ଶୁଭାରମ୍ଭ ହେଲା ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଦୁଇଦିନିଆ ଲିଟେରାରୀ ଫେଷ୍ଟିଭାଲକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶବ୍ଦର ଯାଦୁଗର, ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଯୋଗ ଦେଇଛନ୍ତି ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ରୁ ଅଧିକ ବିଶିଷ୍ଟ ଲେଖକ, କବି, ଚିତ୍ରକର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି । ଦୁଇଦିନ ଧରି ଭାଷା, ସାହିତ୍ୟ, ସଂସ୍କୃତି, ସମାଜ, ସିନେମା ଓ ଶିକ୍ଷା ସହ ବିଭିନ୍ନ ବିଷୟରେ ଚର୍ଚ୍ଚା, ଆଲୋଚନା ଓ ମାନସମନ୍ଥନ ଚାଲିବ। ଫୋକସ୍ରେ କୃତ୍ରିମ ବୁଦ୍ଧିମତା (ଏଆଇ) ରହିବ।
ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଛି । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ । ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କାର୍ୟ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଏବଂ ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସୋଆ ପ୍ରାଚୀନର ମୁଖ୍ୟ ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡା ନିଜର ବକ୍ତବ୍ୟ ରଖିଛନ୍ତି ।