ଶିଷ୍ୟ ପାଇଁ ଗୁରୁଙ୍କ ଉପଦେଶ ମହାନ, ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବଦା ସର୍ବୋଚ୍ଚ। ଗୁରୁ କେବଳ ଜ୍ଞାନ ପ୍ରଦାନ କରୁଥିବା ଜଣେ ଶିକ୍ଷକ ନୁହନ୍ତି; ସେ ହେଉଛନ୍ତି ଶିଷ୍ୟର ଜୀବନର ମାର୍ଗଦର୍ଶକ, ଚରିତ୍ର ନିର୍ମାତା ଓ ଭବିଷ୍ୟତର ଶିଳ୍ପୀ। ମାତା-ପିତା ଆମକୁ ଜନ୍ମ ଦିଅନ୍ତି। କିନ୍ତୁ ଗୁରୁ ଆମକୁ ଜୀବନର ସଠିକ୍ ମାର୍ଗ ଦେଖାଇ ଜ୍ଞାନ, ଶିକ୍ଷା ଓ ମାନବିକ ମୂଲ୍ୟବୋଧରେ ସମୃଦ୍ଧ କରନ୍ତି। ପ୍ରାଚୀନ ଭାରତର ଗୁରୁକୁଳ ପରମ୍ପରା ଗୁରୁ–ଶିଷ୍ୟ ସମ୍ପର୍କର ଏକ ଉତ୍କୃଷ୍ଟ ଉଦାହରଣ। ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ସେଠାରେ ଶିକ୍ଷା କେବଳ ପୁସ୍ତକ ଓ ପାଠ୍ୟକ୍ରମ ମଧ୍ୟରେ ସୀମିତ ନଥିଲା। ଶିଷ୍ୟମାନେ ସତ୍ୟ, ଶୃଙ୍ଖଳା, ନମ୍ରତା, ସେବା, ସଂଯମ, କର୍ତ୍ତବ୍ୟବୋଧ ଓ ମାନବିକତା ଭଳି ଜୀବନମୂଲ୍ୟ ଶିଖୁଥିଲେ। ଗୁରୁଙ୍କ ଆଚରଣ ହିଁ ଶିଷ୍ୟ ପାଇଁ ଏକ ଜୀବନ୍ତ ପାଠ୍ୟପୁସ୍ତକ ଥିଲା।

ଏକଲବ୍ୟ ଓ ଦ୍ରୋଣାଚାର୍ଯ୍ୟ, ଶ୍ରୀକୃଷ୍ଣ ଓ ସାନ୍ଦୀପନି, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟଙ୍କ ଭଳି ଗୁରୁ–ଶିଷ୍ୟ ସମ୍ପର୍କର ଉଦାହରଣ ଭାରତୀୟ ଇତିହାସ ଓ ପୁରାଣରେ ଗଭୀର ଭାବେ ଉଲ୍ଲେଖିତ। ଏହି କାହାଣୀଗୁଡ଼ିକ କେବଳ ଅତୀତର ଗାଥା ନୁହେଁ; ଏଗୁଡ଼ିକ ଗୁରୁପ୍ରତି ଶ୍ରଦ୍ଧା, ଶିଷ୍ୟର ନିଷ୍ଠା ଓ ଶିକ୍ଷାର ମହତ୍ତ୍ୱର ଚିରନ୍ତନ ସନ୍ଦେଶ। କିନ୍ତୁ ଆଜିର ସମୟରେ ଏହି ସମ୍ପର୍କରେ କିଛି ପରିବର୍ତ୍ତନ ଦେଖାଯାଉଛି। ସମାଜରେ ଶିକ୍ଷାର ପ୍ରସାର ହୋଇଥିଲେ ମଧ୍ୟ କେତେକ ବ୍ୟକ୍ତି ଗୁରୁଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ହରାଇବାରେ ଲାଗିଛନ୍ତି।

ଭାରତବର୍ଷରେ ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ। କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା । ସାଧାରଣ ଛାତ୍ରଟିକୁ ଅସାଧାରଣ କରିବାର ଶକ୍ତି ତାଙ୍କ ପାଖେ। କଞ୍ଚାମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ।  ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପାଠ ଠାରୁ ଖେଳକୁଦ ପୁଣି ନୃତ୍ୟ, ସଙ୍ଗୀତ, ଅଭିନୟ, ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁଙ୍କ ଯୋଗଦାନ ଲୋଡ଼ାଥାଏ । ଛାତ୍ରର ମାର୍ଗଦର୍ଶକ ସାଜି ଭଲ ମଣିଷ ରୂପେ ଗଢ଼ିତୋଳିବାରେ ଗୁରୁଙ୍କ ଭୂମିକା ସର୍ବାଗ୍ରେ।

ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ। ଅତୀତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା।  ଆଜିର ଆଧୁନିକ ଯୁଗରେ ଶିକ୍ଷାଦାନର ଶୈଳୀ ବଦଳିଛି। ବ୍ଲାକବୋର୍ଡ ସ୍ଥାନରେ ସ୍ମାର୍ଟବୋର୍ଡ ଏବଂ କ୍ଲାସରୁମ୍‌ ସ୍ଥାନରେ ଇଣ୍ଟରନେଟ୍ ଆସିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଗୁଗଲ୍ ତଥ୍ୟ ଦେଇପାରେ, ହେଲେ ସେହି ତଥ୍ୟକୁ ଜୀବନରେ କେମିତି ପ୍ରୟୋଗ କରାଯିବ ଏବଂ ଭଲ-ମନ୍ଦର ବିଚାର କେବଳ ଜଣେ ଗୁରୁ ହିଁ ଦେଇପାରିବେ। ଗୁରୁଙ୍କ ସ୍ନେହଭରା ଚାହାଣୀ ଓ ଶାସନର ବିକଳ୍ପ କୌଣସି ଟେକ୍ନୋଲୋଜି ହୋଇପାରିବ ନାହିଁ।

ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡ଼ୁର ତିରୁଟ୍ଟନୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେଲେ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ତାଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇ ଆସୁଛି।

ରାଧାକ୍ରିଷ୍ଣନ୍‌ଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନତା ସୃଷ୍ଟି କରିବା ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ, ଉପନିଷଦକୁ ସେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ। ଜୀବନର ପ୍ରଥମ ଗୁରୁ ମାଆଙ୍କଠାରୁ ଆରମ୍ଭ କରି ସ୍କୁଲ, କଲେଜ ଏବଂ କର୍ମକ୍ଷେତ୍ରରେ ଆମକୁ ବାଟ ଦେଖାଇଥିବା ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଏହି ଦିନଟି କୃତଜ୍ଞତା ଜଣାଇବାର ଦିନ।