ଝିଅର ମା ହବାକୁ କିଏ ଖୁସି ହୁଏ କି? 

ଚନ୍ଦ୍ର ଉଦିଆ ମୁହଁରେ ସକାଳର ସୂର୍ଯ୍ୟ ପରି ରକ୍ତବର୍ଣ ର ସିନ୍ଦୁର ପିନ୍ଧି ମଥାରେ ଓଢଣା ଦେଇ ଚଉରା ମୂଳେ ସଂଜ ବତୀ ଜାଳି ତୁମ ପରିବାର ପାଇଁ ଶୁଭ ମନସୁଥିବା ସ୍ତ୍ରୀ ଟିଏ, ନିଜଘର ର ଶୋଭା ବଢା଼ଉ ଥିବା କୁଳ ଲକ୍ଷ୍ମୀ ଟି ଏ ସମସ୍ତେ ଚାହାଁନ୍ତି ହେଲେ ସେ କୁଳଲକ୍ଷ୍ମୀ କୋଳରେ ଝିଅଟିଏ, ଲକ୍ଷ୍ମୀଟିଏ ଆସୁ ଏକଥା କେହି ସହଜରେ ଗ୍ରହଣ କରି ପାରନ୍ତିନି ।କଳ କଳ ଛଳ ଛଳ ଝରଣା ପରି ପାଉଁଜି ପିନ୍ଧି ତୁମ ଘର ଅଗଣାରେ ଦଉଡୁଥିବା ଝିଅଟି ଦିନେ ବଡ ହୋଇ କାହାର  ଭଉଣୀ, ସ୍ତ୍ରୀ, ବୋହୁ, ମା, ଶାଶୁ, ଵା ବୁଢ଼ୀ ମା ଭୂମିକା ନିଏ ।ତେବେ ଭୃଣ ଟିଏ,  ଝିଅ ଟିଏ, କଳି ଟିଏ ଅବସ୍ଥାରେ କାହିଁକି ସେ କ୍ରୁଶବିଦ୍ଧ? 

ଦୁନିଆଁ କୁହେ ବନିତା, ଲତା, ବିନା ସାହାରା ରେ ତିଷ୍ଠି ପାରନ୍ତିନି ।ସେ ଦୁର୍ବଳା, ଅବଳା ବୋଲି ସୃଷ୍ଟିର ଆଦିମ କାଳରୁ ଚିତ୍ରିତ  ହୋଇଛି, ମାତ୍ର ଏଵେ ସେ ପ୍ରତିପାଦିତ କରିସାରିଛି ଖାଲି ବିବାହ କରି  ରୋଷେଇ ଘର ସମ୍ଭାଳିବାରେ ତା ଜୀବନ ଆଉ ସୀମିତ ହୋଇ ନାହିଁ, ସେ ଆକାଶରେ ଉଡି ପାରୁଛି, ମହାକାଶରେ ପାଦ ଥାପିପାରୁଛି, ପାଣିର ଗଭୀର ପ୍ରଦେଶରୁ ତଥ୍ୟ ଆଣି ପାରୁଛି,  ବୈଜ୍ଞାନିକ ହୋଇ ଉଦ୍ଭାବନ କରି ପାରୁଛି, ଯନ୍ତ୍ରୀ ହୋଇ ଗଢି ପାରୁଛି, ଡାକ୍ତରଟିଏ ହୋଇ ଜୀବନ ରକ୍ଷା କରିପାରୁଛି, ଧରିତ୍ରୀ ପରି ସବୁ ମାଡ ଗାଳି ମାନ ଅପମାନ ସହି  ପିତା ଓ ପତି ଦୁଇ ଘର ଭିତରେ ବନ୍ଧ ବାନ୍ଧୁଛି, ଜୀବନ ର ସବୁଠୁ ବଡ଼ କଷ୍ଟ ସହି ସେ ମା’ ହୋଇ ଜୀବନ ସୃଷ୍ଟି କରି ପାରୁଛି ଓ  ତା ପିଲାଙ୍କୁ ଜୀବନର ସୁମାର୍ଗ ମଧ୍ୟ ଦେଖାଉଛି।
ଯେଉଁ ପିତା ଘରେ ସେ ଦୁନିଆଁ ଦେଖିଥିଲା, ଦିନେ ଛୋଟରୁ ବଡ଼ ହୋଇଥିଲା ତାକୁ ଛାଡି ସେ ଅନେକ ଅପରିଚିତ ଲୋକଙ୍କୁ ନିଜର କରେ ।ନିଜର ଇଛାକୁ, ମନ, ପ୍ରାଣ, ଶରୀରକୁ ଶୀଥିଳ କରି ତିଳ ତିଳ ଜାଳି ଅନ୍ୟ ଜୀବନରେ ଉଷ୍ଣତା ଓ ଖୁସି ଭରେ। ସମସ୍ତଙ୍କ ସ୍ବପ୍ନକୁ ସଫଳ କରିବାକୁ ନିଜ ଆଶା, ଆକାଂକ୍ଷା କୁ ପଛରେ ପକେଇ ନିଜକୁ ଅନେକ ଅନେକ ଖଣ୍ଡରେ ସେ  ବିଭକ୍ତ କରେ,  ସମସ୍ତଙ୍କୁ ଏକାଠି କରିବାକୁ ।ପିତାଙ୍କ ଘରର ସ୍ୱାଧୀନ, ସୁରକ୍ଷିତ ଜୀବନ କୁ ଛାଡି ଏକ ପରାଧୀନ, ତିକ୍ତ ଜୀବନରେ ଘାଣ୍ଟି ହୋଇ ସେ ଅନ୍ୟ ମାନଙ୍କ ସୁଖ ରେ ନିଜ ସୁଖ ଖୋଜେ
ଝିଅଟିକୁ ପାଠ ଶାଠ ପଢ଼ାଇ ବଡକଲା ପରେ ତା ପାଇଁ  ଯୋଗ୍ୟ ବର ପାତ୍ର  ଖୋଜିବା ଏଵେ ଏକ କଠିନ ସମସ୍ୟା।ଝିଅଟିକୁ ପଣ୍ୟ ଦ୍ରବ୍ୟ ପରି ଲୋକଙ୍କ ସାମ୍ନାରେ ବାହାଘର ପାଇଁ ସଜେଇ ହୋଇ ବସିବାକୁ ପଡେ।ରଙ୍ଗରୂପଢଙ୍ଗ ଦେଖି କେହି ପସନ୍ଦ କଲେଯୌତୁକ ନାମରେ ଗୋରୁଗାଈ ପରି ଚାଲେ ମୂଲଚାଲ !
ହେଲେ  କଣପାଇଁ  ମୂଲଚାଲ ! ସେ ପାଠ ପଢ଼ିଛି, ଚାକିରୀ ମଧ୍ୟ କରି ପରିବାର ଚଳାଇବାରେ ହାତ ପକାଉଛି, ଘର କାମ କରୁଛି, ସମସ୍ତଙ୍କ ହାନିଲାଭ ଦେଖୁଛି, ଜନ୍ମ ନେଇ ବଡ଼ ହୋଇଥିବା ବାପ ଘର ଭୁଲି ସ୍ୱାମୀଙ୍କ ଘରକୁ ଆପଣାର କରୁଛି, ନମାସ  ଗର୍ଭ କଷ୍ଟ, ଗର୍ଭ ଯନ୍ତ୍ରଣା ସହି ସେ  ମା ହେଉଛି, ନହେଲେ ସମାଜରେ ସେ ଅସମ୍ପୂର୍ଣୀ,ଅଭିଶପ୍ତା !
ଏତେ ତ୍ୟାଗ  ପରେ ମଧ୍ୟ ଏ  ସଂସାର କଣ ସମ୍ମାନ ରଖିଛି ଝିଅଟିଏ, ନାରୀ ଟିଏ ପାଇଁ  ! କେଉଁଠି ନା କେଉଁଠି ତା ଜୀବନ ଭୁଲୁଣ୍ଠିତ ହେଉଛି ।କେବେ ମା ପେଟରେ, ପରିବାରକୁ ସ୍ୱାଗତ ନକରିବାକୁ ଦୁନିଆଁ ଦେଖିବା ପୂର୍ବରୁ ସେଇ  ଅନ୍ଧାରରେ ତାକୁ ତା ଜୀବନର ବଳିଦାନ ଦେବାକୁ ପଡୁଛି, ତ କେବେ ଆଠ ମାସ, ତିନିବର୍ଷର ଶିଶୁ ଅବସ୍ଥାରେ, ବଡହେଲେ କେବେ ସାଙ୍ଗ ଘରେ, ସ୍କୁଲ କଲେଜ, ହଷ୍ଟେଲ, ଅଫିସ, ରାସ୍ତା ଘାଟ, ମନ୍ଦିରରେ ଏମିତିକି ନିଜ ଆତ୍ମୀୟ ମାନଙ୍କ ଦ୍ୱାରା ମଧ୍ୟ ସେ ପୀଡିତା, ସେମାନଙ୍କର ଦୁଷ୍କର୍ମର ଶିକାର ହୋଇ ନିଜେ ଅପରାଧିଙ୍କ ପରି ମୁହଁ ଲୁଚାଉଛି । ପ୍ରତିଟି ପଦକ୍ଷେପରେ ତାପାଇଁ ପରୀକ୍ଷାର କଠୋରତା, ଅଶେଷ ପ୍ରଶ୍ନର ସୀମାରେଖା । ଆଜିକାଲି ଯାହାକୁ ପଚାରିବ କଣ ନାଁ ପୁଅ ଝିଅ ସବୁ ସମାନ ହେଲେ ଏ କେବଳ ନାଁ କୁ ମାତ୍ର ! ତାଠାରୁ ତ ଭଲ ମା’ ପେଟରେ ଭୃଣ ଅବସ୍ଥାରେ ମରିଯିବା ଟା ! ଆଉ ସେଇଥି ପାଇଁ ବୋଧେ କେହି ଗୋଟେ ଝିଅର ମା ହେବାକୁ ଚାହଁନ୍ତିନି ।

ଝିଅଟିର ଜନ୍ମ ପରେ ପରେ ପିତାମାତାଙ୍କର ଚିନ୍ତା ସେ କେମିତି ବଡ଼ ହେବ, ପଢି ଚାକିରୀ କରୁ ନ କରୁ ଭଲ ବର ପାଇ ଶାଶୁ ଘରେ ଖୁସିରେ ରହିବ।ଭଲ ବୋହୁ ହେବାକୁ ତାକୁ ମା’ ପ୍ରଥମରୁ ତାଲିମ ଦେବାରେ ଲାଗିଥାଏ,  “ଏମିତି ବସ, ସେମିତି ହସ, ଏପରି କଣ ଚାଲୁଛୁ, ଏମିତି କଣ ଜବାବ ଦେଉଛୁ ଶାଶୁ ଘରେ କେମିତି ଚଳିବୁ?” ସେମିତି ପୁଅ ମାନଙ୍କୁ ବି ସୌଷ୍ଠବତା ଶିକ୍ଷା ଦେବା ଜରୁରୀ ନୁହେଁ କି ? ଯଦି ପୁଅ ମାନଙ୍କୁ ଛୋଟରୁ ଶିକ୍ଷା ଦିଆ ଯାଆନ୍ତା ତେବେ, “ଛକ ଉପରେ ବସି ଝିଅଙ୍କୁ କମେଣ୍ଟ ମାରିବା, ଏକୁଟିଆ ଝିଅଟିଏ ପାଇଲେ ଦୁଷ୍କର୍ମ କରି ମାରିଦେବା, ସ୍ତ୍ରୀ କୁ ମାଡ ମାରିବା ଆଦି କେତେ ମାତ୍ରାରେ କମି ଯାଆନ୍ତା. ” ପୁଅ ପାଠ ପଢୁ,  ନପଢ଼ୁ, ରୋଜଗାର କରୁ ନକରୁ ତାପାଇଁ ସଂସ୍କରୀ, ସୁନ୍ଦରୀ, ମୋଟା ଅଙ୍କ ଯୌତୁକ ଆଣି ପାରୁଥିବା ଝିଅଟିଏ ଖୋଜାଯାଏ, ଯିଏ ନିଜର ଦେଖିଥିବା ସ୍ବପ୍ନକୁ ତ୍ୟାଗ କରି ପତି ପରମେଶ୍ୱର ଓ ତାଙ୍କ ପରିବାର ପାଇଁ ଜୀବନ ଉତ୍ସର୍ଗ କରିବ ।ତାର ମାନେ ନୁହେଁଯେ ସବୁ ପୁଅ ଖରାପ, ଖାଲି ଝିଅ ମନେ ସୁନା ମାତ୍ର ଦେଖିଲେ ଅଧିକ ମାତ୍ରାରେ ଝିଅ ମନେ ହିଁ ପୀଡିତା ।
ବୋଧହୁଏ ସ୍ତ୍ରୀ ଲୋକଙ୍କୁ ସବୁବେଳେ ବୋକା ବନାଇବା ଖୁବ ସହଜ । ଘରର ମାଲିକିଆଣିର ଆକ୍ଷ୍ୟା ଦେଇ ଚାକରାଣୀ ପରି ସବୁ କାମ କରାଅ, ସବୁ ଦାୟୀତ୍ୱ ତା ମୁଣ୍ଡରେ ଲଦିଦିଅ।ହେଲେ ଦେଖିବାକୁ ଗଲେ କିଛିବି ତୁମର ନୁହେଁ । ଏମିତି କି ଘର, ପିଲା ଓ ଅନ୍ୟ ମାନଙ୍କ କଥା ବୁଝି ସାରି, ରକ୍ତ, ମାଂସ ପାଣି ଫଟାଇ ଅଫିସ ରେ କାମକରି ନିଜେ ରୋଜଗାର କରୁଥିବା ଟଙ୍କା ମଧ୍ୟ୍ୟ।
କେହି ଜଣେ କହିଥିଲେ ନାରୀକୁ ତା ଅଧିକାର ମାଗିନେବା ଦରକାର । ହେଲେ “ଯିଏ ସୃଷ୍ଟି କରୁଛି, ପାଳନ କରୁଛି ସିଏ ସିନା ଅନ୍ୟକୁ ଅଧିକାର ଦେବାକଥା, ସେ ପୁଣି କଣ ଅଧିକାର ମାଗିବ? “ଅଧିକାର ପାଇବାତ ଦୂରର କଥା ତାକୁ ସଂହାର କରାଯାଉଛି ।
ନାରୀ ସର୍ବଶକ୍ତି ର ଆଧାର, ନାରୀ ପୂଜନୀୟା, ବନ୍ଦନୀୟା ଏ ସମାଜ ନୁହେଁ ସେ ନିଜେ ନିଜକୁ ହିଁ ଦୁର୍ବଳା, ଅବଳା ଭାବୁଛି ବୋଲି ଅତ୍ୟାଚାରିତ ହେଉଛି । ସେଥିପାଇଁ ପୁରାଣ ମଧ୍ୟ ଆମକୁ ପ୍ରତିବର୍ଷ ଦୁର୍ଗା ପୂଜା ପାଳନ ଅବସରରେ ଚେତାଇ  ଦେଉଛି ଯେ ଦେବୀ ଦୁର୍ଗା ଜଣେ ନାରୀ ହୋଇ ମଧ୍ୟ, ଶକ୍ତିଶାଳୀ ମହିଷାସୁର ର ବିନାଶ କରିପାରିଲେ । ତେଣୁଅନ୍ୟ ଆଖିରେ ଭଲ ହୁଅ କି ମନ୍ଦ ହୁଅ ମାତ୍ର ନିଜର ସ୍ୱାଧୀନତା, ନିଜର ଖୁସିକୁ କୌଣସି ପରିସ୍ଥିତିରେ ଅନ୍ୟ ହାତରେ ଟେକି ନଦେଇ ନିଜ ସମ୍ମାନ ପ୍ରତି ସଜାଗ ରହିଲେ ଆମେ ଆମ ଜୀବନ ରେ ଆସୁଥବା ମହିଷା ମାନଙ୍କର ବିନାଶ କରି ନିଜ ଖୁସି ନିଜେ ସାଉଁଟି କାଳଜୟୀ ହୋଇପାରିବା ।

ଅନସୂୟା ପଣ୍ଡାକାର୍ଡଗୁଡି, ବାଙ୍ଗାଲୋର ୯୮୪୦୭୦୬୧୪୦