରେ ସେମାନେ ଲିଭ୍ ଇନ୍ ରିଲେସନଶିପ୍ କୁ ବାଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜଣେ ବିବାହିତ ଥିବାବେଳେ ଅନ୍ୟ ଜଣଙ୍କ ସହ ଲିଭ୍ ଇନ୍ ରେ ରହିପାରିବେ କି?

ବର୍ତ୍ତମାନ ସମୟରେ ଭାରତୀୟ ସମ୍ବିଧାନରେ ଏହାକୁ ନେଇ କୌଣସି ଆଇନ କରାଯାଇ ନାହିଁ, କିନ୍ତୁ ସମୟ ସମୟରେ ଆସୁଥିବା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଭିନ୍ନ ପ୍ରକାରର ବ୍ୟାଖା କରେ।

ବିବାହିତ ରହିବା ଅପରାଧ କି?

ନିକଟରେ ପଞ୍ଜାବ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିବାହିତ ସତ୍ତ୍ୱେ ଲିଭ୍ ଇନ୍ ରେ ରହିବା କୌଣସି ପ୍ରକାରର ଅପରାଧ ନୁହେଁ । ଦୁଇଜଣ ପ୍ରାପ୍ତ ବୟସ୍କ ପରସ୍ପର ସହମତି ଲିଭ୍ ଇନ୍ ରେ ବଞ୍ଚିପାରିବେ। ଏହା ଉପରେ କୌଣସି ଅପରାଧିକ ମାମଲା କରାଯିବ ନାହିଁ କାରଣ ବର୍ତ୍ତମାନ ଭାରତରେ ବ୍ୟଭିଚାରକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। କିନ୍ତୁ ଯଦି ଏମାନେ ବିବାହ କରନ୍ତି, ତେବେ ତାହା ଅପରାଧିକ ମାମଲା ହୋଇପାରେ। ଯଦି ଏପରି ଏକ ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ କୌଣସି ସନ୍ତାନ ଜନ୍ମ ହୁଏ, ତେବେ ସେ ମଧ୍ୟ ପିତାମାତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବ। ଯଦିଓ ଏହି ଶିଶୁର ବୈଧ ସନ୍ତାନ ସହିତ ସମାନ ଅଧିକାର ଅଛି, ତଥାପି ଏହି ଶିଶୁକୁ ଅବୈଧ ସନ୍ତାନ ବୋଲି କୁହାଯିବ।

ଶୋଷଣ କିମ୍ବା ବଳାତ୍କାରର ଅଭିଯୋଗ

ଅଧିକାଂଶ ମାମଲାରେ ଦେଖାଯାଏ ଯେ, ଲିଭ୍-ଇନ୍ ରେ ରହୁଥିବାବେଳେ ବିବାଦ ଦେଖାଯାଏ। ବଳାତ୍କାର ଭଳି ଅନେକ ଥର ଗମ୍ଭୀର ଅଭିଯୋଗ ଆସେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିକଟରେ ଏକ ମାମଲାରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ମହିଳାମାନେ ଲିଭ୍ ଇନ୍‌ ରିଲେସନ୍‌ଶିପ୍‌ ରେ ରହି ବଳାତ୍କାର ଭଳି ଗୁରୁତର ଅଭିଯୋଗ କରନ୍ତି ତେବେ ତାହା ଭିତ୍ତିହୀନ। କାରଣ ଲିଭ୍ ଇନ୍ ରିଲେସନ୍‌ କୁ ଲୁଚା ଛୁପା ନୁହେଁ ସର୍ବସାଧାରଣରେ ଅନୁମିତି ମିଳିଛି। ଏଭଳି ଅଭିଯୋଗ ଗ୍ରହଣୀୟ ନୁହେଁ।

ସମାଜରେ ପ୍ରଭାବ

ଯଦିଓ ଲିଭ୍ ଇନ୍ ରିଲେସନ୍‌ଶିପ୍ କୁ ଆଜିର ଯୁବପିଢୀ  ଅଧିକ ମାତ୍ରାରେ ଗ୍ରହଣ କରୁଛି, କିନ୍ତୁ ଏହାର କୁପ୍ରଭାବ ମଧ୍ୟ ସମାଜ ଉପରେ ପଡିଛୁ। ସାମାଜିକ ବିଶୃଙ୍ଖଳା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଉଚ୍ଚଶିକ୍ଷା ନା ରେ ବାହାରେ ରହୁଥିବା ପିଲାମାନଙ୍କ ପାଇଁ ଏହା ବିପଦରୁ କମ୍ ନୁହେଁ। ଯୌବନର ପାଦ ଦେଶରେ ପହଞ୍ଚି ଏମାନେ ନିଜ ପାଇଁ ସାଥୀଟିଏ ବାଞ୍ଚିଦିଅନ୍ତି ଏବଂ ଲିଭ୍‌ ଇନ୍‌ ରିଲେସନ୍‌ଶିପ୍ ରେ ରହିବାକୁ ଲାଗନ୍ତି ସତ, କିନ୍ତୁ ପରବର୍ତ୍ତୀ ସମୟରେ ଏହା ଏକ ବଡ ଅଘଟଣର ରୂପ ନିଏ। ଯାହାର ପ୍ରତିଛବି ରୂପରେ ପ୍ରତିଦିନ କିଛି ନା କିଛି ଖବର ଆମ ନଜରକୁ ଆସେ।

ଉପସ୍ଥାପିକା – ବୈଜୟନ୍ତୀ ନାୟକ