ଲଜ୍ଜାଜନକ ଟ୍ୟାକ୍ସ : ‘ବ୍ରେଷ୍ଟ ଟ୍ୟାକ୍ସ’

ନିକଟରେ ହିଜାବ ବିବାଦକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ କୋର୍ଟରେ ପହଞ୍ଚିଛି। କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ କର୍ଣ୍ଣାଟକର କୌଣସି ଶିକ୍ଷାନୁଷ୍ଠାନରେ କେହି ଧାର୍ମିକ ପୋଷାକ ପିନ୍ଧି ପାରିବେ ନାହିଁ। ତେବେ ମହିଳାମାନଙ୍କର ପୋଷାକକୁ ନେଇ ଏହା ପ୍ରଥମ ବିବାଦ ନୁହେଁ। ପୂର୍ବରୁ ଏପରି ଅନେକ ବିବାଦ ଦେଖିବାକୁ ମିଳିଛି। ଯଦି ଆମେ ଭାରତର ଇତିହାସକୁ ଦେଖିବା, ଏପରି ଏକ ସମୟ ଥିଲା ଯେତେବେଳେ ମହିଳାମାନଙ୍କୁ ସେମାନଙ୍କର ସ୍ତନ ଆଚ୍ଛାଦନ କରିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। ଉନବିଂଶ ଶତାବ୍ଦୀରେ ଦଳିତ ମହିଳାଙ୍କ ଛାତିରେ ଏକ କପଡା କିମ୍ବା ବ୍ଲାଉଜ ଦେଖାଗଲେ, ଛୁରୀରେ ଟାଣି ଚିରି ଦିଆଯାଇଥିଲା। ମହିଳାମାନଙ୍କ ସହିତ ଏପରି କୁତ୍ସିତ ଭେଦଭାବର କାହାଣୀ କେବେ ଓ କିପରି ଆରମ୍ଭ ହେଲା ଏବଂ ଏହାର ଅନ୍ତ କିପରି ହେଲା ସବିଶେଷ ତଥ୍ୟ ….

ଦଳିତ ମହିଳାମାନଙ୍କ ପାଇଁ ‘ସ୍ତନ କର’

୧୭୨୯ ମସିହାରେ, ମାଡ୍ରାସ୍ ପ୍ରେସିଡେନ୍ସିରେ ତ୍ରାଭଣକୋର ସାମ୍ରାଜ୍ୟ ସ୍ଥାପିତ ହୋଇଥିଲା। ରାଜା ଥିଲେ ମାର୍ଥାଣ୍ଡା ଭର୍ମା। ସାମ୍ରାଜ୍ୟ ସ୍ଥାପନା ବେଳେ କିଛି ନିୟମ-କାନୁନ ଏବଂ ଟିକସ ସଂଗ୍ରହ ଭଳି ବ୍ୟବସ୍ଥା କରାଯାଇଥିଲା। ଯେଭଳି ବର୍ତ୍ତମାନ ଆମେ ଘର ଉପରେ କର, ବିକ୍ରୟ କର ଏବଂ ଜିଏସ୍‌ଟି ଭଳି ଟିକସ ଦେଉଛେ, ଠିକ୍ ସେହିଭଳି। କିନ୍ତୁ ଏସବୁ ବ୍ୟତୀତ ଅନ୍ୟ ଏକ ଲଜ୍ଜାଜନକ କର ଆଦାୟ କରାଯାଉଥିଲା। ତାହା ହେଲା ‘ବ୍ରେଷ୍ଟ ଟ୍ୟାକ୍ସ’ ବା ‘ସ୍ତନ କର’। କେବଳ ଦଳିତ ଏବଂ ଓବିସି ଶ୍ରେଣୀର ମହିଳାମାନଙ୍କ ଉପରେ ଏହି ଟ୍ୟାକ୍ସ ଲାଗୁ କରାଯାଇଥିଲା। କେବଳ ସେିତିକି ନୁହେଁ ସ୍ତନର ଆକାର ହିସାବରେ ଟିକସ ନିର୍ଦ୍ଧାରଣ କରାଯାଉଥିଲା।

ନିଚ ଜାତିର ମହିଳାମାନଙ୍କୁ ଅଣ୍ଟାର ତଳକୁ ପୋଷାକ ପିନ୍ଧିବାକୁ ଅନୁମତି ଥିଲା। କୌଣସି ଅଧିକାରୀ ଏବଂ ଉଚ୍ଚ ଜାତିର ଲୋକଙ୍କ ସାମ୍ନାକୁ ଗଲେ ଛାତି ଖୋଲା ରଖିବାକୁ ପଡୁଥିଲା। ଯଦି ମହିଳାମାନେ ଛାତି ଆଚ୍ଛାଦନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ବଦଳରେ ସ୍ତନ କର ଦେବାକୁ ପଡିବ। ଏଥିରେ ଦୁଇଟି ନିୟମ ମଧ୍ୟ ଥିଲା। ଯାହାର ସ୍ତନ ଛୋଟ, ତାଙ୍କୁ କମ୍ କର ଏବଂ ଯାହାର ବଡ ତାଙ୍କୁ ଅଧିକ କର ଦେବାକୁ ପଡୁଥିଲା। ଏହାର ନାମ ଥିଲା ‘ମୁଲାକରମ’ ।

ଏହି ନିମୟର ଉଲ୍ଲଂଘନ ହେଲେ, ସୂଚନା ପାଇ ଏକ ଛୁରୀ ବା ଲମ୍ବା ବାଡ଼ି ନେଇ ରାଜପୁରୋହିତ ପହଞ୍ଚି ଯାଉଥିଲେ। ସେଥିରେ ବ୍ଲାଉଜକୁ ଟାଣି ନେଇ ଚିରି ପକାଉଥିଲେ। ସେହି କପଡାକୁ ଗଛରେ ଟାଙ୍ଗି ଦେଉଥିଲେ। ଏହି ବାର୍ତ୍ତା ଦେଉଥିଲା ଯେ, ଏପରି କରିବାକୁ ଅନ୍ୟ କେହି ସାହସ କରିପାରିବେ ନାହିଁ।

ଶତାବ୍ଦୀର ପ୍ରାରମ୍ଭରେ ଚର୍ଥାଲାରେ ନାଙ୍ଗେଲି ନାମକ ଜଣେ ମହିଳା ପ୍ରଥମ କରି ଏହାକୁ ବିରୋଧ କରିଥିଲେ। ସେ ଥିଲେ ସ୍ବାଭିମାନୀ ଏବଂ କ୍ରାନ୍ତିକାରୀ। ସେ ସ୍ଥିର କଲେ ଯେ, ସ୍ତନକୁ ଘୋଡାଇବି କିନ୍ତୁ ଟିକସ ଦେବି ନାହିଁ । ନାଙ୍ଗେଲିଙ୍କ ଏହି ପଦକ୍ଷେପ ସାମ୍ରାଜ୍ୟବାଦୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ମାରିଥିଲା। ଅଧିକାରୀମାନେ ଘରେ ପହଞ୍ଚିବା ପରେ ନାଙ୍ଗେଲିଙ୍କ ସ୍ୱାମୀ ଚିରକାଣ୍ଡୁନ୍ ଟିକସ ଦେବାକୁ ମନା କରିଦେଇଥିଲେ। ଏହି କଥା ରାଜାଙ୍କ ନିକଟରେ ପହଞ୍ଚିବା ପରେ ଟିକସ ଆଦାୟ ପାଇଁ ଏକ ସ୍ବନ୍ତ୍ରତ ଦଳକୁ ପଠାଇଥିଲେ।

ରାଜାଙ୍କ ଆଦେଶରେ ଅଧିକାରୀମାନେ ଟିକସ ସଂଗ୍ରହ କରିବା ପାଇଁ ନାଙ୍ଗେଲିଙ୍କ ଘରେ ପହଞ୍ଚିଥିଲେ। ସମଗ୍ର ଗାଁ ଏକତ୍ରିତ ଥିଲା। ସ୍ତନର ଆକାର ହିସାବରେ ଟିକସ ଦେବା ପାଇଁ ଅଧିକାରୀମାନେ ଦାବି କରିଥିଲେ। ଅଧିକାରୀ କହିଥିଲେ, ସ୍ତନ କର ଦିଅ, ତୁମେ କୌଣସି ପ୍ରକାର କ୍ଷମା ପାଇବ ନାହିଁ। ନାଙ୍ଗେଲି କହିଥିଲା, ଅପେକ୍ଷା କର, ମୁଁ ଟିକସ ଆଣୁଛି। ନାଙ୍ଗେଲି ନିଜ କୁଟୀର ମଧ୍ୟକୁ ଯାଇ କିଛି ସମୟ ପରେ ଯେତେବେଳେ ବାହାରକୁ ଆସିଲା ସମସ୍ତେ ସ୍ତବ୍ଧ ହୋଇଗଲେ। ଅଧିକାରୀମାନେ ସେହି ସ୍ଥାନ ଛାଡି ଦୌଡି ପଳାଇଲେ। ନାଙ୍ଗେଲି ଏକ ପତ୍ରରେ ନିଜର କଟା ସ୍ତନ ଧରି ଠିଆ ହୋଇଥିଲେ। ଅଧିକାରୀମାନେ ସେଠାରୁ ଯିବା ପରେ  ଲଗାତାର ରକ୍ତସ୍ରାବ ହେତୁ ନାଙ୍ଗେଲି ଟଳି ପଡିଥିଲେ।

ନାଙ୍ଗେଲିଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଚିରକାଣ୍ଡୁନ୍ ମଧ୍ୟ ତାଙ୍କ ଜୁଇକୁ ଡେଇଁ ଆତ୍ମାହୁତି ଦେଇଥିଲେ। ଯାହା ଭାରତ ଇତିହାସରେ ପୁରୁଷ ‘ସତୀ’ ହେବାର ଏହା ହେଉଛି ଏକମାତ୍ର ଘଟଣା । ଏହି ଘଟଣା ପରେ ବିଦ୍ରୋହ ହିଂସାର ରୂପ ନେଇଥିଲା। ପୁରୁଷମାନଙ୍କ ଭଳି ମହିଳାମାନେ ପୁରା ପୋଷାକ ପିନ୍ଧିବା ଆରମ୍ଭ କଲେ। ଶେଷରେ ବାଧ୍ୟ ହୋଇ ସରକାର ନାଦର ଜାତିର ମହିଳାମାନେ ବିନା ଟିକସରେ ପୋଷାକ ପିନ୍ଧି ପାରିବେ ବୋଲି ଘୋଷଣା କଲେ।

ନାଙ୍ଗେଲିଙ୍କ ବୀରତ୍ୱ ଏବଂ ବଳିଦାନକୁ ମନେ ପକାଇବା ପାଇଁ କେରଳର ମୁଲାଚିପୁରାମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କେବଳ ସେତିକି ନୁହେଁ ତାଙ୍କ ସାହାସିକତାକୁ ପୁସ୍ତକରେ ମଧ୍ୟ ସ୍ଥାନ ଦିଆଯାଇଛି। ଏହା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।