ଥରେ ଜଣେ ବ୍ୟକ୍ତି ଗୋଟିଏ ଭୋଜନାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଖାଇବା ବରାଦ କଲେ ।ବ୍ୟକ୍ତି ଜଣକ ତାଙ୍କର ଆବଶ୍ୟକତା ଅନୁଯାୟୀ ଖାଦ୍ୟଗ୍ରହଣ କଲା ପରେ ବଳକା ଖାଦ୍ୟତକ ଥାଳିରେ ଛାଡ଼ି ଯିବାକୁ ଉଦ୍ୟତ ହେଲେ। ହୋଟେଲ ମାଲିକ ଆସି ତାଙ୍କ ରାସ୍ତା ଅବରୋଧ କରି ତାଙ୍କୁ ଥାଳିର ଖାଦ୍ୟ ଶେଷ କରି ଉଠିବାକୁ ଅନୁରୋଧ କଲେ ।ଗ୍ରାହକ ଜଣକ ଖାଇବାର ମୂଲ୍ୟ ସେ ଦେଇସାରିଛନ୍ତି ଏବଂ ତା ପରେ ସେ ଖାଦ୍ୟ ଖାଆନ୍ତୁ କି ଫୋପାଡ଼ନ୍ତୁ ତାହା ତାଙ୍କ ଇଚ୍ଛା ବୋଲି କହିଲେ ।ତାଙ୍କ କଥା ଶୁଣି ମାଲିକ କହିଲେ ଏ ଖାଦ୍ୟ ପାଇଁ ଦେଇଥିବା ମୂଲ୍ୟ ତୁମର ହୋଇପାରେ , ମାତ୍ର ଏ ଖାଦ୍ୟ ଆମ ଦେଶର ସମ୍ପତ୍ତି ।ଏହାର ଉତ୍ପାଦନ ପଛରେ କେତେ ଯେ କୃଷକଙ୍କର କଠିନ ପରିଶ୍ରମ ରହିଛି ।ତେଣୁ ଜାତୀୟ ସମ୍ପତ୍ତିକୁ ନଷ୍ଟ କରିବାର ଅଧିକାର ତାଙ୍କର ନାହିଁ । ବ୍ୟକ୍ତିଜଣକ ହୋଟେଲ ମାଲିକଙ୍କ କଥାର ଗଭୀରତାକୁ ଅନୁଭବ କରି ପୁରା ଥାଳିର ଖାଦ୍ୟତକ ଶେଷ କରି ସେ ସ୍ଥାନରୁ ଉଠିଲେ ।ଉକ୍ତ ଗପରୁ ମିଳୁଥିବା ଶିକ୍ଷାକୁ ସମସ୍ତେ ଦୃଦୟଙ୍ଗମ କରିବାର ସମୟ ଆସିଯାଇଛି ।

ମଣିଷର ତିନୋଟି ମୁଖ୍ୟ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଧ୍ୟରୁ ଜୀବନ ଧାରଣ ପାଇଁ ଯାହା ସବୁଠାରୁ ବେଶୀ ଆବଶ୍ୟକ, ତାହା ହେଉଛି ଖାଦ୍ୟ । ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରାକୁ ଦେଖିଲେ ଜଣାଯାଏ ଖାଦ୍ୟ ସନ୍ଧାନରେ ମଣିଷ ଉନ୍ନତ ଏବଂ ସମୃଦ୍ଧ ଜୀବନଶୈଳୀ ବଞ୍ଚିବା ଶିଖିପାରିଛି ।ତେଣୁ ଖାଦ୍ୟର ଅଭାବ ମଣିଷକୁ ଧ୍ବଂସ ଆଡ଼କୁ ଠେଲିଦେବାର ଆଶଙ୍କା ଅଛି l ସେଥିପାଇଁ ଖାଦ୍ୟର ଅଭାବ ମାନବଜାତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଗୋଟିଏ ସୁସ୍ଥ ଏବଂ ନିରୋଗ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ନ ମିଳିଲେ ତାକୁ ଖାଦ୍ୟାଭାବ କହିପାରିବା । ଖାଦ୍ୟର ଅଭାବ ବ୍ୟକ୍ତିବିଶେଷ, ସହର, ରାଜ୍ୟ, ଦେଶ ଏବଂ ମହାଦେଶକୁ ପ୍ରଭାବିତ କରିଥାଏ । ଖାଦ୍ୟ ଅଭାବର ସମ୍ଭାବନା ସେତେବେଳେ ହୁଏ, ଯେବେ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଉତ୍ପାଦନ ହୋଇପାରେ ନାହିଁ । ଏହା ବ୍ୟତୀତ ଠିକ୍ ସ୍ଥାନରେ ଖାଦ୍ୟର ବଣ୍ଟନ ପ୍ରକ୍ରିୟାରେ ଅସୁବିଧା ଦେଖାଦେଲେ ମଧ୍ୟ ଖାଦ୍ୟ ଅଭାବର ପରିସ୍ଥିତି ସୃଷ୍ଟି ହୁଏ ।
ଓଡ଼ିଶାରେ ଅଧିକାଂଶ ଲୋକ ଭଲ ଖାଇବା ତ ଦୂରର କଥା ପେଟପୁରା ଖାଇବା ମଧ୍ୟ ଅସମ୍ଭବ ହୋଇଯାଉଛି ।ଏପରିକି କେତୋଟି ଜିଲ୍ଲାରେ ଅଖାଦ୍ୟ ଖାଇ ଲୋକେ ଅନାହାର ଏବଂ ରୋଗର ଶିକାର ହେଉଛନ୍ତି ।ଖାଦ୍ୟର ଅଭାବ ଆମର ଆଗାମୀ ପିଢ଼ିକୁ ଶାରୀରିକ ଏବଂ ମାନସିକ ସ୍ତରରେ ଅନୁନ୍ନତ କରୁଛି । ସେମାଙ୍କର ବିକାଶରେ ବାଧା ସୃଷ୍ଟି କରୁଛି।ଯେଉଁଠି ବଞ୍ଚିବା ପାଇଁ ମଣିଷ ସଂଘର୍ଷରତ, ସେଠି ପ୍ରଗତି ଏବଂ ଦୂରଦର୍ଶିତାର ବହୁଦୂର ଯାଏ କିଛି ସମ୍ବନ୍ଧ ନାହିଁ ।ଖାଦ୍ୟ ଅଭାବର ମୁଖ୍ୟ କାରଣ ପଛରେ ରହିଛି ଖାଦ୍ୟ ଉତ୍ପାଦନର ଉତ୍ସ । ଆମେ ଖାଉଥିବା ଖାଦ୍ୟର ମୁଖ୍ୟ ଉତ୍ସ ହେଉଛି କୃଷି । ତେଣୁ ଖାଦ୍ୟ ପାଇଁ ଆମେ ଆମର କୃଷକ ମାନଙ୍କ ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର ବିଷୟ ଆମ ପିଢ଼ିର କେହି ବି ଭବିଷ୍ୟତରେ କୃଷକ ହେବାକୁ ଚାହୁଁନାହାନ୍ତି। ସମସ୍ତେ ବଡ଼ ବଡ଼ ପଦବୀରେ ଚାକିରୀ କରିବେ।କୃଷିକାମ ପାଇଁ କାହାରି ମନରେ ସମ୍ମାନ ନାହିଁ, ତେଣୁ କୃଷକ ମାନଙ୍କୁ କେହି ଆଦର କରନ୍ତି ନାହିଁ । ମଣିଷ ଏଡ଼େ ଅଵିଵେକୀ, ତାର ପ୍ରତ୍ୟେକ ଖାଇବା ଗୁଣ୍ଡା ଯେ ଜଣେ କୃଷକର ଦିନସାରାର ହାଡ଼ଭଙ୍ଗା ପରିଶ୍ରମର ଫଳ ବୋଲି ଜାଣିପାରେ ନାହିଁ ।
ତେଣୁ ସମସ୍ତେ କୃଷିର ଆବଶ୍ୟକତା ବିଷୟରେ ସଚେତନ ହେବା ଦରକାର ।ଖାଦ୍ୟର ଅଭାବକୁ ଦୂର କରିବା ପାଇଁ ଖାଦ୍ୟର ଅପଚୟ କୁ ରୋକିବାକୁ ହେବ । ଖାଦ୍ୟର ଗୋଟିଏ କଣିକା ବି ଯେମିତି ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ସହିତ ଅଭାବୀ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚେଇବା ପାଇଁ ଚେଷ୍ଟିତ ହେଲେ ଖାଦ୍ୟାଭାବ ଜନିତ ସବୁ ସମସ୍ୟାର ଆଶୁ ସମାଧାନ ହୋଇପାରିବ ।ଖାଦ୍ୟ ଉତ୍ପାଦନର କ୍ଷମତା ନ ଥିଲେ ମଧ୍ୟ ଖାଦ୍ୟକୁ ନଷ୍ଟ ହେବାରୁ ରୋକିବା ଏବଂ ତାକୁ ସଂରକ୍ଷଣ କରି ଠିକ ରୂପେ ବ୍ୟବହାର କରିବାର ଗୁରୁଦାୟିତ୍ୱ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ।ଆଜି ଆମେ ସମସ୍ତେ ଅକ୍ଟୋବର ୧୬ ,ବିଶ୍ୱ ଖାଦ୍ୟ ଦିବସରେ ଖାଦ୍ୟ ର ସଦୁପଯୋଗ କୁ ଗୁରୁତ୍ଵ ନେବାର ସଂକଳ୍ପ କରିବା।

ଫୋନ – 6370516478