ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଆର୍ ଏସ୍ ଗୋପାଳନ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ବା ଭିଆରଏସ୍ (VRS) ପାଇଁ ଆବେଦନ କରିଛନ୍ତି। ସେ ନିଜର ସ୍ୱାସ୍ଥ୍ୟଗତ ଏବଂ ବ୍ୟକ୍ତିଗତ କାରଣ ଦର୍ଶାଇ ସରକାରଙ୍କୁ ଏହି ଆବେଦନ ପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆର୍ ଏସ୍ ଗୋପାଳନ୍ ହେଉଛନ୍ତି ଜଣେ ୨୦୦୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଗତ ଦୁଇ ବର୍ଷ ଧରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇ ଆସୁଥିଲେ। ଏଥିସହ ବର୍ତ୍ତମାନ ସେ ରାଜ୍ୟ ଅବକାରୀ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲେ। ରାଜ୍ୟରେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀ ଗୋପାଳନଙ୍କର ସେବା କାର୍ଯ୍ୟକାଳ ଆସନ୍ତା ଜୁନ୍ ୨୦୨୮ ରେ ଶେଷ ହେବାର ଥିଲା। ମାତ୍ର ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।