ନୂଆ ଭୂମିକାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଦିଲ୍ଲୀ ରାମଲୀଳାରେ ସାଜିଲେ ‘ନିଷାଦରାଜ ଗୁହ’

ଭୁବନେଶ୍ୱର: ନୂଆ ଅବତାରରେ ନଜର ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମୈଦାନରେ ଆୟୋଜିତ ପ୍ରସିଦ୍ଧ ଲବକୁଶ ରାମଲୀଳାରେ ସେ ଅଭିନେତା ସାଜିଛନ୍ତି। ବୁଧବାର ଦିନ ମଞ୍ଚସ୍ଥ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ଓରାମ ରାମାୟଣର ଏକ ପ୍ରମୁଖ ଚରିତ୍ର ତଥା ଆଦିବାସୀ ରାଜା ନିଷାଦରାଜ ଗୁହଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ବନବାସ ସମୟରେ ନିଷାଦରାଜ ଗୁହ ତାଙ୍କୁ ସ୍ୱାଗତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟକୁ ସେ ନିଖୁଣ ଭାବେ ନିଜ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମର ଏକ ଅଂଶ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ବେଶ୍ ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବଣର ରାଜା ତଥା ଆଦିବାସୀ ଏବଂ ପଛୁଆ ବର୍ଗର ନେତା ନିଷାଦରାଜଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିବାରୁ ମୁଁ ଲବକୁଶ ରାମଲୀଳା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ବନବାସ ସମୟରେ ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ଏବଂ ପରଦିନ ସକାଳେ ତାଙ୍କୁ ବିଦାୟ ଦେବା ମୋର ଭୂମିକା ଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏକ ବଡ଼ ଅନୁଭୂତି।”

ନିଜର ରାଜନୈତିକ ଯାତ୍ରା ସମ୍ପର୍କରେ ସ୍ମୃତି ଚାରଣ କରି ଜୁଏଲ ଓରାମ କହିଛନ୍ତି ଯେ, ସେ ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ। ଦଳ ତାଙ୍କୁ ସୁଯୋଗ ଦେଲା ଏବଂ ଲୋକଙ୍କ ଭଲପାଇବା ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି। ନିଜର ଅଭିନୟ ନେଇ ସେ କହିଛନ୍ତି, “ଯେହେତୁ ମୁଁ ସେହି ସମ୍ପ୍ରଦାୟରୁ ଆସିଛି ଏବଂ ନିଷାଦରାଜଙ୍କ ବଂଶଧର, ତେଣୁ ତାଙ୍କର କିଛି ଗୁଣ ମୋ ଭିତରେ ନିଶ୍ଚୟ ଥିବ। ମୁଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଛି ଏବଂ ସଫଳ ହେବି ବୋଲି ମୋର ବିଶ୍ୱାସ ରହିଛି।” ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ଅନୁଷ୍ଠିତ ହେଉଥିବା ଲବକୁଶ ରାମଲୀଳା ହେଉଛି ଦେଶର ସବୁଠାରୁ ପ୍ରସିଦ୍ଧ ରାମଲୀଳା ମଧ୍ୟରୁ ଅନ୍ୟତମ, ଯେଉଁଥିରେ ବିଭିନ୍ନ ବଡ଼ ବଡ଼ ବ୍ୟକ୍ତିବିଶେଷ ଭାଗ ନେଇଥାନ୍ତି।