ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍‌‌ ହେବା ପାଇଁ ଗୌତମ ଗମ୍ଭୀରଙ୍କୁ ଆବେଦନ କରିବାକୁ ବିସିସିଆଇର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ମୁଖ୍ୟ କୋଚ୍ ଅନ୍ବେଷଣରେ ବିସିସିଆଇ । ଉପଯୁକ୍ତ ପ୍ରାର୍ଥୀ ଖୋଜିବା ସହିତ ବିସିସିଆଇ ନୂତନ କୋଚ୍ ପାଇଁ ଆବେଦନର ଆହ୍ବାନ କରିଛି । ରାହୁଲ ଦ୍ରାବିଡଙ୍କ ପରେ ଏହି ହାଇପ୍ରୋଫାଇଲ ପଦରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ନିଯୁକ୍ତି ଦେବା ପାଇଁ ବିସିସିଆଇ ଆଶାବାଦୀ ରହିଥିବା ଜଣା ପଡ଼ିଛି । ଇତି ମଧ୍ୟରେ ବିସିସିଆଇ ପକ୍ଷରୁ ଗମ୍ଭୀରଙ୍କ ସହ ଯୋଗାଯୋଗ କରାଯାଇ ଆବେଦନ ପତ୍ର ଦାଖଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆଇପିଏଲ୍‌ ଶେଷ ହେବା ପରେ ଉଭୟ ପକ୍ଷ ମଧ୍ୟରେ ବାକି ଆଲୋଚନା କରାଯିବ ।

ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ । ଜୁଲାଇ ୧ତାରିଖରୁ ନୂଆ କୋଚ କାର୍ଯ୍ୟଭାର ଗ୍ରହଣ କରିବେ । ନୂଆ କୋଚ୍‌ଙ୍କ କାର୍ଯ୍ୟକାଳ ଜୁଲାଇ ୧ରୁ ଆରମ୍ଭ ହୋଇ ୨୦୨୭ ଡିସେମ୍ବରରେ ଶେଷ ହେବ । ବର୍ତ୍ତମାନ କୋଚ୍‌ ଥିବା ଦ୍ରାବିଡଙ୍କୁ ୨ବର୍ଷ ପାଇଁ କୋଚ ନିଯୁକ୍ତ କରାଯାଇଥିଲା । ଦିନିକିଆ ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ପ୍ରବେଶ କରିବା ପରେ ବିସିସିଆଇର ଅନୁରୋଧ କ୍ରମେ ଦ୍ରାବିଡ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପର୍ଯ୍ୟନ୍ତ କୋଚ୍ ଦାୟିତ୍ୱ ସମ୍ଭାଳିବାକୁ ରାଜି ହୋଇଥିଲେ । ମାତ୍ର ଆଗକୁ ସେ ଆଉ କୋଚ୍‌ ଦାୟିତ୍ୱ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି ।