ତମାଖୁ ବର୍ଜନ – ନୂଆ ଜୀବନଦାନ

 

୧୯୮୭ ରୁ ପ୍ରତିବର୍ଷ ମେ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି । ପ୍ରତିବର୍ଷ ପ୍ରାୟ ୬o ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ଘଟୁଥିବାର ତଥ୍ୟ ରହିଛି । ଅନେକ ସଚେତନତା ସତ୍ତ୍ୱେ ଏହାର ପ୍ରଭାବ କାହିଁକି କମୁନାହିଁ, ତାହା ଏକ ପ୍ରଶ୍ନବାଚୀ ସାଜିଛି । ୨o୩o ସୁଦ୍ଧା ଏହି ସଂଖ୍ୟା ସାଙ୍ଘାତିକ ସ୍ଥିତିରେ ପହଞ୍ଚିବାର ଆଶଙ୍କା ରହିଛି । WHO ଅନୁସାରେ ବିଶ୍ୱରେ ୬o% ଲୋକ ତମାଖୁ ବର୍ଜନ କରିବା ପାଇଁ ଇଚ୍ଛା କରନ୍ତି, ମାତ୍ର କେବଳ ୩o% ଏଥିରେ ସଫଳ ହୋଇପାରନ୍ତି ।

‘ ବିଶ୍ୱ ତମାଖୁ ବର୍ଜନ ଦିବସ ‘ ପାଳନର ମୂଳ ଲକ୍ଷ୍ୟ ହେଉଛି ତମାଖୁ ସେବନ ଦ୍ୱାରା ଉପୁଜୁଥିବା ବିପଦ ପ୍ରତି ଲୋକଙ୍କୁ ସଚେତନ କରିବା । ଏହା କେବଳ ବ୍ୟବହାରକାରୀ ନୁହେଁ, ତା ଆଖପାଖରେ ଥିବା ବ୍ୟକ୍ତି, ପରିବାର ସଦସ୍ୟ ଏବଂ ସର୍ବୋପରି ସମାଜ ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ । କ୍ରମଶଃ ତମାଖୁର ବ୍ୟବହାର ଯେପରି କମ ରୁ କମ ହୁଏ, ସେ ଦିଗରେ ଯତ୍ନଶୀଳ ହେବା, ଏହି ଦିବସକୁ ସାର୍ବଜନୀନ ଭାବରେ ପାଳନ କରିବାର ଉଦ୍ଦେଶ୍ୟ । ଗୋଟିଏ ଦିନ ଅର୍ଥାତ ୨୪ ଘଣ୍ଟା ତମାଖୁ ସେବନ ନ କରିବାର ଅଭ୍ୟାସ ଆଗକୁ ଯାଇ ସମ୍ପୂର୍ଣ୍ଣ ରୂପେ ତମାଖୁ ବର୍ଜନ କରିବାର ସହାୟକ ହୋଇପାରେ ବୋଲି ବିଶ୍ୱାସ ରହିଛି । ତମାଖୁ ସେବନ ଯୋଗୁଁ ଦନ୍ତକ୍ଷୟ, ହୃଦରୋଗ, ଶ୍ୱାସରୋଗ, ଖାଦ୍ୟନଳୀ ରୋଗ, କର୍କଟ ଭଳି ମାରାତ୍ମକ ରୋଗର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ । ତେଣୁ ଏହାର ବର୍ଜନ ଆମ ଦେଶର ସୁସ୍ଥ ଭବିଷ୍ୟତ ପାଇଁ ନିତାନ୍ତ ପ୍ରୟୋଜନୀୟ । ବିଭିନ୍ନ ସଂଗଠନ ତରଫରୁ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମର ଆହ୍ୱାନ କରାଯାଇ ଏଥିରେ ରୋକ ଲଗାଯାଇ ପାରିବ ।

ତମାଖୁର ବ୍ୟବହାର କିଛି କ୍ଷଣର ସୁଖ ଦେଲେ ମଧ୍ୟ ଏହାର ପ୍ରଭାବ ଶରୀର ପାଇଁ ସର୍ବଦା କ୍ଷତିକାରକ । ଏହାର ସେବନ ପରେ ବ୍ୟକ୍ତି କିଛି ସମୟ ପାଇଁ ଉତଫୁଲ୍ଲିତ ଅନୁଭବ କରେ, ନିଜ ଭିତରେ ଏକ ରୋମାଞ୍ଚ ଏବଂ ନୂତନ ଶକ୍ତିର ସଞ୍ଚାର ତାର ଉଦବେଗ କୁ କେଇ ମୁହୂର୍ତ୍ତ ପାଇଁ ବଢ଼େଇଦିଏ । ମାତ୍ର କ୍ରମେ ଏହାର ନିୟମିତ ଅଭ୍ୟାସ ଲୋକଙ୍କୁ ନିଶାସକ୍ତ କରିଦିଏ ।ପରିସ୍ଥିତି ଏମିତି ହୁଏ ଯେ, ନିଜର କ୍ଷତି କରୁଥିବା ଜାଣି ମଧ୍ୟ ସେମାନେ ଏହାର ଶକ୍ତ ପଞ୍ଝା ରୁ ବାହାରି ପାରନ୍ତି ନାହିଁ ।

ସବୁଠାରୁ ବଡ଼ ଚିନ୍ତାର ବିଷୟ ଏହା ଯେ ଆମ ଯୁବପିଢ଼ି କ୍ରମେ ଏହା ଦ୍ୱାରା କବଳିତ ହେଉଛନ୍ତି । ଗରିବ ହେଉ କିମ୍ବା ଧନୀ, ତମାଖୁର ପ୍ରଭାବ ସମାଜରେ ଆର୍ଥିକ ଏବଂ ମାନସିକ ଅସୁନ୍ତଳନ ବୃଦ୍ଧି କରୁଛି । ଖୁବ କମ ବୟସରୁ ପିଲାମାନେ ବିଡ଼ି, ସିଗାରେଟ, ଗୁଟଖା, ଖଇନି, ଗୁଣ୍ଡିପାନ ଭଳି ନିଶାଦ୍ରବ୍ୟର ବ୍ୟବହାର ଓ କାରବାରରେ ନିର୍ଲିପ୍ତ ହେଉଛନ୍ତି । ବିନା ପରିଶ୍ରମରେ ଅଧିକ ରୋଜଗାର ପାଇଁ ଆଶାୟୀ କିଛି ଲୋକ ତମାଖୁ ବ୍ୟାପାର ଭଳି ସହଜ ରାସ୍ତା ଟିଏ ଆପଣେଇ ନେଇ କ୍ରମେ ନିଜ ସହିତ ଅନ୍ୟ ମାନଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି ।ଅଭିଭାବକ ମାନଙ୍କ ଠାରୁ ଏହାର ବ୍ୟବହାର ଶିଖିବା କିମ୍ବା ସାଙ୍ଗସାଥିଙ୍କ ସହ ମିଶି ମଜା ମଜଲିସ କରିବା ଆଳରେ ତମାଖୁ ଗ୍ରହଣ ଆରମ୍ଭ ହୋଇ, ଶେଷରେ ଆତ୍ମହତ୍ୟା, ଅପରାଧ ଏବଂ ଦୁଃସାଧ୍ୟ ରୋଗରେ ଶେଷ ହେଉଛି ।

ତମାଖୁ ଦ୍ୱାରା ରାଜ୍ୟ ଏବଂ ଦେଶରେ ରାଜସ୍ବ ଆଦାୟର ଯୁକ୍ତିରେ ଏତିକି କୁହାଯାଇପାରେ ଯେ, ତମାଖୁ ଜନିତ ଆଦାୟ ହେଉଥିବା ରାଜସ୍ବ ତୁଳନାରେ କେଇ ଗୁଣା ଅଧିକ ଖର୍ଚ୍ଚ ହେଉଛି ରୋଗୀର ଚିକିତ୍ସାରେ। ଅପରପକ୍ଷେ ସମାଜରେ ବଢୁଥିବା ନକାରାତ୍ମକତା, ହିଂସା ଓ ବିଦ୍ବେଷ ଏଥିରେ ” ନିଆଁରେ ଘିଅ ” ଭଳି କାମ କରୁଛି ।

ଶେଷରେ ଏତିକି କୁହାଯାଇପାରେ ଯେ, ଜୀବନ ବହୁତ ମୂଲ୍ୟବାନ । ଏହାର ସମ୍ମାନ କରିବା ଉଚିତ । କ୍ଷଣିକ ଉନ୍ମାଦନାର ବଶବର୍ତ୍ତୀ ହୋଇ ତମାଖୁକୁ ଜୀବନରେ ଖୁସି ଭାବୁଥିବା ବ୍ୟକ୍ତିମାନେ, ଅଜାଣତରେ ଏହାପ୍ରତି ଆକୃଷ୍ଟ ହୁଅନ୍ତି । ଯେତେଦୂର ସମ୍ଭବ ଏହାଠାରୁ ନିଜକୁ ଦୂରେଇ ରଖିବା ହି ବୁଦ୍ଧିମାନର କାମ । ତମାଖୁକୁ ବର୍ଜନ କରିବାର ଶପଥ ନିଅନ୍ତୁ । ପରିବାର ଏବଂ ଗଣମାଧ୍ୟମର ସାହାଯ୍ୟ ତମାଖୁ ବର୍ଜନକୁ ଆହୁରି ତାରାନ୍ୱିତ କରିପାରେ।

🔸 ଶ୍ରୁତକିର୍ତ୍ତୀ ତ୍ରିପାଠୀ 🔸
ଫୋନ – 6370516478
ଭୁବନେଶ୍ୱର।