ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି, କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ବସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ। କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ସହ ବର୍ଷା ହୋଇଛି। ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇଛି । ନୟାଗଡ଼, ପୁରୀ ଓ ଗଞ୍ଜାମ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ଜନିତ ବର୍ଷା ହୋଉଛି। ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆସନ୍ତାକାଲିଠାରୁ ସାରା ରାଜ୍ୟକୁ ଭିଜାଇବ ।

ଆସନ୍ତାକାଲି ପାଇଁ ରାଜ୍ୟର ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୮ ଏବଂ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ । ଫଳରେ ସମୁଦ୍ର ଅଶାନ୍ତ ଯୋଗୁ ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ଏହାସହ ଆଗାମୀ ୨୪ଘଂଟା ପାଇଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବିସ୍ତୃତ ବର୍ଷା ବୃଦ୍ଧି ପାଇବ । ବର୍ଷା କାରଣରୁ ସମଗ୍ର ଓଡ଼ିଶାରେ ଦିନ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।