ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଗୋପାଳପୁର ବିଜେଡିର ପ୍ରଚାର ମଞ୍ଚରୁ ଏନେଇ ଆଜି ଘୋଷଣା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଜେଡିର ମାନିଫେଷ୍ଟୋ ଘୋଷଣା ହେବା ନେଇ କହିବା ଅବସରରେ ବିରୋଧୀଙ୍କ ମାନିଫେଷ୍ଟାକୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସନ୍ଧ୍ୟାରେ ବିଜେଡିର ଇସ୍ତାହାର ଆସିବ, ଇସ୍ତାହାର ଦେଖି ସାରା ଓଡିଶାର ଲୋକ ଖୁସି ହେବେ ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କଥା କମ୍, କାମ ବେଶୀ କରନ୍ତି । ମାନିଫେଷ୍ଟୋରେ ଯାହା କୁହନ୍ତି, କାମ ତାଠୁ ଅଧିକ କରନ୍ତି । ସେଥିପାଇଁ ଓଡିଶାବାସୀ ତାଙ୍କୁ ଅଧିକ ଭଲପାଆନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ଅଧିକ ମାର୍ଜିନରେ ଜିତେଇଥାନ୍ତି ବୋଲି ଗୋପାଳପୁରରୁ କହିଛନ୍ତି ପାଣ୍ଡିଆନ୍ ।
୨୦୧୪ରେ ବିରୋଧୀ ବିଜେପି ମାନିଫେଷ୍ଟୋ ଆଣିଥିଲା। ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ । ଦରଦାମ କମାଇବାକୁ କହିଥିଲେ । ହେଲେ ଓଡ଼ିଶାରେ ନିର୍ବାଚନରେ ୨୦ରୁ କମ ସିଟ୍ ପାଇଲେ। ୨୦୧୯ରେ ମାନିଫେଷ୍ଟୋ ଆଣିଥିଲେ ବିରୋଧୀ। ଅପପ୍ରଚାର କଲେ, ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଲେ। ବିରୋଧୀ ମାନିଫେଷ୍ଟୋରେ ଯାହା କୁହନ୍ତି, କିଛି କରନ୍ତିନି। ବିଜେପି ୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତି। ୨୪ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି।
ବିରୋଧୀଙ୍କୁ ଟାର୍ଗେଟ୍ କରି ପାଣ୍ଡିଆନ୍ କହିଛନ୍ତି, ବ୍ରହ୍ମପୁରରେ ପୂର୍ବରୁ ଦୁଇଟି ପୋଗ୍ରାମ ହେଇଥିଲା, ବଡ ବଡ ନେତା ଆସିଥିଲେ । ହେଲେ ସେହି ପୋଗ୍ରାମ ଏବଂ ଆଜିର ପ୍ରୋଗ୍ରାମ ଭିତରେ ବହୁତ ଫରକ୍ ଅଛି । ଏଠି ଜନସମୁଦ୍ର ସହ ଲୋକଙ୍କ ଜୋସ୍ ଅଛି ବୋଲି କହିଛନ୍ତି ବିଜେଡି ନେତା ପାଣ୍ଡିଆନ୍ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ହେଉଥିବା ୨୮ ବିଧାନସଭା, ୪ ଲୋକସଭା ସିଟ୍ ନିର୍ବାଚନରେ ବିଜେଡି ୯୦% ଷ୍ଟ୍ରାଇକ୍ ରେଟ୍ ରଖୁଛି । ଲୋକଙ୍କ ଆର୍ଶୀବାଦ ରହିଲେ ଏହି ୯୦ ପ୍ରତିଶତ ବି ଶହେ ପ୍ରତିଶତ ହେଇପାରିବ ବୋଲି ସେ କହିଛନ୍ତି ।