ରଜ ଆଉ ଝିଅ

ରଜ ହେଉଛି ଓଡ଼ିଶାର ଗଣ ପର୍ବ ।ଗାଁ, ଗଣ୍ଡା ରେ ଘରେ ଘରେ ରଜ ପର୍ବ ବଡ଼ ଧୂମଧାମ ରେ ପାଳନ କରାଯାଏ । ଆଜିକାଲି ସେଇ ଝଲକ ମଧ୍ୟ ସହର ରେ ଦେଖିବାକୁ ମିଳିଲାଣି. ସେଇ ପିଠାପଣା ର ପରମ୍ପରା ଆଉ ଛିଟା ଆମ ସହର ରେ ବି କିଛି କମ ନୁହେଁ ଏବେ ।ଘରେ ଘରେ ଏଇଠି ବି ପିଠା ହୁଏ ଆଉ ଆଜିକାଲି ତ ଦୋଳି ବି ଗାଁ ଗହଳି ଭଳି ଏଇଠି ବି ଅନେକ ଜାଗା ରେ ଦେଖିବାକୁ ମିଳିଲାଣି ।କିନ୍ତୁ ଗଲା ବର୍ଷ ଠାରୁ କରୋନା ପାଇଁ ସବୁ ବନ୍ଦ ।ବାହାରକୁ ଯିବା ହିଁ ବନ୍ଦ ।ତଥାପି ବି ଆଜି ରଜ କୁ ନେଇ ବହୁତ ଖୁସି ଦେଖାଦିଏ ।ପିଠା ସହିତ ନୂଆ ନୂଆ ଡ୍ରେସ ପିନ୍ଧିବାର ଆଉ ରଜ ସଜବାଜ କଥା ଏବେ ବି କହିଲେ ସବୁ ଝିଅ ଙ୍କ ଖୁସି କହିଲେ ନସରେ ।ରଜ ପୂର୍ଵ ଦିନ ମୋ ଦେହ ଟିକେ ଭଲ ଲାଗୁନଥାଏ ।ସୋଫା ଉପରେ ବସି ଢୁଳେଇଲା ଭଳି ହେଉଥାଏ. ପାଖରେ ଚା କପ ଧରି ଠିଆ ହେଲା ଲଖି କହିଲା ମାଆ କାଲି ରଜ କେତେ ଚାଉଳ ଆଉ ବିରି ବତୁରେଇବି ପିଠା ପାଇଁ,ଏବର୍ଷ ତ ପୁଣି କରୋନା କୁଆଡ଼େ ଦିଆ ନିଆ ନାହିଁ ।ସଂଧ୍ୟା ହେଲାଣି କୁହ ଜଲଦି ।ମୁଁ ଟିକେ ପ୍ରକୃତିସ୍ଥ ହେଲି ଆଉ ତା ଆଡ଼େ ଅନେଇ କହିଲି ହଁ ଅଳ୍ପ ଟିକେ ଯାହା କର ,ତମେ ମାନେ କାମ କଲା ଲୋକ ଯାହା ନେବ ଘରେ ତ ବାବୁ ଆଉ ପୁଅ ସେମାନେ ସେତେ ଟା ଭଲପାଆନ୍ତି ନାହିଁ ପିଠାପଣା ।ବାସ ଅଳ୍ପ ହିଁ କର ।ଠିକ ସେତିକି ବେଳେ ରିତୁ ର ଫୋନ ଆସିଲା କହିଲା ଦେହ ଭଲ ଲାଗୁଛି ଯଦି ଟିକେ ହ୍ୱାଟ୍ସଆପ ଗ୍ରୁପ କୁ ଆସେ ।

ମୁଁ କହିଲି ହଁ ଆସୁଛି ।ଦେଖିଲା ବେଳ କୁ ଗ୍ରୁପ ରେ ଆମ ର ରଜ ଅଧା ହେଇଗଲାଣି ।ରିତୁ ଆଉ ନିଭି ର ଗୋଟିଏ ଗୋଟିଏ ଝିଅ ହେଇଥିବାରୁ ସେ ଦୁଇ ଜଣ ଭାରି ଫୁଲେଇ ହୁଅନ୍ତି ସବୁବେଳେ ।ଦୁଇ ଝିଅ ଙ୍କ ର ତିନି ତିନି ହଳ ଡ୍ରେସ ଆଉ ସଜବାଜ ର ଅଧା ରଜ ଗ୍ରୁପ ରେ ।ରିତୁ ତ ଟିକେ ଅଧିକ ଫୁଲେଇ ଆମର ବେଶୀ ହୁଏ ।ଆଉ କଥା ରେ କଥା ରେ ସବୁ ବେଳେ ମତେ ଆଉ ଲିଜା କୁ କୁହେ ଦେଖ ଝିଅ ଆମ ର ଅଛି ଯେ ସବୁ ପର୍ବ କୁ ଆମେ କି ଖୁସି ରେ କରୁଛୁ । ତମ ଦୁଇ ଜଣ ଙ୍କ ଗୋଟିଏ ଗୋଟିଏ ପୁଅ ଯେ ଆଉ କିଛି ଦିନ ପରେ ଏଈ ରଜ ଆଉ କୁମାରପୂର୍ଣ୍ଣମୀ ବି ତମେ ମାନେ ଆଉ ଜାଣିପାରିବନି ଆମେ କି ଭାଗ୍ୟବାନ ଦେଖ ଆମ ଘରେ ଝିଅ ଅଛି । ମୁହଁ ଟାଣ କରି ଲିଜା ର ମୋର ଯୁକ୍ତି କରୁ ରିତୁ ସାଙ୍ଗରେ, ହଉ ତୁ ଆଉ ବେଶୀ କହନି ଆଉ ଜମା ବାର କି ତେର ବର୍ଷ କଥା ବୋହୁ ଗୋଟେ ଗୋଟେ ଆସିଗଲେ ଆମେ ଆମ ର ସବୁ ଈଛା ଝିଅ ର ମେଣ୍ଟାଇ ପାରିବୁ ।ବୋହୁ କୁ ରଜ ଆଉ କୁମାରପୂର୍ଣ୍ଣିମା ରେ ଆମ ଈଛl ମୁତାବକ ସଜେଇକି ଏକାସାଙ୍ଗରେ ସେ ସବୁ ଦିନ ଗୁଡ଼ା ଉପଭୋଗ କରିବୁ । ରିତୁ ଆଉ ନିଭି ଏମିତି ଥଟା ମଜା କରି ଚିଡ଼େଇବା ବେଳେ କିନ୍ତୁ ମନ ଭିତରେ ମୋର ଆଉ ଲିଜା ର ସେଇ କେଁ ଗୋଟେ ରହିଯାଏ । ଲିଜା ବେଳେ ବେଳେ କୁହେ ହଁ ରେ ପ୍ରୀତି ଯେତେ ଯାହା ଧନ, ଘର, ବାଡ଼ି ଦେଇଥାନ୍ତୁ ଭଗବାନ, ଯାହା ଘରେ ଝିଅ ନାହିଁ ତାର ସତରେ ସବୁ ଥାଇ କିଛି ନଥିଲା ପରି । ମୁଁ ବି ତା ବେଳେ ବେଳେ ତା କଥା ରେ ଏକମତ ହୁଏ ।ସତ କଥା ଝିଅ ନଥିଲେ ଏ ରଜ ଆଉ କୁମାରପୂର୍ଣ୍ଣମୀ ପର୍ବ ଗୁଡ଼ିକ ର ଘରେ ଗୁରୁତ୍ୱ କମିଯାଏ । ଝିଅ ପର ଘର କୁ ଯାଏ ହେଲେ ବି ସବୁବେଳେ ସେ ନିଜ ଘରର ବି ମର୍ଯ୍ୟାଦା ବଢ଼େଇଥାଏ ।ଝିଅ ମାନ ଙ୍କ ବିନା ଏ ରଜ ପର୍ବ ପୁରା ଅଧା ଅଧା ଲାଗେ ।ଝିଅ ଟିଏ ଥିଲେ ଦୁଇ କୁଳ କୁ ସେ ହିତ ।କଥା ରେ ଅଛି କୁଆଡ଼େ ବହୁତ ପୁଣ୍ୟ କରିଥିଲେ ଝିଅ କୋଳ କୁ ଆସେ । କିନ୍ତୁ ଲୋକ ଆଜି ବିପଥଗାମୀ ।

କେତେ ଜାଗା ରେ କନ୍ୟା ସନ୍ତାନ କୁ ହତାଦର କରାଯିବାର ଖବର ଏବେ ବି ଆସେ ।କେତେ ଜାଗା ରେ କନ୍ୟା ଭୃଣ ହତ୍ୟା କରାଯାଏ ।ଏସବୁ ଘଟଣା ଆଜି ବି ଆମ ର ସଭ୍ୟ ସମାଜ ପାଇଁ କଳଙ୍କ ।ଆଜି ବି ଆମ କୁ ଏଈ ଝିଅ ଭିତ୍ତିକ ପର୍ବ ଗୁଡ଼ିକରୁ ବହୁତ କିଛି ଶିଖିବାକୁ ବାକି ଅଛି ।କନ୍ୟା ରତ୍ନ କର ଯତ୍ନ ।ଏଈ କଥା ର ପ୍ରକୃତ ଅର୍ଥ ଯଦି ଆମେ ବୁଝିପାରିବା ତାହେଲେ ଝିଅ ମାନେ ଆଉ ଅସୁରକ୍ଷିତ ହେବେ ନାହିଁ ।ତେଣୁ ପ୍ରଥା ଆଉ ପରମ୍ପରା ବି ଆମ କୁ ଝିଅ ଙ୍କ ସୁରକ୍ଷା ବିଷୟରେ ଅନେକ ଶିକ୍ଷା ଦିଏ । ସେସବୁ କୁ ପ୍ରକୃତ ଅର୍ଥ ରେ ବୁଝିପାରିଲେ ଆମ ଝିଅ ମାନେ ଗୋଟିଏ ସୁରକ୍ଷିତ ବଳୟ ଭିତରେ ରହିପାରିବେ ଏଥିରେ ତିଳେ ମାତ୍ର ସଂନ୍ଦେହ ନାହିଁ ।ଝିଅ ମାନେ ସତରେ ଅମୁଲ୍ୟ ସମ୍ପଦ । ଯାହା ର ଅଛି ସେ ତାର ମୂଲ୍ୟ ବୁଝିଛି ।ଆଉ ଯେ ହତାଦର କରୁଛି ସେ ବି କର୍ମଫଳ ଭୋଗୁଛି ।କେବଳ ସଚେତନତା ହିଁ ଝିଅ ଙ୍କୁ ଗୋଟିଏ ସୁରକ୍ଷିତ ଆଉ ହିଂସାମୁକ୍ତ ପରିବେଶ ଦେଇପାରିବ ।ଆଉ ଏଈ ସଚେତନତା ରେ ସମସ୍ତେ ସାମିଲ ହେଲେ ନିଶ୍ଚୟ ଏଈ ପ୍ରୟାସ ସଫଳ ହେବ ।

ପ୍ରୀତିଛନ୍ଦା ଧଳ