ଆଜି ଓଡ଼ିଶାର ୩ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର; କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାକୁ ଦେବେ ଉଦବୋଧନ

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନିଟି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ । କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ ଫୁଲବାଣୀରେ ଏକ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ସେ ବଲାଙ୍ଗୀର ଯାଇ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହା ପରେ ପ୍ରଧାନମନ୍ତ୍ରୀ ବରଗଡ଼ର ବରାହାଗୁଡ଼ା ଟୋଲଗେଟ୍ ନିକଟରେ ଥିବା ବିକାଶ ଭିନଟେଜ୍ ପଡ଼ିଆରେ ଜନସଭାରେ ଉଦବୋଧନ ଦେବା ସହିତ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନୋଟି ଜିଲ୍ଲାରେ ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବଲାଙ୍ଗିରରେ ୨ଶହ ପୁଲିସ ଅଧିକାରୀ, ୩୦୦ ହୋମଗାର୍ଡ ଏବଂ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ଵରରେ ରୋଡ୍ ଶୋ କରିଥିଲେ ପ୍ରଧାନମନ୍ତ୍ରୀ।