ଗୁରୁ! ଏମିତି ଏକ ପ୍ରଦୀପ ଯିଏ ଅଜ୍ଞାନ ଅନ୍ଧକାରରୁ ଜ୍ଞାନ ର ଆଲୋକରେ ଶିଷ୍ୟଙ୍କ ଜୀବନକୁ ଆଲୋକିତ କରେ l ଆଉ ଜୀବନ ଶେଷ ଯାଏଁ ମଣିଷ ମନରେ ଗୁରୁଙ୍କ ଶିକ୍ଷା, ଉପଦେଶର ପଦ ପ୍ରତିଧ୍ବନିତ ହେଉଥାଏ l ଯେମିତି ଗୁରୁ ଦକ୍ଷିଣା ସ୍ୱରୂପ ଏକଲବ୍ୟ ଗୁରୁଙ୍କ ପାଇଁ ନିଜ ଡାହାଣ ହାତର ବୁଢ଼ା ଅଙ୍ଗୁଳି କାଟି ଗୁରୁଙ୍କ ଚରଣରେ ସମର୍ପି ଦେଇଥିଲା l ଗୁରୁଙ୍କ ଆଦେଶ ମାନି ଶିଷ୍ୟର ସୁରକ୍ଷା ପାଇଁ ଆରୁଣି ଘୋର ବର୍ଷାରେ ବିଲରେ ଶୋଇ ରହିଥିଲା ଆଉ ଉପମନ୍ୟୁ କିଛି ଖାଦ୍ୟ ନଖାଇ ଶେଷରେ ଅରଖ ପତ୍ର ଖାଇ ନିଜ ଚକ୍ଷୁ ହରାଇଲେ ବି ଗୁରୁଙ୍କ ଉପରୁ ନିଜ ବିଶ୍ୱାସ ହରାଇ ନଥିଲେ l
ଏବେ ଶିକ୍ଷା ଆଉ ଦାନ ସୂତ୍ରରେ ନୁହେଁ ବ୍ୟାପରର ଏକ ବିରାଟ ଉତ୍ସ ହୋଇଯାଇଛି l ଉପଯୁକ୍ତ ପାରିଶ୍ରମିକ ପାଇବି, ଘିରୋଇ ଶିକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି l ସରକାରୀ ଶିକ୍ଷାଳୟ ଗୁଡିକରେ ନିଜର ସ୍ଥିତି ଦୃଢ଼ ହେବାପରେ ଶିକ୍ଷା ବ୍ୟବସ୍ଥାରେ କୋହଳ ପରିସ୍ଥିତି ଲକ୍ଷ୍ୟ କରି
ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିତା ମାତା ବେସରକାରୀ ସ୍କୁଲରେ ବହୁଳ ଟଙ୍କା ଭରି ଦାଖଲ କରୁଛନ୍ତି l
ଖାଲି ଆଇଆଇଟି, ମେଡିକାଲ, ଇଞ୍ଜିନିଅର, ଚଟାର୍ଡ଼ ଏଇ ଲୋଭରେ ନିଜ ପିଲାଙ୍କ ପିଲାଦିନକୁ ବଳି ଦେଇ ପାଠପଢ଼ା ଓ ପ୍ରତିଯୋଗିତା ମନସ୍କ କରାଉଛନ୍ତି l ପାଠ, ପାଠ ଆଉ ପାଠ, ପାଠ ଭିର୍ଣ୍ଣ ଜୀବନ ନାହିଁ l ପାଠ ବାଦେ ନିଜର ଉଚ୍ଚ ପ୍ରତିଷ୍ଠା ପାଇଁ କିଛି ଆଖିଦୃଶିଆ ହବି ଯେମିତି କି କ୍ରିକେଟ, ବ୍ୟାଡ଼ମିଣ୍ଟନ, ଟେବୁଲ ଟେନିସ, କୁମ୍ଫୁ ଆଦି ପାଇଁ ଟ୍ରେନିଂ ପାଇଁ ମା ବାପା, ପିଲା ଦିନରାତି ବ୍ୟସ୍ତ l ଆଉ ପିତା ମାତାଙ୍କ ଏ ବ୍ୟାକୁଳତା ଓ ଆଖିବୁଜି କରୁଥିବା ବିଶ୍ୱାସର ପ୍ରଭୂତ ଫାଇଦା ନେଉଛନ୍ତି ଘରୋଇ ଶିକ୍ଷାୟତନର ଶିକ୍ଷା ଅଧିକାରୀମାନେ l
ନାରୀ ଯିଏ ଧର୍ଯ୍ୟ, ସହନଶୀଳତା, ସ୍ନେହ, ପ୍ରେମ ଆଦି ମାତୃସୁଲଭ ଗୁଣ ଯୋଗୁଁ ସଦା ପୂଜନୀୟା, ସେ ସାବତ ମା , ଶାଶୁ ବା କେବେ ମଧ୍ୟ ଶିକ୍ଷୟିତ୍ରୀ ହୋଇ ଆଉ ଏକ ନାରୀ, କିଶୋରୀର ଜୀବନ ସହ ଖେଳୁଛି l ସବୁଠୁ ଦୁଃଖର କଥା କିଛି ଦିନ ପୂର୍ବରୁ ଚହଳ ପକାଇଥିବା ଘଟଣା ସୁନ୍ଦର ସୁନ୍ଦର ଝିଅ ଦେଖି ସେମାନଙ୍କ ମାର୍କ କାଟି, ଶେଷରେ ସେମାନଙ୍କୁ ମନ୍ତ୍ରୀ ବା ବିଦ୍ୟାଳୟର ଅନ୍ୟ ଉଚ୍ଚ କର୍ମ କର୍ତ୍ତାଙ୍କ ସହ ଯୌନ କାର୍ଯ୍ୟ ପରି ଅନୈତିକ କର୍ମରେ ଲିପ୍ତ ହେବାକୁ ବାଧ୍ୟ କରି କୋମଳ ମତି କିଶୋରୀ ମାନଙ୍କ ଶାରୀରିକ, ଚାରିତ୍ରିକ, ମାନସିକ ଅବସ୍ଥାରେ ଘୋର ସ୍ଖଳନ ଘଟାଇ ଜୀବନ ବିପଥଗାମୀ କରୁଛନ୍ତି l
ଅନ୍ୟର ଝିଅ ମୋର କଣ ଅଛି, ଭାବି କେତେଟା ଟଙ୍କା ପାଇଁ ଏପରି କରିବା ପୂର୍ବରୁ ସେ ଶିକ୍ଷୟିତ୍ରୀ ମାନେ ଭାବୁ ନାହାଁନ୍ତି ସେ ନିଜେ ବି ଜଣେ ମା, ଯଦି ନିଜ ଝିଅ ହୋଇଥାନ୍ତା! ରକ୍ଷକ ଯଦି ଭକ୍ଷକ ହୁଏ ତେବେ କହିବା କାହାକୁ!
ଆଖି ଵୁଜି ସହି ଏସବୁ ଅଣଦେଖା କରି ଶିକ୍ଷା ଓ ଭବିଷ୍ୟତ ପୀଡିକୁ ବିପଦ ମୁଖକୁ ଠେଲି ଦେବା ଅପେକ୍ଷା , ଏହାର ସମାଧାନ ପାଇଁ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକ l କାରଣ ଦଳର ବଳ ବେଶି ଆଉ ଏବେଠୁ ଏହା ଉପରେ କଠୋର ପଦକ୍ଷେପ ନନେଲେ ଭବିଷ୍ୟତରେ ଶିକ୍ଷାଳୟର ମାନ ଭାଷୁଡ଼ି ପଡିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ଉପରୁ ଭରସା ତୁଟିଯିବ l

ଅନସୂୟା ପଣ୍ଡା,
କାର୍ଡଗୁଡ଼ି, ବାଙ୍ଗାଲୋର l