ଆଜି ଗାନ୍ଧୀ ଜୟନ୍ତୀ; ବାପୁଙ୍କୁ ମନେ ପକାଉଛି ସାରା ଦେଶ, ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଥିଲା ଓଡ଼ିଶା

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ। ଦେଶବ୍ୟାପୀ ବାପୁଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରାଯାଉଛି । ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଆଜି ପୁଣି ମନେ ପକାଉଛି ସାରା ଦେଶ । ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମକୁ ସେ ସତ୍ୟାଗ୍ରହ ଓ ଅହିଂସାର ଏକ ନୂଆ ଦିଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଓ ଭାରତ ଛାଡ଼ ଆନ୍ଦୋଳନ ଭଳି ଐତିହାସିକ ଆନ୍ଦୋଳନ ସହ ତାଙ୍କ ନେତୃତ୍ୱ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା। ୧୯୨୧ ରୁ ୧୯୪୬ ମସିହା ମଧ୍ୟରେ ଜାତିର ପିତା ମୋଟ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ନିଜ ଗସ୍ତ ସମୟରେ ସେ ଓଡ଼ିଶାର ବିଭିନ୍ନ ସହର ଓ ଗାଁ ବୁଲିବା ସହ ସାଧାରଣ ଲୋକଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଯାତ୍ରା କେବଳ ରାଜନୈତିକ ଅଭିଯାନ ନଥିଲା, ବରଂ ଓଡ଼ିଶାବାସୀଙ୍କ ସହ ଏକ ଗଭୀର ଭାବନାତ୍ମକ ସମ୍ପର୍କର ମୂଳଦୁଆ ଥିଲା। ସେ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ କରିବା ସହ ଅସ୍ପୃଶ୍ୟତା ଭଳି ସାମାଜିକ କୁପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିଥିଲେ। ତାଙ୍କ ଜନ୍ମବାର୍ଷିକୀ ଅବସରରେ ଓଡ଼ିଶା ସହିତ ତାଙ୍କର ଏହି ଅତୁଟ ସମ୍ପର୍କକୁ ମନେ ପକାଇବା ଏକ ଗର୍ବର ବିଷୟ।

୨୩ ମାର୍ଚ୍ଚ ୧୯୨୧ ରେ ଗାନ୍ଧୀଜୀ ପ୍ରଥମ ଥର ପାଇଁ କଟକ ଆସିଥିଲେ। ଅସହଯୋଗ ଆନ୍ଦୋଳନର ସେହି ଗୁରୁତ୍ୱପୂର୍ଣ୍ଣ ସମୟରେ, ପରଦିନ ସେ କଦମ-ଇ-ରସୁଲ ଠାରେ ନିଜର ପ୍ରଥମ ସାଧାରଣ ସଭା କରିଥିଲେ। ପରେ ବିନୋଦ ବିହାରୀଠାରେ ମହିଳାମାନଙ୍କୁ ଏବଂ ସନ୍ଧ୍ୟାରେ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ। ସେହିପରି ୨୫ ମାର୍ଚ୍ଚ ରେ ଭଦ୍ରକର ଗାନ୍ଧୀ ପଡ଼ିଆ, ପୁରୀର ସତ୍ୟବାଦୀ ବନ ବିଦ୍ୟାଳୟ ଏବଂ ବ୍ରହ୍ମପୁର ଷ୍ଟାଡିୟମରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସହ ମିଶି ସେ ଅହିଂସା ଆନ୍ଦୋଳନର ବାର୍ତ୍ତା ପ୍ରସାର କରିଥିଲେ।

ଅଗଷ୍ଟ ୧୯୨୫ ରେ ତାଙ୍କର ଦ୍ୱିତୀୟ ଗସ୍ତ ମୁଖ୍ୟତଃ ମଧୁସୂଦନ ଦାସ ଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ପରିଦର୍ଶନ ପାଇଁ ଉଦ୍ଦିଷ୍ଟ ଥିଲା। ଏହା ପରେ ଡିସେମ୍ବର ୧୯୨୭ ରେ ସେ ଖଦୀ ଏବଂ ଗ୍ରାମୋଦ୍ୟୋଗର ପ୍ରସାର ପାଇଁ ପୁଣି ଓଡ଼ିଶା ଆସିଥିଲେ। ବ୍ରହ୍ମପୁରର ବିଭିନ୍ନ ଖଦୀ କେନ୍ଦ୍ର ପରିଦର୍ଶନ କରିବା ସହ ଭଦ୍ରକର ବନ୍ୟା ପ୍ରଭାବିତ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଅତ୍ୟଧିକ ଯାତ୍ରା କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ ହେଁ, ଲୋକଙ୍କ ସହ ତାଙ୍କର ସମ୍ପର୍କ ଢେର ମଜବୁତ ହୋଇଥିଲା।

୨୨ ଡିସେମ୍ବର ୧୯୨୮ ରେ କୋଲକାତା କଂଗ୍ରେସ ଅଧିବେଶନକୁ ଯିବା ବାଟରେ ସେ ଗୋଟିଏ ଦିନ ପାଇଁ ପଶ୍ଚିମ ଓଡ଼ିଶାରେ ଅଟକିଥିଲେ। ସେ ଝାରସୁଗୁଡ଼ା ଠାରେ ଏକ ସଭାରେ ଉଦବୋଧନ ଦେବା ପରେ ସମ୍ବଲପୁର ଯାଇ ମହାନଦୀ କୂଳରେ ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଓଡ଼ିଶାର କୋଣ ଅନୁକୋଣ ପାଇଁ ତାଙ୍କ ମନରେ ଦରଦ ଥିଲା।

ଗାନ୍ଧୀଜୀଙ୍କ ପଞ୍ଚମ ଗସ୍ତ ଥିଲା ସମ୍ପୂର୍ଣ୍ଣ ଭିନ୍ନ ଓ ଐତିହାସିକ। ମେ ୧୯୩୪ ରେ ଦଳିତମାନଙ୍କ କଲ୍ୟାଣ ଏବଂ ଅସ୍ପୃଶ୍ୟତା ଦୂରୀକରଣ ଲକ୍ଷ୍ୟ ନେଇ ସେ ଆସିଥିଲେ। ପୁରୀରେ ସେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ କଟକ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଏହାର କିଛି ଦିନ ପରେ ପୁଣି ଥରେ ୨୧ ମେ ରୁ ୭ ଜୁନ୍ ପର୍ଯ୍ୟନ୍ତ ଯାଜପୁରର ବାଇରୀ ଷ୍ଟେସନରୁ ଭଦ୍ରକ ପର୍ଯ୍ୟନ୍ତ ନିଜର ଦୀର୍ଘ ‘ହରିଜନ ପଦଯାତ୍ରା’ ଜାରି ରଖିଥିଲେ। ସାମାଜିକ ସମାନତାର ବାର୍ତ୍ତା ନେଇ ସେ ଗାଁ ଗାଁ ବୁଲି ନିଜେ ଚାଲି ଚାଲି ଯାଇଥିଲେ।

ମାର୍ଚ୍ଚ ୧୯୩୮ ରେ ପୁରୀ ଜିଲ୍ଲା ଡେଲାଙ୍ଗର ବେରବୋଇ ଠାରେ ଅନୁଷ୍ଠିତ ଗାନ୍ଧୀ ସେବା ସଂଘର ଏକ ସପ୍ତାହ ବ୍ୟାପୀ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ତାଙ୍କର ଅଷ୍ଟମ ତଥା ଶେଷ ଗସ୍ତ ଥିଲା ୨୦ ଜାନୁଆରୀ ୧୯୪୬ ରେ। ଟ୍ରେନ ଯୋଗେ ଚେନ୍ନାଇ ଯିବା ବାଟରେ ସେ ବାଲେଶ୍ୱର, ଭଦ୍ରକ, କଟକ ଏବଂ ବ୍ରହ୍ମପୁର ରେ ଏକାଠି ହୋଇଥିବା ହଜାର ହଜାର ସମର୍ଥକଙ୍କୁ ଭେଟିଥିଲେ।

ନିଜର ଏହି ୮ଟି ଗସ୍ତ ମାଧ୍ୟମରେ ମହାତ୍ମା ଗାନ୍ଧୀ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନକୁ ସୁଦୃଢ଼ କରିବା ସହ ସାମାଜିକ ସମାନତା ଓ ଅହିଂସାର ଯେଉଁ ବାର୍ତ୍ତା ଛାଡିଯାଇଥିଲେ, ତାହା ଆଜି ବି ପ୍ରାସଙ୍ଗିକ। ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶାବାସୀ ତାଙ୍କର ସେହି ଦୃଢ଼ ପଦଚିହ୍ନକୁ ଶ୍ରଦ୍ଧାର ସହ ସ୍ମରଣ କରୁଛନ୍ତି।