ପ୍ରତ୍ୟେକ କିଶୋରୀଙ୍କ ପାଇଁ ଯୌବନର ପ୍ରଥମ ପାହଚ ଯେତିକି କୌତୁହଳପୂର୍ଣ୍ଣ ଥାଏ, ସେତିକି କଷ୍ଟକର ମଧ୍ୟ। ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଅଧିକାଂଶ କିଶୋରୀମାନଙ୍କର ଶରୀରରେ ପରିବର୍ତ୍ତନ ଆସିଥାଏ। ସାଧାରଣତଃ ସ୍ତନ ବିକଶିତ ହେବାର ପ୍ରାୟ ଦୁଇ ବର୍ଷ ପରେ ଋତୁସ୍ରାବ ଆରମ୍ଭ ହୋଇଥାଏ। କିନ୍ତୁ ଏବିଷୟରେ ଅଧିକାଂଶ କିଶୋରୀ ଅବଗତ ନଥାନ୍ତି। ଏହାର କାରଣ ହେଉଛି ପରିବାରର କୌଣସି ସଦସ୍ୟ ଏବିଷୟରେ ଝିଅଟି ସହ ଆଲୋଚନା କରିବା ଠିକ୍ ଭାବନ୍ତି ନାହିଁ। ଏହାକୁ ଏକ ଲଜ୍ଜାଜନକ ବିଷୟ ଭାବନ୍ତି। ଏଭଳି ପରିସ୍ଥିତିରେ ପୁଅମାନଙ୍କ ସହ ଖୋଲାଖୋଲି ଆଲୋଚନା କରିବାର ପ୍ରଶ୍ନ ଉଠୁଛି କେଉଁଠି? ଏଭଳି ବିଚାରଧାରା ଯୋଗୁଁ ଅନେକ କିଶୋରୀ ଲଜ୍ଜାଜନକ ପରିସ୍ଥିତିର ଶିକାର ହୁଅନ୍ତି। ଅବଶ୍ୟ ଆଜିକା ଦିନରେ ଏଥିରେ କିଛି ମାତ୍ରାରେ ସୁଧାର ଆସିଛି, କିନ୍ତୁ ପୁରାପୁରି ବଦଳି ଯାଇଛି ତାହା ଭାବିବା ଭୁଲ୍ ।
ଋତୁସ୍ରାବକୁ ନେଇ ଏକ ବାପାର ସକାରାତ୍ମକ ବର୍ତ୍ତା ସାମ୍ନାକୁ ଆସିଛି। ଲିଟିଲ୍ ହ୍ୟୁମାନିଙ୍ଗ୍ ବ୍ରୋସ୍ ନାମକ ଜଣେ ବ୍ୟକ୍ତି ଏକ ମାଆଙ୍କୁ ଧନ୍ୟବାଦ ଅର୍ପଣ କରି ଲେଖିଛନ୍ତି ଯେ, ସେହି ମାଆକୁ ମୁଁ କୋଟି କୋଟି ପ୍ରଣାମ କରୁଛି ଯାହାଙ୍କ ପୁଅ ଏକ ଲଜ୍ଜାଜନକ ପରିସ୍ଥିତିରୁ ମୋ ଝିଅକୁ ଉଦ୍ଧାର କରିଛି। ପୁଣି ଲେଖିଛନ୍ତି ସେହି “ମାଆଙ୍କୁ ଧନ୍ୟବାଦ, ଯିଏ ନିଜ ପୁଅକୁ ଏପରି ପ୍ରତିପୋଷଣ କରିଛନ୍ତି।”
କାହାଣୀଟି ବର୍ଣ୍ଣନା କରି ବାପା ଲେଖିଛନ୍ତି, “ମୋ ଝିଅର ଆଜି ପ୍ରଥମ ଥର ପାଇଁ ବସ୍ରେ ଋତୁସ୍ରାବ ହୋଇଥିଲା। ମୋ ଝିଅ ଠାରୁ ମାତ୍ର ଏକ ବର୍ଷ ବୟସରେ ବଡ ପୁଅ ମୋ ଝିଅର କାନରେ କହିଲା, ଦେଖ ତୁମର ପ୍ୟାଣ୍ଟରେ ଦାଗ ଲାଗିଛି। ଚକିତ ବା ଚିତ୍କାର ନ କରି ମୋ ସ୍ବେଟରକୁ ଅଣ୍ଟାରେ ଗୁଡ଼ାଇ ଘରକୁ ଯାଅ। ଆଜି ମୁଁ ସେହି ପିଲାଟିର “ମା” କୁ ଧନ୍ୟବାଦ ଦେବାକୁ ଚାହେଁ, ଯିଏ ଏଭଳି ପୁଅର ଲାଳନପାଳନ କରିଛନ୍ତି। କେବଳ ଝିଅ ସହିତ ନୁହେଁ ବରଂ ପୁଅ ସହିତ ମଧ୍ୟ ଖୋଲାଖୋଲି କଥା ହୁଅନ୍ତୁ ବୋଲି ଲିଟିଲ୍ ହ୍ୟୁମାନିଙ୍ଗ୍ ବ୍ରୋସ୍ ଲେଖିଛନ୍ତି।
ବାସ୍ତବରେ, ଏହି କାହାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରେରଣା। କେବଳ ଝିଅମାନେ ନୁହଁନ୍ତି ପୁଅମାନେ ମଧ୍ୟ ଏବିଷୟରେ ସଚେତନ ହେବା ଆବଶ୍ୟକ । ଯାହାଦ୍ୱାରା ଝିଅମାନଙ୍କୁ ସର୍ବସାଧାରଣ ସ୍ଥାନରେ ଏପରି ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।
ବୈଜୟନ୍ତି ନାୟକ