ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଯୁଦ୍ଧ ପରି ପରିସ୍ଥିତି । କାଶ୍ମୀରବାସୀ ପାକିସ୍ତାନ ଅତ୍ୟାଚାର ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ରାସ୍ତାକୁ ଓହ୍ଲାଇ ଲୋକେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଅସନ୍ତୋଷର ନିଆଁରେ ଜଳୁଥିବା ପିଓକେବାସୀ ପାକିସ୍ତାନୀ ସେନାକୁ ବି ଡରୁ ନାହାନ୍ତି । ଏକାଧିକ ସ୍ଥାନରେ ଆନ୍ଦୋଳନକାରୀ ଓ ପାକିସ୍ତାନୀ ସେନା ମୁହାଁମୁହିଁ ହୋଇଛନ୍ତି । ଏପରିକି ଜଣେ ସବ ଇନ୍ସପେକ୍ଟରର ମୃତ୍ୟୁ ଘଟିଥିବା ଓ ଏକାଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ପାକିସ୍ତାନୀ ମିଡିଆ ରିପୋର୍ଟ କରିଛି । ଏମିତି ବିଦ୍ରୋହ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି । ପିଓକେ ସ୍ଥିତିକୁ ନେଇ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ରାଷ୍ଟ୍ରପତି ଭବନରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ପିଓକେରେ ଶାନ୍ତି ଫେରାଇ ଆଣିବାର ବାଟ ବାହାର କରିବାରେ ସହଯୋଗ କରିବାକୁ ରାଷ୍ଟ୍ରପତି ସବୁ ଅଧିକାରୀଙ୍କୁ କହିଛନ୍ତି ।
ସୂଚନାଯୋଗ୍ୟ ଶୁକ୍ରବାର ପରି ଶନିବାର ମଧ୍ୟ ପିଓକେରେ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜମ୍ମୁ କାଶ୍ମୀର ସଂଯୁକ୍ତ ଆଓ୍ବାମୀ ଆକ୍ସନ କମିଟି ଡାକରାରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଏକାଧିକ ସ୍ଥାନରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା ।
ଜମ୍ମୁ-କାଶ୍ମୀର ଜଏଣ୍ଟ ଅୱାମୀ ଆକ୍ସନ କମିଟି ଆଜି ପଦଯାତ୍ରା ଘୋଷଣା କରିଥିଲା। ଏହାକୁ ବନ୍ଦ କରିବା ପାଇଁ ୭୦ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଥିଲା। ପାକିସ୍ତାନ ସେନା ଶିଶୁଙ୍କୁ ମଧ୍ୟ ଛାଡ଼ି ନ ଥିଲା। ଲୁହବୁହା ଗୋଳା ମାଡ଼ କରାଯାଇଥିଲା। ଏହା ଯାଇ ଏକ ସ୍କୁଲ୍ ଭିତରେ ପଡ଼ିବାରୁ ଅନେକ ଶିଶୁ ଆହତ ହୋଇଛନ୍ତି। କମିଟି ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଫେବୃଆରୀରେ ହୋଇଥିବା ଚୁକ୍ତି ପାଳନ କରିବାକୁ ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ ଡକରା ଦିଆଯାଇଥିଲା। ଏଥିରେ ପରିବହନ ସେବାରେ ସାମିଲ ଲୋକ ବି ସାମିଲ ହୋଇଥିଲେ। ସରକାର ଏ ପର୍ଯ୍ୟନ୍ତ ଚୁକ୍ତି ପୂରଣ କରିନାହାନ୍ତି ବୋଲି କମିଟି ଅଭିଯୋଗ ଲଗାଇଛି। ଏଥିପାଇଁ ମଜଫରାବାଦ ସହିତ ସମହନୀ, ସେହଂସା, ମିରପୁର, ରାୱଲକୋଟ, ଖୁଇରତା, ତତାପାନି, ହଟିୟନ ବାଲାରେ ପ୍ରଦର୍ଶନ କରାଯାଇଛି।