ଭଗବାନ କୃଷ୍ଣ ରାଧା ଓ ବଂଶୀଠାରୁ କେବେ ଅଲଗା ହେଲେ… ଜାଣନ୍ତୁ ତାଙ୍କ ଜୀବନର ରହସ୍ୟ

ରାଧା-କୃଷ୍ଣଙ୍କ ପ୍ରେମ ଅମର । ଆଜି ବି ପ୍ରେମ ବିଷୟରେ ଚର୍ଚ୍ଚା ହେଲେ, ରାଧା-କୃଷ୍ଣଙ୍କ ନାମ ଶୀର୍ଷରେ ନିଆଯାଏ। ଶତାବ୍ଦୀ ଧରି, ପିଢୀ ପରେ ପିଢୀ ଏହି କାହାଣୀ ଶୁଣିବାକୁ ମିଳେ ଯେ କେବଳ ଦୁଇଟି ଜିନିଷ ଯଥା ବଂଶୀ ଏବଂ ରାଧା ପ୍ରତି ଶ୍ରୀକୃଷ୍ଣଙ୍କ ଦୁର୍ବଳତା ଥିଲା । ଏହି ଦୁଇ ଜଣ ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା। ହେଲେ ରହସ୍ୟମୟ କଥା ହେଲା ଦୁଇଟି ଯାକ ଶ୍ରୀକୃଷ୍ଣ ଏକା ସାଙ୍ଗରେ ହରାଇଥିଲେ। ଏଠାରେ ପ୍ରଶ୍ନ ଉଠେ, ସେତେବେଳେ ଏମିତି କ’ଣ ପରିସ୍ଥିତି ଉପୁଜିଥିଲା ଯେ, ଭଗବାନ କୃଷ୍ଣ ନିଜର ପ୍ରିୟ ବଂଶୀକୁ ଭାଙ୍ଗି ଦେଇଥିଲେ।

କେବଳ ରାଧା ନୁହେଁ ପୁରା ଗୋପପୁର ଥିଲା ବଂଶୀ ସୂର ପ୍ରେମୀ

କିଂବଦନ୍ତୀ ଅନୁଯାୟୀ, ରାଧାଙ୍କ ପରେ ଭଗବାନ କୃଷ୍ଣଙ୍କ ପାଇଁ ବଂଶୀ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କୃଷ୍ଣଙ୍କର ସୁମଧୁର ବଂଶୀ ସ୍ବର ଶୁଣି କେବଳ ରାଧା ନୁହଁନ୍ତି ସମସ୍ତ ଗୋପୀ ପାଗଳ ହେଉଥିଲେ। କିନ୍ତୁ ଏପରି ଏକ ସମୟ ଆସିଥିଲା ​​ଯେତେବେଳେ କୃଷ୍ଣ କଂଶଙ୍କୁ ବଦ୍ଧ କରିବା ପାଇଁ ମଥୁରା ଯାଇ ଆଉ ଫେରିନଥିଲେ।। ଏହା ପରେ ସମଗ୍ର ଗୋପପୁର କୃଷ୍ଣଙ୍କ ବଂଶୀ ସ୍ବର ଶୁଣିନଥଲା। ଏହାକୁ ନେଇ କେବଳ ରାଧା ନୁହେଁ ସମଗ୍ର ଗୋକୁଳବାସୀ ଦୁଃଖିତ ଥିଲେ। ଇତି ମଧ୍ୟରେ ରାଧାଙ୍କର ବିବାହ ଅନ୍ୟତ୍ର ହୋଇଥିଲା।

ସମସ୍ତ କର୍ତ୍ତବ୍ୟରୁ ମୁକ୍ତ ହେବା ପରେ ରାଧା ଶ୍ରୀକୃଷ୍ଣଙ୍କୁ ଭେଟିଥିଲେ

ମାମୁଁ କଂଶଙ୍କୁ ବଦ୍ଧ କରିବା ପରେ ରୁକ୍ମାଣୀଙ୍କୁ ବିବାହ କରି ଶ୍ରୀକୃଷ୍ଣ ଦ୍ୱାରିକାରେ ବସବାସ କରିଥିଲେ। ସେ ତାଙ୍କ ପତି ଧର୍ମକୁ ନିକ୍ଷୂର୍ଣ୍ଣ ଭାବରେ ସମ୍ପର୍ଣ୍ଣ କରିଥିଲେ ହେଲେ ତାଙ୍କ ମନରେ ସର୍ବଦା ରାଧା ରହିଥିଲେ। ସମସ୍ତ କର୍ତ୍ତବ୍ୟ ଓ ଦାୟିତ୍ବରୁ ମୁକ୍ତି ହେବା ପରେ ରାଧା ଶେଷ ଥର ପାଇଁ ତାଙ୍କ ପ୍ରିୟ କୃଷ୍ଣଙ୍କୁ ଭେଟିବାକୁ ଦ୍ୱାରିକାପୁର ଯାଇଥିଲେ। ଯେତେବେଳେ ସେ ଦ୍ୱାରକାରେ ପହଞ୍ଚିଲେ ରୁକ୍ମିଣୀ ଏବଂ ସତ୍ୟଭାମାଙ୍କ ସହ କୃଷ୍ଣଙ୍କ ବିବାହ ବିଷୟରେ ଶୁଣି ଆଦୌଂ ଦୁଃଖ କରି ନଥିଲେ। କୃଷ୍ଣ ରାଧାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ଦ୍ୱାରକାପୁରରେ ରାଧାରାଣୀଙ୍କୁ କେହି ଜାଣି ନ ଥିଲେ। ରାଧାଙ୍କ ଅନୁରୋଧ କ୍ରମେ କୃଷ୍ଣ ତାଙ୍କୁ ରାଜପ୍ରାସାଦରେ ଦାସୀ ଭାବରେ ନିଯୁକ୍ତ କଲେ।

ରାଧା ଏକୁଟିଆ ଓ ଦୁର୍ବଳ ହୋଇଯାଇଥିଲେ

ରାଧା ଦିନସାରା ରାଜପ୍ରାସାଦରେ ରହି ରାଜପ୍ରାସାଦ ସହ ଜଡିତ କାର୍ଯ୍ୟର ଦେଖାଶୁଣା କରୁଥିଲେ। ସୁଯୋଗ ପାଇବା ମାତ୍ରେ ସେ କୃଷ୍ଣଙ୍କର ଦର୍ଶନ ପାଇଁ ଯାଉଥିଲେ, କିନ୍ତୁ ରାଜପ୍ରାସାଦରେ ରାଧା ଶ୍ରୀକୃଷ୍ଣଙ୍କ ସହ ପୂର୍ବପରି ଆଧ୍ୟାତ୍ମିକ ଭାବରେ ଜଡିତ ହେଲା ଭଳି ଅନୁଭବ କରିପାରି ନଥିଲେ। ତେଣୁ ସେ ରାଜଭବନରୁ ଦୂରେଇ ଯିବାକୁ ସ୍ଥିର କଲେ। ଧୀରେ ଧୀରେ ସମୟ ଅତିବାହିତ ହେଲା ଏବଂ ରାଧା ଏକାକୀ ଓ ଦୁର୍ବଳ ହୋଇଗଲେ। ସେତେବେଳେ ସେ ଭଗବାନ କୃଷ୍ଣଙ୍କର ଆବଶ୍ୟକ ଲୋଡିଲେ। ଶେଷ ମୁହୂର୍ତ୍ତରେ ଭଗବାନ କୃଷ୍ଣ ତାଙ୍କ ସାମ୍ନାରେ ଉପସ୍ଥିତ ହେଲେ।

ରାଧାଙ୍କ ବିରହକୁ ସହି ପାରିନଥିଲେ ଶ୍ରୀକୃଷ୍ଣ

ଶେଷ ସମୟରେ ଶ୍ରୀକୃଷ୍ଣ ରାଧାଙ୍କୁ କିଛି ମାଗିବାକୁ କହିଥିଲେ। ରାଧା ଶେଷ ଥର ପାଇଁ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ବର ଶୁଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶ୍ରୀକୃଷ୍ଣଙ୍କ ସୁମଧୁର ବଂଶୀ ସ୍ୱର ଶୁଣିବା ମାତ୍ରେ ହିଁ ରାଧା ଧରାପୃଷ୍ଠ ଛାଡିଥିଲେ। ରାଧାଙ୍କ ଆତ୍ମା ସମ୍ପୂର୍ଣ୍ଣରୂପେ କୃଷ୍ଣଙ୍କ ସହିତ ମିଶିବା ପର୍ଯ୍ୟନ୍ତ କୃଷ୍ଣ ବଂଶୀ ବାଦନ କରିଥିଲେ। ଭଗବାନ ରାଧା-ଶ୍ରୀକୃଷ୍ଣଙ୍କ ପ୍ରେମ ଅମର କିନ୍ତୁ ତଥାପି ଶ୍ରୀକୃଷ୍ଣ ରାଧାଙ୍କ ବିରହ ସହି ନ ପାରି ପ୍ରେମର ପ୍ରତୀକ ବଂଶୀକୁ ଭାଙ୍ଗି ଫିଙ୍ଗି ଦେଇଥିଲେ। ସେବେଠାରୁ ଶ୍ରୀକୃଷ୍ଣ ବଂଶୀ କିମ୍ବା ଅନ୍ୟ କୌଣସି ବାଦ୍ୟ ଯନ୍ତ୍ର ଧରିନଥିଲେ।