ଅନୁଭବ ମହାନ୍ତିଙ୍କ ନାଁରେ ଏନବିଡବ୍ଲୁ ଜାରି, ହୋଇପାରନ୍ତି ଗିରଫ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ NBW । ଅନୁଭବ ମହାନ୍ତିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ଏନବିଡବ୍ଲୁ ଜାରି ହୋଇଛି । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର JMFC କୋର୍ଟ । ଆସନ୍ତା ୨୩ ତାରିଖ ସୁଦ୍ଧା NBW କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଭବଙ୍କ ଟାଇମ୍ ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଆଜି କୋର୍ଟରେ ହାଜର ହୋଇ ପାରି ନଥିଲେ ଅନୁଭବ। ସରକାରୀ ଓକିଲ ଆଫ୍ରୋଜ୍‌ ଅହମ୍ମଦ ଆଜି ଏହି ସୂଚନା ଦେଇଛନ୍ତି। ଏନେଇ ଅନୁଭବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ ।

ସୂଚନା ଥାଉକି, ମେ ୧୦ରେ ହାଜର ହୋଇନଥିଲେ ସାଂସଦ ଅନୁଭବ ମହାନ୍ତି । ଫଳରେ ଚାର୍ଜଫ୍ରେମ୍ ହୋଇପାରିନଥିଲା । କାରଣ ଅନୁଭବ ଓ ଦୁଇ ସହଯୋଗୀ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଥିଲେ ।

ସୂଚନା ଯୋଗ୍ୟ ଏହି ମାମଲା ୨୦୨୦ ମସିହାରେ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ହୋଇଥିଲା । ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯାତନା , ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ଅନୁଭଵଙ୍କ ଡିସଚାର୍ଜ ପିଟିସନକୁ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ବର୍ଷାଙ୍କ ଅଭିଯୋଗ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଥିବା ଦର୍ଶାଇ ଥିଲେ ସରକାରୀ ଏପିପି ।