ଜୁଲାଇ ୨୩ରୁ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ ୧୦୦ରୁ ଅଧିକ ଭାରତୀୟ ପ୍ରତିଯୋଗୀ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ମହିଳା ପ୍ରତିଯୋଗୀ , ଯେଉଁମାନଙ୍କ କାନ୍ଧରେ ରହିଛି ପଦକ ହାସଲର ଦାୟିତ୍ୱ। କେବଳ ସେତିକି ନୁହେଁ, ଏଭଳି କିଛି ଖେଳ ରହିଛି ଯେଉଁଥିରେ ଭାରତର ଜଣେ ମହିଳା ଖେଳାଳି ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେଭଳି କିଛି ବଛା ବଛା ମହିଳା ପ୍ରତିଯୋଗୀଙ୍କୁ ନେଇ ଆମର ଏହି ବିଷେଶ ଉପସ୍ଥାପନ “ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ”…
ଦୀପିକା କୁମାରୀ
ବିଶ୍ୱକପ ପ୍ରତିଯୋଗିତାରେ ୯ଟି ସ୍ୱର୍ଣ୍ଣ ପଦକ, ୧୨ଟି ରୌପ୍ୟ ପଦକ ଏବଂ ସାତଟି ବ୍ରୋଞ୍ଜ ପଦକ ଜିତିଥିବା ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍ସ ପାଇଁ ଚୟନ ହୋଇଛନ୍ତି। ବିଶେଷ କଥା ହେଉଛି ତୀରନ୍ଦାଜୀ ଦଳର ଏକମାତ୍ର ମହିଳା ଯିଏକି ଭାରତରୁ ଯାଉଛନ୍ତି।

ଅଟୋ-ରିକ୍ସା ଚାଳକ ଶିବନାରାୟଣ ମହାଟୋ ଏବଂ ରାଞ୍ଚି ମେଡିକାଲ କଲେଜର ନର୍ସ ଭାବେ କାର୍ୟ୍ୟରତ ଗୀତା ମହାଟୋଙ୍କ ସୁକନ୍ୟା ୨୭ ବର୍ଷିୟା ଦୀପିକା କମୁାରୀ । ସେ ରାଞ୍ଚିର ବାସିନ୍ଦା। ୧୯୯୪ ମସିହା ଜୁନ ୧୩ରେ ସେ ଜନ୍ମ ଗ୍ରହଣ କରିଥିଲେ। ପୂର୍ବରୁ ସେ ଅର୍ଜୁନ ପୁରସ୍କାର ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୧୭ ମସିହାରେ ତାଙ୍କ ଜୀବନୀ ଉପରେ ଆଧାରିତ “ଲେଡିଜ୍ ଫାଷ୍ଟ” ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।
ଭବାନୀ ଦେବୀ
ଅସି ଚାଳନା ବା ପ୍ରଥମ ଭାରତୀୟ ଖଣ୍ଡାଧାରୀ ଭାବରେ ପ୍ରଥମଥର ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରି ଭବାନୀ ଦେବୀ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ଆଡଜଷ୍ଟ ଅଫିସିଆଲ୍ ରାଙ୍କିଙ୍ଗ୍ (ଇଙଜ) ଆଧାରରେ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଛନ୍ତି।
୧୯୯୩ ଅଗଷ୍ଟ ୨୭ରେ ତାମିଲନାଡୁର ଚେନ୍ନାଇରେ ଏକ ପୁରୋହିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରେ ସେ କ୍ରୀଡା ଜଗତ କ୍ୟାରିଅର୍ ଆରମ୍ଭ କରିଥିଲେ ।
୮ ଥର ଜାତୀୟ ଚାମ୍ପିୟନ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବା ପରେ ସେ ନିଜର ଅଲିମ୍ପିକ୍ସ ସ୍ୱପ୍ନକୁ ସାକାର କରିବା ପାଇଁ ଇଟାଲୀରେ ଟ୍ରେନିଂ ନେଇଥିଲେ।
ନେତ୍ରା କୁମାନନ୍
ପ୍ରଥମ ଭାରତୀୟ ନାବିକ ବା ସେଲର୍ ଭାବରେ ନେତ୍ରା କୁମାନନ୍ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୯୯୭ ଅଗଷ୍ଟ ୨୧ରେ ଜନ୍ମଲାଭ କରିଥିବା ନେତ୍ରା ଏପ୍ରିଲ୍ ୨୦୨୧ ରେ ଓମାନରେ ମୁସାନାହ ଓପନ୍ ଚାମ୍ପିଅନସିପ୍ ଜିତିବା ପରେ ଟୋକିଓ ଅଲିମ୍ପିକ୍ସରେ ଲେଜର ରେଡିଆଲ୍ ବର୍ଗରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ।

ମେରି କୋମ
ଜଣେ ସଫଳ ମହିଳା ଖେଳାଳି ହେଉଛନ୍ତି ୩୯ ବର୍ଷିୟା ମେରି କୋମ। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ମଙ୍ଗତେ ଚୁଙ୍ଗେଞ୍ଜୁଙ୍ଗ ମେରୀ କୋମ। ସେ ଏକମାତ୍ର ଭାରତୀୟ ମହିଳା ବକ୍ସର । ୨୦୧୨ଅଲିମ୍ପିକ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।
୧୯୮୨ ନଭେମ୍ବର ୨୪ରେ ମଣିପୁରୀର କାଙ୍ଗଥେରେ ଏକ ଗରିବ କୃଷକ କରିବାରରେ ସେ ଜନ୍ମଲାଭ କରିଥିବା ମେରିଙ୍କ କ୍ରୀଡା ଜୀବନୀ ମଧ୍ୟ ଅତ୍ୟନ୍ତ ରୋଚକପୂର୍ଣ୍ଣ ଥିଲା। ବକ୍ସିଂ ପ୍ରତି ଥିବା ତାଙ୍କର ଦୁର୍ବଳତା ବିଷୟରେ କାହାକୁ କିଛି ନ ଜଣାଇ ଲୁଚିଛପି ସେ ପ୍ରଶିକ୍ଷଣ ନେଉଥିଲେ। ପ୍ରାୟ ଦୁଇ ବର୍ଷ ପ୍ରଶିକ୍ଷଣ ନେବା ପରେ ସେ ୨୦୦୦ ମସିହାରେ ‘ମହିଳା ବକ୍ସିଂ ଚାମ୍ପିଅନସିପ୍ ମଣିପୁର’ ଜିତିଥିଲେ। ବିଭିନ୍ନ ଗଣମାଧ୍ୟମରେ ତାଙ୍କର ଚର୍ଚ୍ଚା ହେବା ପରେ ପରିବାର ଲୋକ ଅବଗତ ହୋଇଥିଲେ। ପରେ ସେ ପଶ୍ଚିମବଙ୍ଗରେ ଆୟୋଜିତ ‘ମହିଳା ବକ୍ସିଂ ଚାମ୍ପିଅନସିପ୍’ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ରାଜିବ ଗାନ୍ଧୀ ଖେଳ ରତ୍ନ, ପଦ୍ମଶ୍ରୀ ଏବଂ ପଦ୍ମବିଭୂଷଣ ଭଳି ଅନେକ ସମ୍ମାନର ଅଧିକାରୀ ହୋଇଥିଲେ।
ପିଭି ସିନ୍ଧୁ
ବିଶ୍ୱସ୍ତରୀୟ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ଏବଂ ଅଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାବେ ଖ୍ୟାତି ଅର୍ଜନ କରିଥିବା ଭାରତର ପ୍ରଥମ ମହିଳା ପିଭି ସିନ୍ଧୁ। ତାଙ୍କର ପୂରା ନାମ ହେଉଛି ପୁସର୍ଲା ଭେଙ୍କଟା ସିନ୍ଧୁ। ୧୯୯୫ ଜୁଲାଇ ୫ରେ ହାଇଦ୍ରାବାଦ୍ର ଏକ କ୍ରୀଡାବିତ୍ ପରିବାରରେ ଜନ୍ମ ଲାଭ କରିଥିଲେ। ତାଙ୍କ ପିତା ପି.ଭି ରମନ ଏବଂ ମାତା ପି ବିଜୟା ଉଭୟ ଦେଶର ପୂର୍ବତନ ଭଲିବଲ ଖେଳାଳି ଥିଲେ।
୨୦୧୬ରେ ଭାରତର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ, ୨୦୧୫ରେ ପଦ୍ମଶ୍ରୀ ଏବଂ ୨୦୧୩ରେ ଅର୍ଜୁନ ପୁରସ୍କାରରେ ସେ ପୁରସ୍କୃତ ହୋଇଥିଲେ। ୨୦୦୦ ମସିହାରେ, ତାଙ୍କ ପିତା ପି.ଭି ରମଣଙ୍କୁ ମଧ୍ୟ ଖେଳ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଦୂତି ଚାନ୍ଦ
ଦୂତି ଚାନ୍ଦ। ଓଡିଶାର ପରିଚିତ ନାଁ । ଅନେକ ମେଡାଲ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅଣିଥିବା ଦୂତି ଚଳିତ ଥର ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହା ବ୍ୟତୀତ ପ୍ରଥମ ଛତିଶଗଡ଼ ବର୍ଣ୍ଣି ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ୨୦୧୮ ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ଦୂତି ରୌପ୍ୟ ପଦକ ବିଜୟୀ ହୋଇଥିଲେ। ୨୦୧୯ ଇଟାଲିର ନେପୋଲିରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ମିଟର ଦୌଡ଼ରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲେ।
