ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦେଇଛି । ସେ ମାନସିକ ଅବସାଦ କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ନିଜ କ୍ୟାରିୟରକୁ ନେଇ ଚିନ୍ତିତ ଥିବା ସୁଶାନ୍ତ ଗତ ପ୍ରାୟ ୬ ମାସ ହେବ ଗଭୀର ଅବସାଦରେ ଥିବା କୁହାଯାଉଛି ।
ନିଜର ଶେଷ ଚଳଚ୍ଚିତ୍ର ଛିଛୋରେରେ ସୁଶାନ୍ତ ଜଣେ ମାନସିକ ଅବସାଦଗ୍ରସ୍ତ ବାଳକର ପିତା ଭୂମିକାରେ ବେଶ ଚମତ୍କାର ଅଭିନୟ କରିଥିଲେ । ଜୀବନର ଛୋଟ ବଡ଼ ଘଟଣାରେ ଭାଙ୍ଗିପଡ଼ିଲେ ମଧ୍ୟ ଆତ୍ମହତ୍ୟା କରିବା ସମାଧାନ ନୁହେଁ ବୋଲି ସେ ଏହି ଫିଲ୍ମରେ ନିଜ ପୁଅକୁ ବୁଝାଇଥିଲେ । କିନ୍ତୁ ଅସଲ ଜୀବନରେ ସେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଲେ ।
ସୁଶାନ୍ତଙ୍କ ମୃତ୍ୟୁପରେ ଅବସାଦକୁ ନେଇ ପୁଣି ଦେଶରେ ଚର୍ଚ୍ଚା ଜୋର ଧରିଛି । ଅବସାଦ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିଲେ ମଧ୍ୟ କରୋନା, କ୍ୟାନସର ପରି ରୋଗ ପରି ଏହାକୁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ । ଏପରିକି କେତେକ କ୍ଷେତ୍ରରେ ଏହାକୁ ଏକ ରୋଗବୋଲି ଗ୍ରହଣ କରିବାକୁ ଲୋକେ ପ୍ରସ୍ତୁତ ନୁହଁନ୍ତି । କେବଳ ବଲିଉଡ ନୁହେଁ, ସମାଜର ପ୍ରତିଟି କ୍ଷେତ୍ରରେ ଲୋକମାନେ ଅବସାଦର ଶିକାର ଥିବା ଦେଖିବାକୁ ମିଳେ । ବଲିଉଡରେ ଆଉ ଜଣେ ତାରକା, ଦିପିକା ପାଦୁକୋନ ମଧ୍ୟ ଦିନେ ଅବସାଦର ଶିକାର ଥିବା ନିଜେ ସ୍ବୀକାର କରିଥିଲେ ।

ଅବସାଦ ପରି ଏକ ମାରାତ୍ମକ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରିବା ଏହି ଲେଖାର ଉଦ୍ଦେଶ୍ୟ ।
ଅବସାଦ କଣ ?
ଜୀବନରେ ଭଲ ଓ ଖରାପ ଘଟଣାକୁ ନେଇ ସୁଖ ଓ ଦୁଃଖ ଲାଗି ରହିଛି । ଭଲ ଘଟଣା ଘଟିଲେ ଆମକୁ ଭଲ ଲାଗେ ଓ ଖରାପ ଘଟଣା ଘଟିଲେ ଆମକୁ ଦୁଃଖ ଲାଗେ ବା ମନ ଖରାପ ହୁଏ । ତେବେ ସୁଖ କିମ୍ବା ଦୁଃଖ ସବୁଦିନ ପାଇଁ ରହେ ନାହିଁ, ଏଗୁଡ଼ିକ କ୍ଷଣସ୍ଥାୟୀ । କିନ୍ତୁ, କେତେକ କ୍ଷେତ୍ରରେ ଅଧିକ ଦିନ ଧରି ଏହି ମନ ଖରାପ ଲାଗି ରହିଲେ ତାହାକୁ ଅବସାଦ ବୋଲି କୁହାଯାଏ । ଏହା ହେଲେ ମଣିଷ ବ୍ୟକ୍ତିଗତ ଜୀବନରେ, ସ୍କୁଲ-କଲେଜରେ କିମ୍ବା ଅଫିସରେ ଠିକଭାବେ ପ୍ରଦର୍ଶନ କରିପାରେ ନାହିଁ । ସ୍ଥିତି ଆହୁରି ଖରାପ ହେଲେ ମଣିଷ ଆତ୍ମହତ୍ୟା କରିବାକୁ ପଛାଏ ନାହିଁ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ସାରା ବିଶ୍ୱରେ ସବୁ ବୟସ ବର୍ଗର ପ୍ରାୟ ୨୬ କୋଟି ୪୦ ଲକ୍ଷ ଲୋକ ମାନସିକ ଅବସାଦର ଶିକାର ହୋଇଛନ୍ତି । ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୮ ଲକ୍ଷ ଲୋକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରନ୍ତି । ଏମାନଙ୍କ ମଧ୍ୟରୁ ଏକ ବଡ଼ ଭାଗ ୧୫ରୁ ୨୯ ବର୍ଷ ବୟସର ତରୁଣ-ତରୁଣୀ ବୋଲି ଜଣାପଡ଼ିଛି ।
ଅବସାଦର ଲକ୍ଷଣ କଣ ?
ଅବସାଦର ତିନିଟି ପର୍ଯ୍ୟାୟ ରହିଛି-ସାମାନ୍ୟ, ମଧ୍ୟମ ଧରଣର ଓ ଗୁରୁତର । ଦୁଃଖ ଲାଗିବା ମଣିଷର ଏକ ସ୍ୱାଭାବିକ ପ୍ରବୃତ୍ତି । କିନ୍ତୁ ଏହି ଦୁଃଖ ଅଧିକ ସମୟ ଧରି (ଏକ ସପ୍ତାହରୁ ଅଧିକ ) ଲାଗି ରହିଲେ ତାହା ଚିନ୍ତାର କାରଣ ହୋଇଥାଏ । ଅବସାଦର ଏକ ପ୍ରମୁଖ ଲକ୍ଷଣ ହେଲା ନିଦ କମ ଲାଗିବା । ଅବସାଦଗ୍ରସ୍ତ ବ୍ୟକ୍ତି ଶକ୍ତିହୀନ ହେବାପରି ଲାଗେ, ହାଲିଆ ଲାଗେ, ଭୋକ ଲାଗେ ନାହିଁ, ଶିକ୍ଷା ବା କାର୍ଯ୍ୟରେ ଫୋକସ କରିପାରେ ନାହିଁ, ଠିକ ସମୟରେ ନିଷ୍ପତ୍ତି ନେଇପାରେ ନାହିଁ । କୌଣସି କଥାକୁ ବାରମ୍ବାର ଚିନ୍ତା କରିବା, ହଠାତ ରାଗିଯିବା, ସମସ୍ତଙ୍କ ଉପରେ ସଂଦେହ କରିବା ।
ଅବସାଦରୁ ମୁକ୍ତି
ଅବସାଦର ଚିକିତ୍ସା କରାଯାଇପାରିବ । କିନ୍ତୁ ଅବସାଦଗ୍ରସ୍ତ ବ୍ୟକ୍ତି ନିଜେ ଉଦ୍ୟମକଲେ ଏଥିରୁ ମୁକୁଳିପାରିବ । ପ୍ରିୟଜନଙ୍କ ସହ ମିଶି ନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିବା, ଚିନ୍ତାମୁକ୍ତ ହେବାକୁ ଚେଷ୍ଟା କରିବା, ନିୟମିତ ବ୍ୟାୟାମ କରିବା ଓ ଠିକ ସମୟରେ ଶୋଇବା, ସୁଷମ ଖାଦ୍ୟ ଖାଇବା, ନିଶାଦ୍ରବ୍ୟ ସେବନ କମ କରିବା, କୌଣସି କଥାକୁ ଆବଶ୍ୟକତାଠାରୁ ଅଧିକ ଚିନ୍ତା ନକରିବା ଦ୍ୱାରା ଏଥରୁ ମୁକ୍ତି ମିଳିପାରିବ ।