ରାଜନୀତିରେ ନାରୀ ନେତୃତ୍ବ ର ଭୂମିକା…

ସାରା ଦେଶରେ ଏବେ ନିର୍ବାଚନୀର ଗରମ ପବନ ବୋହୁଛି। ଏଥିରୁ ବାଦ୍ ପଡିନି ଓଡିଶା। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆହୁରି ଦୁଇଟି ନିର୍ବାଚନ ବାକି ରହିଛି। ମେ ୨୫ରେ ତୃତୀୟ ଏବଂ ଜୁନ୍ ୧ରେ ଶେଷ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ ମଙ୍ଗଳବାର ଦିନ ଭୋଟ ଗଣତି ହେବ ବୋଲି ସୂଚନା ରହିଛି। ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ହେବିୱେଟ ନେତା ଓ ନେତ୍ରୀମାନେ ଏବେ ଡୋର ଟୁ ଡୋର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ କଥାରେ ଅଛି ରାଜନୀତି​‌ରେ ନୀତି ନଥାଏ। ଗୋଟିଏ ରାତିରେ କିଭଳି ବାଜି ପଲଟିଯାଏ ତାହା ମଧ୍ୟ କାହାକୁ  ବା ଅଛପା। ଏଠାରେ ହାର ଜିତ୍ ବିଷୟରେ ଆମ ଆଲୋଚନା କରୁନାହୁଁ। ଆମର ପ୍ରସଙ୍ଗ ହେଉଛି ରାଜନୀତିରେ ନାରୀନେତ୍ରୀଙ୍କ ଭୂମିକା.

କିମ୍ବଦନ୍ତୀ କୁହେ, ରାଜନୀତିରେ ନାରୀନେତ୍ରୀଙ୍କ ଭୂମିକା ଅତୁଳନୀୟ। ଇତିହାସ ହେଉ ଅବା ପୌରାଣିକ ବିଷୟବସ୍ତୁ, ସବୁଠାରେ ନାରୀ ନେତୃତ୍ବ ଏକ ଚର୍ଚ୍ଚିତ ପ୍ରସଙ୍ଗ ରହିଛି। ତ୍ରେତୟା ଯୁଗର ରାଜନୀତିରେ ନାରୀର ଭୂମିକା ଯେତିକି ମହତ୍ତ୍ବପୂର୍ଣ୍ଣ ଥିଲା, କଳିଯୁଗରେ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ରହିଛି। ରାତି ପାହିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାଜ ହୋଇଥାନ୍ତେ, କିନ୍ତୁ ଏକ ମାତ୍ର ନାରୀର ନେତୃତ୍ବରେ ରାଜ୍ୟର ରାଜନୀତି ବଦଳି ଯାଇଥିଲା। ରାଜ ସିଂହାସନରେ ବସିବା ପରିବର୍ତ୍ତେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ବନବାସ ଯିବାକୁ ପଡିଥିଲା। ସମାନ ଘଟଣା ମଧ୍ୟ କଳିଯୁଗର ରାଜନୀତିରେ ଦେଖିବାକୁ ମିଳିଥିଲା। ଜଣେ ନାରୀର ନେତୃତ୍ବରେ ସାରା ଦେଶରେ ତାଲା ପଡିଥିଲା ଅର୍ଥାତ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ, ରାଜନୀତିରେ ନାରୀ ନେତୃତ୍ବ କେତେ ଶକ୍ତିଶାଳୀ …।

ନିର୍ବାଚନୀ ପ୍ରଚାରରେ ନାରୀ ନେତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥାଏ। ସ୍ବର୍ଗତ ଇନ୍ଦିରା ଗାନ୍ଧୀ ହୁଅନ୍ତୁ ଅବା ସ୍ବର୍ଗତ ନନ୍ଦିନୀ ଶତପଥୀ, ସେମାନଙ୍କ ମୁଖ ନିଶୃତ ବାଣୀକୁ ଶୁଣିବା ପାଇଁ ଜନତା ଚାତକ ଭଳି ଚାହିଁ ରହିଥାନ୍ତି। ସେମାନେ ପ୍ରଚାର ମଇଦାନକୁ ଓହ୍ଲାଇବା ମାତ୍ରେ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଭରିଯାଏ। ସେମାନଙ୍କ ଭାଷଣ ଲୋକଙ୍କ ମଧ୍ୟରେ ନୂଆ ଆଶା ଓ ଅକାଂକ୍ଷା ସୃଷ୍ଟି କରେ। କେବଳ ସେତିକି ନୂହେଁ, ସେମାନଙ୍କ ନେତୃତ୍ବରେ ଦେଶ ଏବଂ ରାଜ୍ୟରେ ବିରାଟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ପାଇଁ ସର୍ବଦା ଆଦର୍ଶ ହୋଇ ରହିଛି। ସେଭଳି କିଛି ନାରୀ ନେତୃତ୍ବକୁ ନେଇ ଆଜି ଆମର ସ୍ପେଶାଲ ରିପୋର୍ଟ…

ନନ୍ଦିନୀ ଶତପଥୀ

ଓଡିଶାର ଲୌହମାନବୀ ନାମରେ ପରିଚିତ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ସେ ଥରେ ନୁହେଁ, ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବରେ ନିଜର ଦାୟିତ୍ବ ସମ୍ପନ୍ନ କରିଛନ୍ତି। ୧୯୭୨ରୁ ୧୯୭୩ ଏବଂ ୧୯୭୪ରୁ ୧୯୭୬ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୩୧ ମସିହାରେ କଟକ ଜିଲାର ପିଠାପୁର ସ୍ଥିତ ଏକ ବିପ୍ଲବୀ ଏବଂ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପଦ୍ମଭୂଷଣ ସାହିତ୍ୟିକ କାଳନ୍ଦୀ ଚରଣ ପାଣିଗ୍ରାହୀ ଏବଂ ରତ୍ନମଣି ଦେବୀଙ୍କ ଜ୍ୟେଷ୍ଠ କନ୍ୟା ସହ ଓଡିଶାର ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କ ଝିଆରୀ ଏବଂ ସ୍ବାଧୀନତା ସଂଗ୍ରାମୀ ସ୍ବପ୍ନେଶ୍ବର ପାଣିଗ୍ରାହୀଙ୍କ ନାତୁଣୀ ଥିଲେ।

ଛାତ୍ରୀ ଜୀବନରୁ ସେ ରାଜନୀତି ପ୍ରତି ଆକୃଷ୍ଟ ଥିଲେ। ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ସମୟରେ ୧୯୫୧ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇ ସେ କାରାବରଣ କରିଥିଲେ। ବିପ୍ଳବୀ ଜୀବନର ବନ୍ଧୁ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳ ଆସନରୁ ଦୁଇ ଥର ଲୋକସଭା ସାଂସଦ ହୋଇଥିଲେ। ପରେ ସେ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ଏବଂ ପରେ ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେହି ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ପରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ। ୧୯୭୭ରୁ ୮୦ ପ୍ରର୍ଯ୍ୟନ୍ତ ସେ ଜନତା ଦଳ ପ୍ରାର୍ଥୀ ଭାବେ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇ ସେହି ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଥିଲେ। ନନ୍ଦିନୀ ଶତପଥୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ।

ଜୟନ୍ତୀ ପଟ୍ଟନାୟକ

ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକ। ସେ ଏକାଧାରାରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସମାଜସେବିକା ଓ ବକ୍ତା ଥିଲେ। ୧୯୩୨ ମସିହାରେ ଗଞ୍ଜାମ ଜିଲାର ଆସ୍କାରେ ତାଙ୍କର ଜନ୍ମ। ପିତାଙ୍କ ଠାରୁ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ହେଇଥିଲେ। ଲୋକସଭାକୁ ନିର୍ବାଚିତ ହୋଇଥିବା ସେ ଓଡିଶାର ପ୍ରଥମ ମହିଳା ସାଂସଦ ଥିଲେ। ୧୯୮୧ ଓ ୧୯୮୪ ମସିହାରେ ସେ କଟକରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୭ରେ ସେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ। ୧୯୯୬ ମସିହାରେ ରାଜ୍ୟସଭାକୁ ଏବଂ ୧୯୯୮ରେ ପୁର୍ନବାର ବ୍ରହ୍ମପୁର ଆସନରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୨ ମସିହାର ସେପ୍ଟେମ୍ବର ୨୮ ତାରିଖରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

Sailabala Das

ଶୈଳବାଳା ଦାସ

ନାରୀ ଶିକ୍ଷା ପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ ସ୍ବର୍ଗତ ଶୈଳବାଳା ଦାସ। କେବଳ ସେତିକି ନୁହେଁ, ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୋଷ୍ୟ ସନ୍ତାନ ମଧ୍ୟ ଥିଲେ। ତାଙ୍କର ଜନ୍ମ ୧୮୭୫ ମସିହା ମାର୍ଚ୍ଚ ୨୫ରେ କୋଲକାତାର ଭବାନୀପୁରସ୍ଥିତ ମଧୁସୂଦନଙ୍କ ଚକ୍ରବାରିଆ ରୋଡ୍‌ ଭଡ଼ା ଘରେ ହୋଇଥିଲା। ପିତା ଅମ୍ବିକା ଚରଣ ହାଜରା ଓ ମାତା ପ୍ରସନ୍ନମୟୀ ହାଜରାଙ୍କ ସେ ଥିଲେ ଜ୍ୟେଷ୍ଠ ସନ୍ତାନ। ତାଙ୍କର ୫ଜଣ ଭାଇଭଉଣୀ ଥିଲେ। ୧୮୯୨ରେ ମା ପ୍ରସନ୍ନମୟୀଙ୍କର ପରଲୋକ ପରେ ଶୈଳବାଳା ଭାଇଭଉଣୀଙ୍କ ସହ ମଧୁସୂଦନଙ୍କ କଟକସ୍ଥିତ ବାସଭବନରେ ଆସି ରହିଲେ। ସେ ଆଇ.ଏ ପାସ୍ କରିବା ପରେ ମଧୁସୂଦନ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ୧୯୦୦ ମସିହାରେ ଶୈଳବାଳା ହାଜରାରୁ ସେ ଶୈଳବାଳା ଦାସକୁ ପରିବର୍ତ୍ତିତ ହୋଇଥିଲେ। ଏହା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୧୯୦୩ରେ ସେ ଉତ୍କଳ ମହିଳା ସଂଘ ଆରମ୍ଭ କରିଥିଲେ। ୧୯୫୨ରେ ସେ କଂଗ୍ରେସ ଟିକେଟରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ୧୯୫୪ ପର୍ଯ୍ୟନ୍ତ ଶୈଳବାଳା ଦାସ ରାଜ୍ୟସଭାର ସଦସ୍ୟ ପଦରେ ରହିଥିଲେ। ୧୯୬୮ ମସିହା ଏପ୍ରିଲ ୨୯ରେ ତାଙ୍କର ନିଧନ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୩ ବର୍ଷ ବୟସ ହୋଇଥିଲା। ଶିକ୍ଷା କ୍ଷେତ୍ରରେ ତାଙ୍କର ମହାନ ଯୋଗ ଦାନ ପାଇଁ ଶୈଳବାଳା ମହିଳା ସ୍ବଂୟ ଶାସିତ ମହାବିଦ୍ୟାଳ ତାଙ୍କ ନାମରେ ନାମିତ ହୋଇଛି।

ରମାଦେବୀ ଚୌଧୁରୀ

ଓଡିଶାର ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ମା’ ରମାଦେବୀ । ଯାହାଙ୍କ ନେତୃତ୍ବ ଆଜି ମଧ୍ୟ ଅତୁଳନୀୟ। ତାଙ୍କ ନେତୃତ୍ବ ଜାତିର ପିତା ଗାନ୍ଧିଜୀ ମଧ୍ୟ ପ୍ରଭାବିତ କରିଥିଲା। ଜରୁରୀକାଳୀନ ପରିସ୍ଥିତିରେ ୧୪୪ ଧାରା ଲାଗୁ ସତ୍ତ୍ବେ ଭୁବନେଶ୍ବରରେ ଏକ ବିଶାଳ ସମାବେଶର ଆୟୋଜନ କରିଥିଲେ ମା’ ରମାଦେବୀ। ଏହି ସମୟରେ ଅନେକ ରାଜନେତାଙ୍କ ଗିରଫ କରିଥିଲା ପୋଲିସ କିନ୍ତୁ ମା’ ରମାଦେବୀଙ୍କୁ ଦେଖି ପଛଘୁଞ୍ଚା ଦେଇଥିଲା ପ୍ରଶାସନ। ତାଙ୍କୁ ଗିରଫ କରିବାକୁ କେହି ସାହସ କରିପାରି ନଥିଲେ। ଏଭଳି ନେତୃତ୍ବର ଅଧିକାରୀ ଥିଲେ ମା’ ରମାଦେବୀ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ମା’ ରମାଦେବୀ ୧୮୯୯ ମସିହା ଡିସେମ୍ବର ୩ରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମା’ ରମାଦେବୀ। ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ। କୌଣସି ବିଦ୍ୟାଳୟକୁ ନଯାଇ ମା’ ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାରେ ଶିକ୍ଷାଲାଭ କରିଥିଲେ। ୧୯୧୪ ମସିହାରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଓକିଲ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ମର୍ଯ୍ୟାଦାସମ୍ପନ୍ନ ଚାକିରି ଛାଡି ପତ୍ନୀଙ୍କ ସହ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।

୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ, ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ । ବଂଗଲକ୍ଷ୍ମୀ ପ୍ରେସ‌ର ଶାଢ଼ୀ , ଖଦୀବସ୍ତ୍ର ଓ ସ୍ୱଦେଶୀ ବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ । ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ “ବରି ଆଶ୍ରମ’ ଗଢ଼ିଥିଲେ । ରମାଦେବୀଙ୍କ ନେତୃତ୍ବ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା’ ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଦେଶ ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମ ଭାବେ ମାନି ନେଇଥିଲେ ।

୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ ମୃତ୍ୟୁ ପରେ ରମାଦେବୀ ନିଃସଙ୍ଗ ହୋଇଯାଇଥିଲେ। ତଥାପି ହାରି ଯାଇନଥିଲେ। ତାଙ୍କ ନେତୃତ୍ବରେ  ୧୯୬୨ ଚୀନ ଭାରତ ଯୁଦ୍ଧ ସମୟରେ ଦୁର୍ଦ୍ଦିନରେ ଥିବା ଭାରତୀୟ ଜବାନମାନଙ୍କୁ ସେବା ସହ ସାହସ ପ୍ରଦାନ କରାଯାଇଥିଲା।

undefined

ନବକୁମାରୀ ଦେବୀ

ଓଡିଶାର ଜଣେ ବିଶିଷ୍ଟ ରାଜନୀତିଜ୍ଞା ଥିଲେ ନବକୁମାରୀ ଦେବୀ। ୧୯୨୦ ମସିହାର ଜାନୁଆରୀ ୧ ତାରିଖରେ ସେ ଜନ୍ମଲାଭ କରିଥିଲେ। ତାଙ୍କ ପିତା ରାଣା ହସ୍ତାବୀର ଜଙ୍ଗ ବାହାଦୁର ଓ ସ୍ବାମୀ ରୁଦ୍ରପ୍ରତାପ ସିଂହଦେଓ ଥିଲେ। ୧୯୬୧ ମସିହାରେ କାଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଏହି ନିର୍ବାଚନ ଲଢିଥିଲେ। ଏଥିରେ ସେ ସମୁଦାୟ ୬୩୦୯ ଖଣ୍ଡ ଭୋଟ୍ ପାଇଥିଲେ।  ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବୀଣାପାଣି ଦେବୀଙ୍କୁ ୨୧୫୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିଜୟଲାଭ ହୋଇଥିଲେ। ଏହି ନିର୍ବାଚନରେ ସମୁଦାୟ ୧୦ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଏବଂ ନବକୁମାରୀଙ୍କ ସମେତ ସମୁଦାୟ ଚାରି ଜଣ ହିଁ ନିର୍ବାଚିତ ହୋଇଥିଲେ।