ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା, ୨ ଅଟକ

କେନ୍ଦୁଝର: ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗାଁର ପାରାଭାଡି ସାହିରେ ଘଟିଛି ଏପରି ଜଘନ୍ୟ ହତ୍ୟା କାଣ୍ଡ । ମୃତକ ହେଲେ କୁନ୍ତଳା ନାୟକ । ଘର ବାରଣ୍ଡାରେ କୁନ୍ତଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି ।

ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଜମିବାଡିକୁ ନେଇ ରବିନ୍ଦ୍ରଙ୍କ ସହ କୁନ୍ତଳାଙ୍କର ବିବାଦ ଲାଗିରହିଥିଲା । ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ନାୟକ ଓ ତାଙ୍କର ଦୁଇ ପୁଅ ମଙ୍ଗଳୁ ନାୟକ, ପୁରେନ୍ଦ୍ର ନାୟକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଘଟଗାଁ ପୋଲିସ ଓ ସାଇଣ୍ଟିଫିକ୍ ଟିମ ଆଜି ସକାଳୁ ପହଞ୍ଚି ତଦନ୍ତ କରିଛନ୍ତି । ଘଟଣାରେ ସଂପୃକ୍ତ ରବୀନ୍ଦ୍ର ନାୟକ ଓ ତାଙ୍କ ପୁଅ ମଙ୍ଗଳୁ ନାୟକକୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟତମ ପୁଅ ପୁରେନ୍ଦ୍ର ନାୟକ ଫେରାର ଥିବା ଜଣାପଡିଛି।