ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗକୁ ମାଉଣ୍ଟ ଏଭରେଷ୍ଟ ବୋଲି କୁହାଯାଇଥାଏ ଏବଂ ଏହାକୁ ଅରୋହଣ କରିବା କୌଣସି ସାଧାରଣ କାମ ନୁହେଁ । ଏହା କେବଳ ଦୃଢ଼ ଇଚ୍ଛା ଶକ୍ତି ଏବଂ କଠୋର ପରିଶ୍ରମ ଯୋଗୁଁ ସମ୍ଭବ ହୋଇ ପାରିବ । ସ୍ୱପ୍ନକୁ ସାକାର କରିବା ଲାଗି ଲକ୍ଷ୍ୟ ରଖିଥିବା ବ୍ୟକ୍ତି ହି ମାଉଣ୍ଟ ଏଭରେଷ୍ଟ ଶୃଙ୍ଗକୁ ଚଢ଼ିବାର କଳ୍ପନା କରିଥାଏ । ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଯଦିଓ କଷ୍ଟକର କାମ ତଥାପି କିଛି ଭାରତୀୟ ମହିଳାମାନେ ଏହି କାମ କରି ନିଜର ପାରିବା ପଣିଆକୁ ପ୍ରମାଣିତ କରିଛନ୍ତି ।
ଆସନ୍ତୁ ଜାଣିବା ସେହିମାନଙ୍କୁ ଯେଉଁ ଭାରତୀୟ ମହାନ ମହିଳାମାନେ ବିଶ୍ୱର ଉଚ୍ଚତମ ଶୃଙ୍ଗକୁ ଆରୋହଣ କରିଛନ୍ତି । ଏହି ମହିଳାମାନେ ନିଜର ଦୃଢ଼ ଇଚ୍ଛା ଶକ୍ତିକୁ କଠୋର ପରିଶ୍ରମ କରି ସଫଳତା ଅର୍ଜନ କରିଛନ୍ତି ।
୧) ବଚେନ୍ଦ୍ରୀ ପାଲ୍
ବଚେନ୍ଦ୍ରୀ ପାଳ ଜଣେ ଉଦାରବାଦୀ ପରିବାରରେ ଭୂମିଷ୍ଠ ହୋଇଥିଲେ । ସେ ଉତ୍ତରକାଶୀର ଗଢ଼ୱାଲା ଜିଲ୍ଲାର ନକୁରୀ ନାଁରେ ହିମାଳୟର ଏକ ଗାଁରେ ୧୯୫୪ ମେ’ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ହଂସା ଦେବୀ ଓ ଶ୍ରୀ କିଶନ ସିଂହ ପାଳଙ୍କ ୭ ସନ୍ତାନ ମଧ୍ୟରୁ ଅନ୍ୟତମ । ତାଙ୍କର ପିତା ଜଣେ ସୀମା ପରଂପରାବାଦୀ ଥିଲେ, ଯିଏକି ଭାରତରୁ ତିବତ ନିକଟକୁ ଜିନିଷ ପତ୍ର ପହଂଚାଉଥିଲେ ।
୨) ସନ୍ତୋଷ ଯାଦବ
ସନ୍ତୋଷ ଯାଦବ ଜଣେ ଭାରତୀୟ ପର୍ବତାରୋହୀ । ମାଉଣ୍ଟ ଏଭରେଷ୍ଟକୁ ୨ ଥର ଚଢ଼ିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା ଏବଂ ମାଉଣ୍ଟ ଏଭରେଷ୍ଟ ଉପରେ ଏଭରେଷ୍ଟ କଙ୍ଗଶଙ୍ଗ ଫେସ ଠାରୁ ସଫଳତାପୂର୍ବକ ଚଢ଼ିବାରେ ପ୍ରଥମ ମହିଳା ଅଟନ୍ତି । ସେ ୧୯୯୨ ଓ ୧୯୯୩ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ । ୧୯୯୨ରେ ନିଜର ଏଭରେଷ୍ଟ ମିଶନ ବେଳେ ସେ ଏକ ଅନ୍ୟ ପର୍ବତାରୋହୀ ମୋହନ ସିଂହଙ୍କୁ ବଂଚାଇ ଥିଲେ । ସେ ମୋହନ ସିଂହଙ୍କୁ ପର୍ବତାରୋହଣ ଅଭିଯାନ ସମୟରେ ଅମ୍ଲାଜନ ଦେଇଥିଲେ ।
୩) ଡିକ୍କୀ ଡୋଲମା
ଭାରତୀୟ ମହିଳା ଡିକ୍କୀ ଡୋଲମା ୧୯୯୩ ମେ’ ମାସ ୧୦ ତାରିଖରେ ଏଭରେଷ୍ଟର ଶୀର୍ଷ ସ୍ଥାନକୁ ପହଂଚି ସେହି ସମୟର ସର୍ବକନିଷ୍ଠ ମହିଳା ଭାବେ ପରିଚିତ ହୋଇଥିଲେ । ୧୯ ବର୍ଷ ବୟସରେ ସେ ଏହି କାମ କରି ଇତିହାସ ରଚିଥିଲେ । ଡିକୀ ଜଣେ ସ୍କିୟର ଥିଲେ ଏବଂ ସେ ୧୯୮୯ରେ ସର୍ବ ଭାରତୀୟ ଓଲି ସ୍କି ଫେଷ୍ଟିଭାଲ ଏବଂ ଏସୀୟ ଶୀତକାଳୀନ କ୍ରୀଡ଼ା ସହିତ ଅନେକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ମନାଲି ପ୍ରତିଷ୍ଠାନରୁ ସ୍କି ତାଲିମ ପାଠ୍ୟକ୍ରମ ଏବଂ ପର୍ବତାରୋହଣ ତାଲିମ ନେଇଥିଲେ । ଡିକ୍କୀ ଡୋଲମା ମନାଲୀ ନିକଟ ପଲଚନ ଗାଁରେ ଜନ୍ମଗ୍ରହଣ କରିଥିଲେ ।
୪) ପ୍ରେମଲତା ଅଗରୱାଲ
ପ୍ରେମଲତା ଅଗରୱାଲଙ୍କ ଜନ୍ମ ୧୯୬୩ରେ ହୋଇଥିଲା । ବିଶ୍ୱର ୭ଟି ସର୍ବୋଚ୍ଚ ମହାଦ୍ୱିପୀୟ ଶୃଙ୍ଗକୁ ଚଢ଼ିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ପ୍ରେମଲତା । ପର୍ବତାରୋହଣ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଲାଗି ୨୦୧୩ରେ ତାଙ୍କୁ ଭାରତ ସରକାର ଦ୍ୱାରା ପଦ୍ମଶ୍ରୀ ଏବଂ ୨୦୧୭ରେ ତେଜିଂ ନାର୍ଗେ ଜାତୀୟ ସାହସିକ ପୁରସ୍କାର ପ୍ରଦାନ କରାଯାଇ ଥିଲା । ବର୍ଷ ୨୦୧୧ ମେ’ମାସ ୨୦ ତାରିଖରେ ସେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ (୨୯,୦୨୯ଫୁଟ) ଚଢ଼ି ଜଣେ ପରିଚୟ ସୃଷ୍ଟି କରିଥିଲେ । ଏଥି ସହିତ ସେ ୨୦୧୮ରେ ୫୩ ବର୍ଷ ବୟସରେ ପୁଣି ଥରେ ମାଉଣ୍ଟ ଏଭରେଷ୍ଟ ଚଢ଼ି ଭାରତର ସବୁଠାରୁ ବୟସ୍କ ମହିଳା ଭାବରେ ଅନ୍ୟ ଏକ ପରିଚୟ ହାସଲ କରିଥିଲେ । ମାଉଣ୍ଟ ଏଭରେଷ୍ଟ ଚଢ଼ିଥିବା ସେ ହେଉଛନ୍ତି ଝାଡ଼ଖଣ୍ଡର ପ୍ରଥମ ବ୍ୟକ୍ତି ।
୫) ଅରୁଣିମା ସିହ୍ନା
ଅରୁଣିମା ସିହ୍ନା ହେଉଛନ୍ତି ସେହି ଭାରତୀୟ ମହିଳା, ଯାହାଙ୍କୁ ଦୁର୍ବୃତ୍ତମାନେ ଚଳନ୍ତା ଟ୍ରେନରୁ ଫିଙ୍ଗି ଦେଇଥିଲେ । ଏହି ଘଟଣା ପରେ ଅରୁଣିମାଙ୍କୁ ନିଜର ଗୋଡ଼ ହରାଇବାକୁ ପଡ଼ିଛି । ତଥାପି ବି ଏହି ଝିଅ ନିଜର ଯନ୍ତ୍ରଣାକୁ ପଛରେ ପକାଇ ହିମାଳୟର ସର୍ବୋଚ୍ଚ ସ୍ଥାନ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗକୁ ଚଢ଼ି ଇତିହାସ ରଚିଛନ୍ତି । ଏଭଳି ଦୁଃଖଦ ଘଟଣାର ସମ୍ମୁଖୀନ ହେବା ପରେ ଶରୀର ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ ହେବା ପାଇଁ ୪ରୁ ୫ ବର୍ଷ ଲାଗିଥାଏ କିନ୍ତୁ ଅରୁଣିମା ଜଣେ ଖେଳାଳି ଭାବରେ ୨ ବର୍ଷ ମଧ୍ୟରେ ଠିକ ହୋଇ ଏଭରେଷ୍ଟ ଶୃଙ୍ଗ ଚଢ଼ିଥିଲେ । ବିଶ୍ୱର ସର୍ବୋଚ୍ଚ ଶୃଙ୍ଗକୁ ଚଢ଼ି ପ୍ରଥମ ଦିବ୍ୟାଙ୍ଗ ମହିଳା ଭାବରେ ଅରୁଣିମା ଇତିହାସ ରଚିଛନ୍ତି ।
୬) ପୂର୍ଣ୍ଣା ମାଲାୱତ
ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ୨୦୦୦ ମସିହା ଜୁନ ୧୦ରେ ପୂର୍ଣ୍ଣା ମାଲାୱତଙ୍କ ଜନ୍ମ ହୋଇଥିଲା । ଭାରତର ସର୍ବକନିଷ୍ଠ ମହିଳା ପର୍ବତାରୋହୀ ୨୦୧୪ ମେ’ମାସ ୨୫ ତାରିଖରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ଇତିହାସ ରଚିଛନ୍ତି । ସେ ୧୩ ବର୍ଷ ୧୧ ମାସ ବୟସରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ବିଶ୍ୱର ସର୍ବ କନିଷ୍ଟ ମହିଳା ପର୍ବତାରୋହୀ ହୋଇ ପାରିଛନ୍ତି ।
୭) ଅଂଶୁ ଜାମସେନପା
ଅଂଶୁ ଜାମସେନପା ହେଉଛନ୍ତି ଜଣେ ଭାରତୀୟ ପର୍ବତାରୋହୀ ଏବଂ ବିଶ୍ବର ଦ୍ୱିତୀୟ ମହିଳା ଯିଏ କି ଗୋଟିଏ ଋତୁରେ ୨ଥର ମାଉଣ୍ଟ ଏଭରେଷ୍ଟ ଶୃଙ୍ଗକୁ ଚଢ଼ିତିଲେ । ମାତ୍ର ୫ ଦିନ ମଧ୍ୟରେ ଏଭଳି ଐତିହାସିକ କାମ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲା ନିବାସୀ ୩୮ ବର୍ଷୀୟ ଏହି ମହିଳାଙ୍କ ସ୍ୱାମୀ ହେଉଛନ୍ତି ଅଲ ଅରୁଣାଚଳ ପର୍ବତାରୋହଣ ଏବଂ ସାହାସିକ ଖେଳ ସଂଘ (ଏଡଭେଂଚର ସ୍ପୋଟିଙ୍ଗ)ର ସଭାପତି । ତାଙ୍କର ୨ଜଣ ଝିଅ ହେଉଛନ୍ତି ପାଂସର ଡାମା ଓ ତେନଜିନ ।
୮) ଆଶା ଝଜରୟା
ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ୨୮ ଲକ୍ଷ ଟଙ୍କା ଋଣ କରିଥିବା ଝିଅ ହେଉଛନ୍ତି ଆଶା ଝଜରୟା । ସେ ୨୦୧୭ରେ ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି । ରାଜସ୍ଥାନର ଛୋଟ ସହର ଝୁଝୁନୁରେ ଜନ୍ମଲାଭ କରିଥିବା ଆଶା ନିଜର ସଫଳତାକୁ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି । ଏହି ମହିଳା ଜଣକ ପ୍ରମାଣିତ କରି ଦେଇଛନ୍ତି ଯେ, ଯଦି ସଦ ଉପାୟରେ ଜଣେ ବ୍ୟକ୍ତି ପରିଶ୍ରମ କରେ ତା’ ହେଲେ ସଫଳତା ନିଶ୍ଚୟ ମିଳିବ ।
୯) କଳ୍ପନା ଦାଶ
କଳ୍ପନା ଦାଶ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହିଣୀ ମହିଳା । ସେ ୨୦୦୮ ମେ ୨୧ରେ ଆମେରିକା, କାନାଡା ଓ ନେପାଳର ଏକ ଦଳ ସହ ଏଭରେଷ୍ଟ ଆରୋହଣ କରିଥିଲେ । ସେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ବାସିନ୍ଦା । ୨୦୧୯ ମେ ୨୩ ରେ ଏଭରେଷ୍ଟ ଆରୋହଣ କରୁଥିବାବେଳେ ତାଙ୍କର ଦେହାନ୍ତ ହୋଇଥିଲା ।
୧୦.ଅନୀତା କୁଣ୍ଡୁ
ହରିୟାଣା ପୁଲିସରେ ସବଇନ୍ସପେକ୍ଟର ଥିବା ଅନୀତା କୁଣ୍ଡୁ ମାତ୍ର ୨୯ ବର୍ଷ ବୟସରେ ୨୦୧୩ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ । ଉଭୟ ନେପାଳ ଚୀନପଟୁ ଏଭରେଷ୍ଟ ଆରୋହଣ କରିଥିବା ସେ ପ୍ରଥମ ଭାରତୀୟ ମହିଳା । ୨୦୧୩, ଏପ୍ରିଲ ୨୧ରେ ସେ ପ୍ରଥମଥର ପାଇଁ ଚୀନ ପଟୁ ଏଭରେଷ୍ଟ ଶିଖରରେ ଭାରତୀୟ ତ୍ରିରଙ୍ଗା ଉଡାଇଥିଲେ ।