ଝାନସୀ: ଉତ୍ତର ପ୍ରଦେଶ ଝାନସୀ ଦେଇ ଯାଇଥିବା କାନପୁର ହାଇୱେର ପାରିଛା ଓଭରବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବରଯାତ୍ରୀ କାର୍କୁ ଟ୍ରକ୍ ପଛ ପଟୁ ଧକ୍କା ଦେଇଛି। ଏଥିଯୋଗୁଁ କାର୍ରେ ଲାଗିଥିବା ଏଲ୍ପିଜି ସିଲିଣ୍ଡର ଫାଟି ନିଆଁ ଲାଗିଯାଇଛି। ଏଥିରେ ବର ତାଙ୍କ ଭାଇ, ପୁତୁରା ଏବଂ କାର୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଉ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ ତଲାସୀ ଅଭିଯାନ ଆରମ୍ଭ କରିଛି। ବିବାହ ପୂର୍ବରୁ ଗାଁରେ ଶୋକର ବାତାବରଣ ଖେଳି ଯାଇଛି। ସୂଚନା ଅନୁଯାୟୀ ବିଲାଟି ଗ୍ରାମର ଆକାଶ ଅହିରୱାର (୨୫)ଙ୍କ ବିବାହ ଥିଲା। ସେ ରାତିରେ ବରଯାତ୍ରୀଙ୍କୁ ଧରି କନ୍ୟା ଘର ଛପରା ଗାଁ ଅଭିମୁଖେ ବାହାରି ଥିଲେ। ଏହି ସମୟରେ ଦ୍ରୁତ୍ଗତିରେ ଆସୁଥିବା ଟ୍ରକ୍ ପଛପଟୁ କାର୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ମାତ୍ର ଏହା ପୂର୍ବରୁ ବର ସମେତ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା।