କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି । ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଏକ ଜମିଜମା ମାମଲାର ସମାଧାନ ପାଇଁ ସେ ଜଣଙ୍କଠାରୁ ୧୦ ହଜାର ଲାଞ୍ଚ ମାଗିଥିଲେ। ଏ ନେଇ ଭିଜିଲାନ୍ସରେ ଫେରାଦ ହୋଇଥିଲେ ସଂପୃକ୍ତ ବ୍ୟକ୍ତି। ଆଜି ସକାଳେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି କେନ୍ଦ୍ରାପଡ଼ା ବ୍ଲକ୍ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ୧୦ ହଜାର ଟଙ୍କା ବି ଜବତ କରାଯାଇଛି। ଏହାପରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ଭିଜିଲାନ୍ସ।