ନୀଳଗିରି ଆସନ ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୀଳଗିରି: ନୀଳଗିରି ବିଧାନସଭା ଆସନ ପାଇଁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆଜି ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି । ଗତକାଲି ବିଜେଡି ସୁକାନ୍ତ ନାୟକଙ୍କୁ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଅସନ୍ତୋଷ ହୋଇ ଦଳ ଛାଡ଼ିଥିଲେ ସନ୍ତୋଷ ଖଟୁଆ । ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ । କିନ୍ତୁ ସଙ୍ଗଠନ ସହ ଜଡିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ । ତେବେ ଗତକାଲି ବିଜେଡି ଏଠାରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ସନ୍ତୋଷଙ୍କ କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ ।

ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ ଖଟୁଆ । ଇସ୍ତଫାପତ୍ରରେ ସନ୍ତୋଷ ଲେଖିଥିଲେ , ଗତ ମାସେ ହେବ ଦଳର କିଛି ନେତା ମୋ ବିରୋଧରେ ଭୁଲ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ଦଳ ପାଇଁ କାମ ଦୃଢତାର ସହିତ କାମ କରି ଆସୁଥିଲି । କିନ୍ତୁ ଏବେ ଏହା ଅସହ୍ୟ ହେବାରୁ ଦଳ ଛାଡିଥିବା କହିଥିଲେ । ସୂଚନା ଅନୁସାରେ ନୀଳଗିରି ବିଧାନସଭା ଆସନରୁ ଆଶାୟୀ ଥିଲେ ସନ୍ତୋଷ । ସେ ୨୦୧୯ରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ । ଯଦିଓ ସେ ୧୯ ନିର୍ବାଚନରେ ସୁକାନ୍ତ ନାୟକଙ୍କଠୁ ପରାସ୍ତ ହୋଇଥିଲେ କିନ୍ତୁ ତାଙ୍କୁ କଡ଼ା ଟକ୍କର ଦେଇଥିଲେ । ମାତ୍ର ୧୫୭୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ସନ୍ତୋଷ । ତେବେ ଚଳିତ ନିର୍ବାଚନ ପାଇଁ ମଧ୍ୟ ସେ ବିଜେଡିରୁ ଟିକେଟ୍‌ ଆଶାୟୀ ଥିଲେ ।