ମହିଳାମାନଙ୍କଠାରେ କାହିଁକି ଦେଖାଯାଏ କ୍ୟାଲସିୟମ୍ ଅଭାବ? ଜାଣନ୍ତୁ ଏହାର କାରଣ,ଲକ୍ଷଣ ଓ ଚିକିତ୍ସା
ପ୍ରତି ୩ଜଣରେ ଜଣେ ମହିଳାଙ୍କ କ୍ଷେତ୍ରରେ ବଢାଉଛି ସମସ୍ୟା
କ୍ୟାଲସିୟମ୍ ଏକ ଗୁରୁତ୍ବପୁର୍ଣ୍ଣ ଇଲେକ୍ଟ୍ରୋଲାଇଟ୍। ମଣିଷ ଶରୀରର ଦାନ୍ତ ଓ ହାଡ ଗଠନରେ କ୍ୟାଲସିୟମ୍ ଏକ ବିଶେଷ ଭୂମିକା ଗ୍ରହଣ କରେ। ତେବେ ସଂପ୍ରତି ମହିଳାମାନଙ୍କ କ୍ଷେତ୍ରରେ କ୍ୟାଲସିୟମ୍ର ଅଭାବ ଚିନ୍ତାର କାରଣ ସାଜିଛି। ଯାହାକୁ ହାଇପୋକ୍ୟାଲସେମିଆ କୁହାଯାଉଛି। ପ୍ରକାଶିତ ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରେ ଜଣେ ମହିଳା କ୍ୟାଲସିୟମ୍ ଅଭାବ ସହ ଜଡିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହା ମଧ୍ୟରେ ମାଂସପେଶୀ ଯନ୍ତ୍ରଣା, ନଖ ଓ ତ୍ୱଚା ଶୁଷ୍କ ହେଇଯିବା ଭଳି ସମସ୍ୟା ଅନ୍ତର୍ଭୂକ୍ତ। କ୍ୟାଲସିୟମ୍ ଅଭାବ କାରଣରୁ ମାନସିକ ବିଷାଦଗ୍ରସ୍ତ ହେବା, ଅତ୍ୟନ୍ତ ଦୁର୍ବଳ ହେବା ପରି ସମସ୍ୟା ଚିନ୍ତାଜନକ ହୋଇଥାଏ।
ତେବେ ପ୍ରାରମ୍ଭିକ ଭାବରେ ଏହି ସମସ୍ୟାକୁ ପ୍ରାୟ ସମସ୍ତେ ଅଣଦେଖା କରନ୍ତି। କିନ୍ତୁ ଯେତେବେଳେ ଶରୀରରେ କ୍ୟାଲସିୟମ୍ ଅଭାବ ଦେଖାଯାଏ। ଶରୀର ତାହାର ସିଗନାଲ୍ ଦେବା ଆରମ୍ଭ କରିଥାଏ। ଯେତେବେଳେ ମହିଳାମାନଙ୍କ ଶରୀରରେ କ୍ୟାଲସିୟମ୍ର ମାତ୍ରା କମିଯାଏ ପ୍ରାଥମିକ ପର୍ଯ୍ୟାୟରେ କେଶ ଝଡିବା ଆରମ୍ଭ ହୁଏ। ତେବେ କେଶ ଝଡିବାର ଅନେକ କାରଣ ମଧ୍ୟରୁ କ୍ୟାଲସିୟମ୍ ଅଭାବ ଗୋଟିଏ। କ୍ୟାଲସିୟମ୍ ଅଭାବର ଅନ୍ୟ ଏକ ଦୃଶ୍ୟମାନ ଲକ୍ଷଣ ନଖ ପତଳା ହେବା ଓ ଦାନ୍ତ ମାଢି ଦୁର୍ବଳ ହେବା। ନିୟମିତ ଭାବରେ ଜଙ୍ଘ ଓ ଅନ୍ୟ ମାଂସପେଶୀରେ ଯନ୍ତ୍ରଣା ଲାଗିରହିବା ଭଳି ଲକ୍ଷଣ ଦେଖାଗଲେ ଶରୀରରେ କ୍ୟାଲସିୟମ୍ର ଅଭାବ ଥିବା ନେଇ ନିଶ୍ଚିତ ହୋଇଯାଆନ୍ତୁ ଓ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଦୀର୍ଘଦିନ ଧରି କ୍ୟାଲସିୟମର ଅଭାବ ଅଷ୍ଟିଓପରୋସିସ୍ ଭଳି ଭୟଙ୍କର ସମସ୍ୟା ସୃଷ୍ଟି କରିପାରେ। ନିକଟରେ କରାଯାଇଥିବା ଏକ ଅଧ୍ୟୟନ ସ୍ପଷ୍ଟ କରେ ଯେ କ୍ୟାଲସିୟମ୍ ଅଭାବ କାରଣରୁ ମହିଳାମାନଙ୍କ ଠାରେ ପୁରୁଷମାନଙ୍କ ତୁଳନାରେ ଅଧିକ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଏ।
ଉପଚାର
ଆମେ ଖାଉଥିବା ଖାଦ୍ୟରୁ ଆମକୁ ୯୯ ପ୍ରତିଶତ କ୍ୟାଲସିୟମ୍ ମିଳିଥାଏ। କେବଳ ସନ୍ତୁଳିତ ଖାଦ୍ୟ ତଥା କ୍ୟାଲସିୟମ ଭରପୁର ଖାଦ୍ୟ ଖାଇବା ଦ୍ବାରା କ୍ୟାଲସିୟମ୍ ଅଭାବକୁ ଅନେକାଂଶରେ ଠିକ୍ କରାଯାଇ ପାରିବ। ଚୁନାମାଛ, ପାଳଙ୍ଗ ଶାଗ, ତୋଫୁ ଓ ଦୁଗ୍ଧଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଇବା ସହିତ କାଫେନ ଥିବା ଖାଦ୍ୟ ଓ ମୃଦ୍ୟୁ ପାନୀୟରୁ ଦୂରତା ବଜାୟ ରଖନ୍ତୁ। ତେବେ ଯଦି ରିପୋର୍ଟରେ କ୍ୟାଲସିୟମ୍ ସ୍ତର ଅଧିକ କମିଥିବା ଜଣା ପଡୁଛି ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକୀୟ ଔଷଧ ସେବନ କରନ୍ତୁ।