ଚଳିତ ବର୍ଷ ବଲିଉଡରେ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଚର୍ଚ୍ଚା ସାଉଁଟି ଥିଲେ ନୂଆ କରି ମା’ ହୋଇଥିବା ସୁପରଷ୍ଟାର ଅଭିନେତ୍ରୀମାନେ। ଏମାନେ ମା’ ହେବା ପୂର୍ବରୁ ବର୍ଷ ସାରା ହେଡଲାଇନରେ ରହିଥିଲେ। କେତେବେଳେ ଗର୍ଭଧାରଣର ଫଟୋସୁଟ୍ ତ, ଅନ୍ୟ କେତେବେଳେ ହସ୍ପିଟାଲରେ ସୋନୋଗ୍ରାଫି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଲିଷ୍ଟରେ ବଲିଉଡ୍ର ଅନେକ ନାମୀଦାମୀ ଅଭିନେତ୍ରୀଙ୍କ ନାମ ରହିଛି । ତେବେ ଚାଲନ୍ତୁ ସେସବୁ ଉପରେ ଟିକେ ନଜର ପକାଇବା…

ପ୍ରିୟଙ୍କା ଚୋପ୍ରା
୨୦୨୨ ବର୍ଷ ଆରମ୍ଭରେ ଅର୍ଥାତ୍ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ନିଜର ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଥିଲେ ଯେ, ସେ ସରୋଗେସି ମାଧ୍ୟମରେ ମା‘ ହୋଇପାରିଛନ୍ତି। ନୂଆ ଅତିଥି ରୂପେ ତାଙ୍କ ଘରକୁ ମାଲ୍ତି ମେରି ଜୋନାସ ଚୋପ୍ରା ପାଦ ଥାପିଛନ୍ତି। ତେବେ ଝିଅର ଏହି ନାମକୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।

ହେଜ୍ଲ କିଚ
ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ହାଜେଲ କିଚ ଚଳିତ ବର୍ଷ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। ଉଭୟ ନିଜ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ପୁଅ ହେବା ନେଇ ଖୁସି ଖବର ସେୟାର କରିଥିଲେ। ସେମାନେ ତାଙ୍କ ପୁଅର ନାମ ଓରିଅନ୍ କିଚ୍ ସିଂ ରଖିଛନ୍ତି। ଅନ୍ୟମାନଙ୍କଠୁଁ ଅଲଗା ଏହି ଦମ୍ପତି ପ୍ରାୟତଃ ସୋସିଆଲ ମିଡିଆରେ ନିଜ ଶିଶୁର ଫଟୋ ସେୟାର କରୁଛନ୍ତି।

କାଜଲ ଅଗ୍ରୱାଲ
ବଲିଉଡ ଏବଂ ସାଉଥଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏପ୍ରିଲରେ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। କାଜଲଙ୍କ ସ୍ୱାମୀ ଗୌତମ କିଚଲୁ ଜଣେ ବ୍ୟବସାୟୀ। ନିଜ ପୁଅର ନାମ ନୀଲ କିଚଲୁ ରଖିଛନ୍ତି।

ସୋନମ କପୁର
ଚଳିତ ବର୍ଷ ମାର୍ଚ୍ଚରେ ସୋନମ କପୁର ନିଜର ଗର୍ଭଧାରଣର ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ। ଅଗଷ୍ଟ ୨୦ରେ ସୋନମ କପୁର ଏବଂ ଆନନ୍ଦ ଅହୁଜା, ପୁଅ ଭାୟୁଙ୍କ ପିତାମାତା ହୋଇଥିଲେ। ଗର୍ଭଧାରଣ ଫଟୋସୁଟକୁ ନେଇ ସୋନମ ଚର୍ଚ୍ଚାରେ ରହିଥିଲେ। ଏକ ଧଳା ରଙ୍ଗର ସାମ୍ନା ଖୋଲା ହାଇ ସ୍ଲିଟ୍ ଗାଉନରେ ସୋନମଙ୍କ ଉଲଗ୍ନ ପେଟର ଫଟୋ ଭାଇରାଲ ହୋଇଥିଲା।

ନୟନତାରା
ଦକ୍ଷିଣର ସୁପରଷ୍ଟାର ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଗ୍ରେଶ ଶିବନ ଚଳିତ ବର୍ଷ ଜୁନ୍ରେ ବିବାହ କରିଥିଲେ ଏବଂ ବିବାହର ୪ ମାସ ପରେ ଅକ୍ଟୋବରରେ ସରୋଗେସି ମାଧ୍ୟମରେ ଯାଆଁଳା ଶିଶୁଙ୍କୁ ସ୍ୱାଗତ କରିଥିଲେ। ଦୁହେଁ ଶିଶୁପୁତ୍ର | ନୟନତାରା ଶିଶୁମାନଙ୍କର ନାମ ଉଇରି ଏବଂ ଉଲାଗମ୍ ରଖିଛନ୍ତି।

ଆଲିଆ ଭଟ୍ଟ
ବହୁ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ରଣବୀର-ଆଲିଆ ଏପ୍ରିଲ ୧୪ରେ ବିବାହ କରିଥିଲେ। ଏହା ପରେ ଜୁନରେ ସୋନୋଗ୍ରାଫିର ଚିତ୍ର ପୋଷ୍ଟ କରି ଆଲିଆ ମା ହେବେ ବୋଲି ଖବର ସେୟାର କରିଥିଲେ। ଏହି ଖବର ମଧ୍ୟ ଅନେକ ଚର୍ଚ୍ଚା ସାଉଁଟିଥିଲା। ଆଲିଆ ମଧ୍ୟ ଗର୍ଭଧାରଣ ସମୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନଭେମ୍ବର ୬ରେ ଆଲିଆ ଝିଅ ରାହାଙ୍କୁ ଜନ୍ମ ଦେଇଥିଲେ।

ବିପାଶା ବସୁ
ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୬ ମସିହାରେ ବିବାହ କରିଥିଲେ। ପ୍ରାୟ ୬ବର୍ଷ ପରେ ଦୁହେଁ ଅଭିଭାବକ ହେବାର ଆନନ୍ଦ ପାଇଥିଲେ। ବିପାଶାଙ୍କ ଗର୍ଭବତୀ ଫଟୋସୁଟ ଭାଇରାଲ ହୋଇଥିଲା। ବିପାଶାଙ୍କୁ ମଧ୍ୟ ଉଲଗ୍ନ ପେଟ ପାଇଁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ଟ୍ରୋଲ କରି ଲୋକେ କମେଣ୍ଟ କରିଥିଲେ ଅଶ୍ଳୀଳତା ଏହାର ସୀମା ଅତିକ୍ରମ କରିଛି। ନଭେମ୍ବର ୧୨ରେ ବିପାଶା ଝିଅ ଦେବୀ ବସୁ ଗ୍ରୋଭରଙ୍କୁ ଜନ୍ମ ଦେଇଥିଲେ।