”ସାନ ସିନା ଦାନ ତା ମହାନ”: ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ‘ବାଜି ରାଉତ’
ଗୋରା ଶାସନକୁ ମାନିବା ନାହିଁ ,ଗୋଳା ବାରୁଦକୁ ଡରିବା ନାହିଁ -ବାଜି
”ଏଡ଼ିକି ସେ ଅମାନିଆ ପିଲା
ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା।
ଧୂଳିଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସିହସି ଦେଲା ସିନା ବାଢ଼ି ।”
ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ତେବେ ଆଜି ତାଙ୍କ ଜନ୍ମଦିବସରେ ଆସନ୍ତୁ ଜାଣିବା ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ। ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୁର। ନାମ ବଡ଼ କିନ୍ତୁ ଶାସନ କୁତ୍ସିତ। ବଡ଼ ଅହଂକାରୀ ଓ ଗର୍ବୀ ସେ ରାଜା। ତଳ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂହଦେଓଙ୍କ ସହାୟତାରେ ସେ ଅନ୍ଧାରି ଶାସନ ଆରମ୍ଭ କଲେ। କରବୃଦ୍ଧି ସାଙ୍ଗକୁ ବେଠି, ଭେଟି, ବେଗାରୀ, ରସଦ ଓ ମାଗଣ ଇତ୍ୟାଦିରେ ପ୍ରଜାକୁଳ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ରାଜାଙ୍କ ଶାସନ ବିରୋଧରେ ତୀବ୍ର ଆନ୍ଦୋଳନ ଗଢ଼ିଉଠିଲା। ଗଠିତ ହେଲା ପ୍ରଜାମଣ୍ଡଳ। ଆନ୍ଦୋଳନକୁ ଚଳାଇଲେ ଢେଙ୍କାନାଳର ଲୌହମାନବ ମହେଶ ଚନ୍ଦ୍ର ସୁବାହୁସିଂହ, ଢେଙ୍କାନାଳର ସୁଭାଷ ବୀର ବୈଷ୍ଣବ ପ୍ରମୁଖ ସଂଗ୍ରାମୀମାନେ। ଏତିକିବେଳେ ମାଟି ମା’ର ଡାକବାଜିଲା ଜଣେ ବାରବର୍ଷର ବାଳକ କାନରେ।
ନାଁଟି ତା’ର ବାଜି ରାଉତ। ବାପଛେଉଣ୍ଡ। ପିତାଙ୍କ ନାମ ହରିହର ରାଉତ ଓ ମା’ଙ୍କ ନାମ ରାଣିଆ। ଜନ୍ମ ୧୯୨୬ ମସିହା ଅକ୍ଟୋବର ୫ରେ ଭୁବନ ପାଖ ନୀଳକଣ୍ଠପୁର ଗ୍ରାମରେ। ୧୯୩୮ ମସିହା ଜୁଲାଇରେ ଦିନେ ବେଠି ଖଟିବା ପ୍ରସଙ୍ଗ ନେଇ ଢେଙ୍କାନାଳ ରାଜାଙ୍କ ପୋଲିସ ବାଜିଆର ମା’କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅପମାନିତ କଲା। ମା’ ପ୍ରତି ଅପମାନ ବାଜିଆ ହଜମ କରିପାରିଲା ନାହିଁ। ଝାମ୍ପଦେଲା ପୋଲିସ ଉପରକୁ। ପୋଲିସ ବାଜିଆକୁ ଲଙ୍ଗଳା କରି ଧୁମ୍ ପିଟିଲା। ସେ ବାଳକ ବୋଲି ତାକୁ ପୋଲିସ ଛାଡ଼ିଦେଇଗଲା। ହେଲେ ବାଜିଆ ବଦ୍ଲା ନେବା ପାଇଁ ବାଜି ପକାଇଲା। ଯେତେବେଳେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ । ଏଥିରେ ଏକ ଦଳ ଥିଲା ଯାହାକୁ ବାନର ସେନା କୁହାଯାଉଥିଲା । ଏଥିରେ ଛୋଟ ପିଲାମାନେ ଯୋଗ ଦେଉଥିଲେ । ସେତେବେଳେ ବାଜି ରାଉତ ସେହି କୋମଳ ବୟସରେ ଏଥିରେ ଯୋଗ ଦେଇଥିଲେ । ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ଛାତିରେ ଗୁଳି ଖାଇ ଦେଶ ପ୍ରେମର ଉଦାହରଣ ଦେଇଗଲେ ।ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।
1938 ମସିହା ଅକ୍ଟୋବର ମାସ 11 ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଥିଲେ । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଢେଙ୍କାନାଳରେ ପହଁଞ୍ଚିବା ପାଇଁ ଇଂରେଜମାନେ ଘାଟରେ ଥିବା ନାଉରିଆ ମାନଙ୍କୁ ନଦୀପାର କରିବାପାଇଁ କହିଥିଲେ। ୧୨ ବର୍ଷର ବାଳକ ବାଜି ରାଉତ ଇଂରେଜ ମାନଙ୍କୁ ନଦୀପାର କରି ଦେବାକୁ ମନା କରିଥିଲା। ଇଂରେଜମାନଙ୍କ ଆଦେଶକୁ ‘ବାଜି ରାଉତ’ ମାନି ନଥିବାରୁ ଇଂରେଜମାନେ ‘ବାଜି ରାଉତ’କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡରେ ‘ବାଜି ରାଉତ’ଙ୍କ ସମେତ ଅନ୍ୟ ଦୁଇ ବାନର ସେନା କର୍ମୀ ଲକ୍ଷଣ ମଲ୍ଲିକ ଓ ଫଗୁ ସାହୁ ନିହତ ହୋଇଥିଲେ।