ଆମ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ‘ ସାକ୍ଷାତ ଈଶ୍ୱର ‘ ର ରୂପ ବୋଲି କୁହାଯାଇଛି l ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ ମଣିଷ ଟିଏ ରେ ପରିଣତ କରିବାର ଗୁରୁ ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଥାଏ l ହେଲେ ଏସବୁ କିଛି ଦଶନ୍ଧି ପୂର୍ବେ ସମ୍ଭବ ହେଉଥିଲା l ବର୍ତ୍ତମାନ ପରିସ୍ଥତି ଅନ୍ୟ ପ୍ରକାରର l ଶିକ୍ଷକ ମାନେ ପିଲାଙ୍କ ଭୁଲ ପାଇଁ ସେମାନଙ୍କୁ ଦଣ୍ଡିତ କରିବା ତ ଦୂରର କଥା, ପଦେ ଅଧେ ଗାଳି କରିବା ପାଇଁ ବି ନିରାପଦ ମଣୁ ନାହାନ୍ତି l ଲାଗୁଛି ବିଦ୍ୟାଳୟ ରୂପକ ‘ ଦଣ୍ଡମୁକ୍ତ ଅଞ୍ଚଳ ‘ ରେ ପିଲାଙ୍କୁ ଆକଟ କରିବାର ଅଧିକାର ଟିକକ ବି ଶିକ୍ଷକ ମାନଙ୍କ ଠାରୁ ଛଡେଇ ନିଆଯାଇଛି l ଶିକ୍ଷକମାନେ ମଧ୍ୟ ଭୟ ପାଇବା ସ୍ୱାଭାବିକ ; କାରଣ ପିଲାଙ୍କୁ ସୁଧାରିବାକୁ ଯାଇ ସେମାନଙ୍କୁ ଅନୁଶାସନରେ ରଖିବାର ପରିଣାମ ସ୍ୱରୂପ ଅଭିଭାବକଙ୍କ ଅଭିଯୋଗ ଓ ଅସନ୍ତୋଷ ଜନକ ଶବ୍ଦ ଦ୍ୱାରା ଶିକ୍ଷକମାନେ ଅପଦସ୍ଥ ହେଉଛନ୍ତି l
ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ କଥା ଧରାଯାଉ l ଜଣେ ଶିକ୍ଷକ ପିଲାଙ୍କୁ ପାଠ ପଢେଇବା ସହିତ ଆହୁରି ଅନେକ କାମରେ ଯଡିତ ଥାଆନ୍ତି l ପିଲାଙ୍କ ଆଡମିଶନ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ତତ୍ତ୍ୱlବଧାନ, ବହି ବିତରଣ, ପରୀକ୍ଷା ଖାତା ମୂଲ୍ୟାୟନ ଭଳି କାମରେ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହଯୋଗ ଶିକ୍ଷାଦାନ ଓ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ; ମାତ୍ର ଜନଗଣନା ପାଇଁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବା, ଟୀକାକାରଣରେ ଯୋଗଦାନ, କୋଭିଡ ସମୟରେ ଘର ଘର ଯାଇ ସଂକ୍ରମିତଙ୍କ ଯାଞ୍ଚ ଓ ଗଣନା, ରାଜ୍ୟ ବାହାରୁ ଆସିଥିବା କୋଭିଡ ସଂକ୍ରମିତଙ୍କ ନିୟମିତ ଫୋନ ଯୋଗେ ସୁସ୍ଥତା ପରୀକ୍ଷା, ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲାଙ୍କ ଘରକୁ ଯାଇ ପଢ଼ା ବହି ବଣ୍ଟନ ଭଳି ଆହୁରି ଅନେକ କାର୍ଯ୍ୟଭାର ସେମାନଙ୍କ ଉପରେ ନ୍ୟସ୍ତ କରାଯାଏ l ମନରେ ପ୍ରଶ୍ନ ଉଠେ ଏସବୁ କାମ ଶିକ୍ଷକ ମାନଙ୍କୁ କେଉଁ ଆଧାରରେ କରିବାକୁ କୁହାଯାଉଛି !
ଏତେ ସବୁ କାମର ଚାପ ଭିତରେ ଶିକ୍ଷକ ପିଲାମାନଙ୍କୁ ଠିକ ରୂପେ ପାଠ ପଢେଇବା କେତେ ଦୂର ସମ୍ଭବ ହେଉଥିବ ! ଶିକ୍ଷାଗ୍ରହଣ ଏକ ସାଧନା ହେଲେ ଶିକ୍ଷାଦାନ ମଧ୍ୟ କମ ଗୁରୁ ଦାୟିତ୍ୱର କାର୍ଯ୍ୟ ନୁହେଁ ! ଯଦି ବିଦ୍ୟାଦାନ ସମୟରେ ଶିକ୍ଷକ/ଶିକ୍ଷୟତ୍ରୀ ବିଦ୍ୟାଳୟର ଅନ୍ୟ କାର୍ଯ୍ୟଭାରରେ କ୍ଲାନ୍ତ, ଅବସନ୍ନ ହେବେ ; ଅନିଚ୍ଛା ସତ୍ତ୍ୱେ ବାଧ୍ୟତାମୂଳକ ଭାବରେ ପାଠ ପଢ଼େଇବେ ତେବେ ସେ ଅଧ୍ୟାପନାର ମୂଲ୍ୟ କେତେ ଏବଂ ସେଥିରୁ ପିଲାମାନେ କଣ ଆହରଣ କରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ !
ଗତ ଦେଢ଼ ବର୍ଷ ହେଲାଣି କୋଭିଡ କଟକଣା ସତ୍ତ୍ୱେ ଶିକ୍ଷକ ମାନେ ପ୍ରତିଦିନ ଘରେ ରହି କିମ୍ବା ବିଦ୍ୟାଳୟକୁ ଯାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି l ପିଲାମାନେ ବିଦ୍ୟାଳୟ କୁ ନ ଆସି ମଧ୍ୟ ପାଠପଢ଼ାରେ ଅସୁବିଧା ନ ହେବ ବୋଲି ଏବେ ୟୁ – ଟ୍ୟୁବ୍ ରେ ପାଠ ପ୍ରସ୍ତୁତ କରୁଛନ୍ତି l ଯାହା ପାଇଁ ସେମାନଙ୍କୁ ଅଧିକ ଶ୍ରମଦାନ ଓ ପ୍ରଚେଷ୍ଟା କରିବାକୁ ହେଉଛି l ଭିଡିଓ ପ୍ରସ୍ତୁତି ପାଇଁ ଲାଗୁଥିବା ଅଧିକ ସମୟ ତାଙ୍କୁ ବିଦ୍ୟାଳୟ ଓ ଘରର ନିତିଦିନିଆ କାମ ସହିତ କରିବାକୁ ପଡ଼ିଥାଏ l କହିବାକୁ ଗଲେ ଏହା ଭିତରେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ କର୍ମବ୍ୟସ୍ତତା ଓ କାର୍ଯ୍ୟଭାର କ୍ରମେ ବଢିଯାଇଛି l
ଥରେ ଭାବି ଦେଖନ୍ତୁ ତ ଶିକ୍ଷକଙ୍କ ବିନା ଶିକ୍ଷାଦାନରେ ସମାଜରେ କୌଣସି ବୃତ୍ତି ସମ୍ଭବପର କି ? ବିଚାରଯୋଗ୍ୟ ଯେ ସମାଜରେ ବହୁ ପ୍ରତିଷ୍ଠିତ ଡାକ୍ତର, ଇଞ୍ଜିନିୟର, ଅଫିସର, ବୈଜ୍ଞାନିକ, ବ୍ୟବସାୟୀ, ମହାକାଶଚାରୀ ଆହୁରି ଅନେକ ପଦବୀଧାରୀଙ୍କୁ ସୃଷ୍ଟି କରୁଥିବା ଶିକ୍ଷକଗୋଷ୍ଠୀ ଆଜି ନିଜେ କେତେ ସୁବିଧା ଓ ସୁଯୋଗ ପାଉଛନ୍ତି ?
ସରକାରୀ କିମ୍ବା ବେସରକାରୀ ପ୍ରତି ସ୍ତରରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ନିଜର ପରିଶ୍ରମ, ଶିକ୍ଷାଦାନ ପ୍ରତି ସମର୍ପଣ ମନୋଭାବ ଏବଂ ପିଲାଙ୍କ ପ୍ରତି ଭଲ ପାଇବାରେ ସମ୍ପୂର୍ଣ୍ଣ ଯୋଗଦାନ କରିଆସୁଛନ୍ତି l ଗୁରୁ ବିନା ଶିଷ୍ୟ ଜୀବନରେ ସଫଳତା ହାସଲ କରିବା ଅସମ୍ଭବ l ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଜୀବନର ପ୍ରତି କ୍ଷେତ୍ରରେ କେହି ନା କେହି ଗୁରୁ ସାଜି ମାର୍ଗଦର୍ଶନ ଦେଲେ ହିଁ ବ୍ୟକ୍ତି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ l ଏଣୁ, ଏବେ ସମୟ ଆସିଛି ଏହାର ପ୍ରତି ବଦଳରେ ସେମାନଙ୍କୁ କିଛି ଦେବା l ଆଉ କିଛି ନ ହେଲା ନାହିଁ, ଶିକ୍ଷକ/ଶିକ୍ଷୟତ୍ରୀ ଙ୍କୁ ଯଥୋଚିତ ସମ୍ମାନ, ଆଦର ସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉତ୍ତମ ବ୍ୟବହାର ଦେଖାଇଲେ, ଏହାହିଁ ହେବ ସେମାନଙ୍କ ପ୍ରତି ଉତ୍କୃଷ୍ଟ ଗୁରୁଦକ୍ଷିଣା l
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଫୋନ-6370516478