କାନ୍ଦିବାର ଲାଭ : କେବଳ ହସିବା ନୁହେଁ, କାନ୍ଦିବା ମଧ୍ୟ ଶରୀରର ପାଇଁ ଲାଭଦାୟକ

ଆଜି ପର୍ଯ୍ୟନ୍ତ ହସିବାର ଲାଭ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ କାନ୍ଦିବାର ମଧ୍ୟ କେତେ ଲାଭ ଅଛି ତାହା ଆପଣ ଜାଣନ୍ତି କି? ଅନେକ ଲୋକ କାନ୍ଦିବାକୁ ଦୁର୍ବଳତାର ସଙ୍କେତ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ଏହା କେବଳ ନିଜ ଭାବନାକୁ ପ୍ରକାଶ କରିବାର ଏକ ଉପାୟ । ଆମେ କହୁଛୁ କାନ୍ଦିବାର ଉପକାର ବିଷୟରେ ଯାହା ବେଳେବେଳେ ଅନୁଭବ କରିହୁଏ। ଯଦି ଆପଣ କେବେ ଧ୍ୟାନ ଦେଇନାହାଁନ୍ତି, ତେବେ ଆଗାମୀ ଦିନରେ ଏଥିପ୍ରତି ନିଶ୍ଚିୟ ଧ୍ୟାନ ଦେବେ।

ମାନସିକ ଥକାପଣ ଦୂର ହୁଏ

ଯେତେବେଳେ ଆମେ ମାନସିକ ସ୍ତରରେ ବହୁତ କ୍ଳାନ୍ତ ହୋଇଯାଉ ଏବଂ କିଛି କଥା ମନକୁ ବହୁତ ଆଘାତ ଦେଇଥାଏ, ସେତେବେଳେ ଆମକୁ କାନ୍ଦିବାକୁ ମନ ହୁଏ ଅଥବା ଏମିତି କହିପାରିବା ଆପେ ଆପେ କାନ୍ଦ ଆସେ ବା ଆଖିରୁ ଲୁହ ଝରେ। କିନ୍ତୁ ଯଦି ଆମେ ଏଥିପ୍ରତି ଧ୍ୟାନ ଦେବା ତେବେ ଜାଣିବାକୁ ପାଇବା, କାନ୍ଦିବାର ଅଧ ଘଣ୍ଟା ପରେ ମନ ବହୁତ ଶାନ୍ତ ହୋଇଯାଏ । କାନ୍ଦିବା ପରେ ନିଦ ଆସେ ବା ଶୋଇବାକୁ ଇଚ୍ଛା ହୁଏ। ଯେତେବେଳେ ଆମେ ନିଦରୁ ଉଠୁ, ସେତେବେଳେ ମାନସିକ ଥକ୍କା କିଛି ମାତ୍ରାରେ ଦୂର ହୁଏ ଏବଂ ଆମେ ଶାନ୍ତ ଅନୁଭବ କରୁ ଏବଂ ଅନ୍ୟ କାମରେ ମନ ଲାଗେ।

ହାଲୁକା ଅନୁଭବ କରୁ

ପୁରୁଷମାନଙ୍କର କାନ୍ଦିବାକୁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ବିବେଚନା କରାଯାଏ। ଏଭଳି ପୁରୁଷକୁ ଆମ ସମାଜ କାପୁରୁଷ ବୋଲି କୁହେ। କିନ୍ତୁ କାନ୍ଦିବା ଦ୍ୱାରା ମନରୁ ବୋଝ ହାଲୁକା ହୋଇଥାଏ। ଛାତିରେ ଜମା ହୋଇଥିବା କୋହ ଏବଂ ମୁଣ୍ଡର ବୋଝ ଦୂର ହୋଇଥାଏ । ଜଣେ ମଣିଷ ହାଲୁକା ଅନୁଭବ କରେ।

ସକରାତ୍ମକ ଶକ୍ତି ସକ୍ରିୟ ହୁଏ

କିଛି ସମୟ କାନ୍ଦିବା ପରେ ଯଦି ଶୋଇବାର ସୁଯୋଗ ମିଳେ, ତେବେ ବହୁତ ଭଲ କଥା। କାରଣ ଶୋଇକି ଉଠିବା ପରେ ପୁନର୍ବାର  ସକ୍ରିୟ ଅନୁଭବ ହୁଏ। ଶରୀରରେ ସକରାତ୍ମକ ଶକ୍ତି ସକ୍ରିୟ ହୁଏ। ଏହା ଦ୍ବାରା କାର୍ଯ୍ୟ କରିବାର ଇଚ୍ଛାଶକ୍ତି ବୃଦ୍ଧି ହୁଏ।

ଚିନ୍ତାଧାରାର ସ୍ୱଚ୍ଛତା

କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଯାଏ, ମୁଣ୍ଡର ଭାର କମ୍ ଅନୁଭବ ହେବାକୁ ଲାଗେ, ତାଜା ଅନୁଭବ ହୁଏ, ସକରାତ୍ମକ ଶକ୍ତି ପ୍ରବାହିତ ହେବାକୁ ଲାଗେ, ଯାହା ଦ୍ବାରା ଚିନ୍ତାଧାରାରେ ଅଧିକ ସ୍ପଷ୍ଟତା ବା ସ୍ୱଚ୍ଛତା ଆସେ। ନିଷ୍ପତ୍ତି ନେବା କ୍ଷମତାକୁ ଦୃଢ କରେ।

ଆଖି ସଫା ହୋଇଥାଏ

ଏପର୍ଯ୍ୟନ୍ତ କାନ୍ଦିବାର ଯେତିକି ଲାଭ ବିଷୟରେ ଆମେ କଥା ହେଲେ ତାହା କେବଳ ମାନସିକ ସ୍ତରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ବୋଲି ଜାଣିଲେ। କିନ୍ତୁ ଆପଣ ଜାଣନ୍ତି କି କାନ୍ଦିବା ଦ୍ବାରା ଆଖି ସଫା ହୋଇଥାଏ। ଆଜ୍ଞା ହଁ, ବେଳେବେଳେ କାନ୍ଦିବା ଆଖି ପାଇଁ ମଧ୍ୟ ଭଲ ହୋଇଥାଏ। ଏହା ଆଖିର ମାଂସପେଶୀ ହାଲୁକା ହେବା ସହ ଆଖିକୁ ସଫା କରିଥାଏ ଏବଂ ଆଖି ପଛରେ ଥିବା କୋଷିକାଗୁଡିକ ଦୃଢ ହୋଇଥାଏ।