୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ନୀଳଗିରିରୁ ଲଢ଼ିବେ ଅକ୍ଷୟ ଆଚାର୍ଯ୍ୟ

ଭୁବନେଶ୍ୱର: ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଛନ୍ତି ପ୍ରାର୍ଥୀ। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ପୂର୍ବରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ନାଁ ଘୋଷଣା କରିଥିଲା ଦଳ। ହେଲେ ତାଙ୍କ ଜାଗାରେ ଆଜି ସୁଦର୍ଶନଙ୍କୁ ପ୍ରାର୍ଥୀ କରିଛି ଦଳ। ଗତକାଲି ଦଳରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ ମିଳିଛି। ତାଙ୍କୁ ବରୀରୁ ପ୍ରାର୍ଥୀ କରାଯାଇଛି। ଦଳ ପୂର୍ବରୁ ଏହି ଆସନ ପାଇଁ ଆରତି ଦେଓଙ୍କ ନାଁ ଘୋଷଣା କରିଥିଲା।

ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ବଦଳରେ ହିମାଂଶୁ ଚାଉଳିଆ ଓ ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ନୀଳଗିରି ଆସନରେ ଦଳ ଅକ୍ଷୟ ଆଚାର୍ଯ୍ୟଙ୍କୁ ମୈଦାନକୁ ଓହ୍ଲାଇଛି । ଆଠଗଡ଼ରେ ବି ପ୍ରାର୍ଥୀ ବଦଳାଇଛି ଦଳ। ଏଠାରୁ ସୁଦର୍ଶନ ସାହୁଙ୍କୁ ନୂଆ ପ୍ରାର୍ଥୀ କରିଛି ଦଳ। ପୂର୍ବରୁ ଏହି ଆସନ ପାଇଁ ମେହବୁବ ଅହମ୍ମଦ ଖାନ୍‌ଙ୍କ ନାଁ ଘୋଷଣା କରାଯାଇଥିଲା।